ପାରଳାଖେମୁଣ୍ଡି: ଆଇନଜୀବୀଙ୍କୁ ଏସିଡ୍ ମାଡ । ଏଭଳି ଏକ ଅଭାନୀୟ ଘଟଣା ଘଟିଛି ପାରଳାଖେମୁଣ୍ଡି ସହରରେ । ସହରର ଜଙ୍ଗମ ସାହି ନିବାସୀ ବରିଷ୍ଠ ଆଇନଜୀବୀ ପି.ରାମାରାଓଙ୍କ ଘରେ ପଶି ଏସିଡ ମାଡ କରିଛନ୍ତି ଦୁର୍ବୃତ୍ତ । ଆଇନଜୀବୀଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ତୁରନ୍ତ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି । ପାରଳାଖେମୁଣ୍ଡି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ ଗଜପତି ଏସପି ଜତିନ୍ଦ୍ରନାଥ ପଣ୍ଡା ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଏସିଡ ମାଡ କରିଥିବା ଦୁର୍ବୃତ୍ତଙ୍କୁ ଅତିଶୀଘ୍ର ଧରାଯିବ, ଏହା ପରେ ଏସିଡ ମାଡର କାରଣ ସ୍ପଷ୍ଟ ହେବ ବୋଲି ଏସପି କହିଛନ୍ତି ।
ଆଇନଜୀବୀଙ୍କୁ ଏସିଡ୍ ମାଡ଼:
ପୋଲିସ ଠାରୁ ମିଳିଥିବା ସୂଚନା ଅନୁସାରେ, ଆଜି (ଶନିବାର) ଅପରାହ୍ନ ପ୍ରାୟ ସାଢେ ୪ଟା ସମୟରେ ପାରଳାଖେମୁଣ୍ଡି ସହରର ଜଙ୍ଗମ ସାହି ନିବାସୀ ଆଇନଜୀବୀ ପି.ରାମାରାଓ ନିଜ ଘରେ ଥିବା ବେଳେ ହଠାତ୍ କେହି ଜଣେ ଘର ବାହାରେ କବାଟ ବାଡେଇଥିଲେ । ଆଇନଜୀବୀ ଜଣଙ୍କ କବାଟ ଖୋଲି ସମୟରେ ହଠାତ୍ ସଂପୃକ୍ତ ବ୍ୟକ୍ତି ତାଙ୍କ ଉପରକୁ ଏସିଡ ଫିଙ୍ଗିଥିଲେ । କେହି କିଛି ବୁଝିବା ପୂର୍ବରୁ ବାହାରେ ବାଇକରେ ଅପକ୍ଷା କରି ରହିଥିବା ବ୍ୟକ୍ତିଙ୍କ ସହ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଆଇନଜୀବୀଙ୍କ ଚିତ୍କାର ଶୁଣି ପାଖ ପଡୋଶୀ ଆସି ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିିତ୍ସା ପରେ ସ୍ଥାନୀୟ ଏକ ଘରୋଇ ଚକ୍ଷୁ ଚିକିତ୍ସାଳୟକୁ ନିଆଯାଇଥିଲା । ତାଙ୍କ ଅବସ୍ଥା ଅଧିକ ଗୁରୁତର ଥିବା ବିଶେଷ କରି ତାଙ୍କ ୨ଟି ଯାକ ଆଖିରେ ଗୁରୁତର ଆଘାତ ଲାଗିଥିବାରୁ ତାଙ୍କୁ ଭାଇଜାକ୍ ସ୍ଥାନାନ୍ତର କରାଯାଇଛି । ଖବର ପାଇ ପାରଳାଖେମୁଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ପାଖ ପଡେଶୀଙ୍କୁ ପଚରାଉଚରା କରିବା ସହ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ ସଂଗ୍ରହ କରି ସେହି ଆଧାରରେ ତଦନ୍ତ କରୁଛି ।
କ'ଣ କହୁଛନ୍ତି ପ୍ରତ୍ୟକ୍ଷଦର୍ଶୀ:
ସ୍ଥାନୀୟ ଲୋକ ତଥା ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ହେଲମେଟ ପିନ୍ଧା ୨ ଜଣ ଯୁବକ ଏକ ବାଇକରେ ଆସି ଆଇନଜୀବୀଙ୍କ ଘର ସମ୍ମୁଖରେ ରହିଥିଲେ । ଜଣେ ବ୍ୟକ୍ତି ଆଇନଜୀବୀଙ୍କ ଘରକୁ ଯାଇ କବାଟ ବାଡେଇଥିବା ବେଳେ ଆଉ ଜଣେ ବାଇକ ଷ୍ଟାର୍ଟ କରି ରହିଥିଲା । ଆଇନଜୀବୀ ବାହାରକୁ ଆସିବା କ୍ଷଣି ଦୁର୍ବୃତ୍ତ ଜଣକ ଏସଡି ମାଡ କରି ଦୌଡି ଆସି ବାଇକରେ ବସିଯାଇଥିଲା ଏବଂ ଉଭୟେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଖବର ପାଇବା ପରେ ପୋଲିସ୍ ଆଇନଜୀବୀଙ୍କ ଘର ଆଖପାଖରେ ଥିବା ସିସିଟିଭି ଫୁଟେଜ ସଂଗ୍ରହ କରିଛି । ସେଥିରେ ୨ ଜଣ ହେଲମେଟ ପିନ୍ଧା ଯୁବକ ଏକ ବାଇକରେ ଯାଉଥିବା ଦେଖାଯାଉଛି । ଏହାକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ତଦନ୍ତରେ ବାଧା ସୃଷ୍ଟି ହେବା ଆଶଙ୍କା ରହିଥିବାରୁ ପୋଲିସ ଏହି ସିସିଟିଭି ଫୁଟେଜକୁ ସାର୍ବଜନୀନ କରିବାକୁ ମନା କରିଦେଇଛି ।
ଦୁର୍ବୃତ୍ତଙ୍କୁ ଧରିବାକୁ ସ୍ବତନ୍ତ୍ର ଟିମ୍: