କୋରାପୁଟ: ଅବକ୍ଷୟ ହେବାରେ ଲାଗିଛି ପୁରୁଣା କୀର୍ତ୍ତିରାଜି । ଅନାବନା ଜଙ୍ଗଲ ଘେରରେ ହଜିବାକୁ ବସିଛି ପୁରୁଣା ଐତିହ୍ୟ କୋରାପୁଟରେ ଅବସ୍ଥିତ ସପ୍ତମ ଶତାବ୍ଦୀର ନାରାୟଣ ମନ୍ଦିର । ମନ୍ଦିରର ମରାମତି କରିବା ଆଳରେ ପୁରାତନ ମନ୍ଦିରକୁ ଭାଙ୍ଗି ଅଧାଗଢା ଅବସ୍ଥାରେ ଛାଡି ଚାଲିଯାଇଛନ୍ତି ପ୍ରତ୍ନତତ୍ତ୍ବ ବିଭାଗ । 2 ବର୍ଷ ହେଲା ମନ୍ଦିର ଓ ମୂର୍ତ୍ତି ଗୁଡିକ ଅବହେଳିତ ଅବସ୍ଥାରେ ଏଣେତେଣେ ଖୋଲା ଆକାଶ ତଳେ ପଡିରହିଥିବା ବେଳେ କେତେକ ମୂର୍ତ୍ତି ଚୋରି ହୋଇଯାଇଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ମନ୍ଦିରର ସଠିକ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ବିଷ୍ଣୁଙ୍କ ମୂର୍ତ୍ତିକୁ ସୁରକ୍ଷା ପ୍ରଦାନ କରିବା ପାଇଁ ସ୍ଥାନୀୟବାସୀ ଦାବି କରିଛନ୍ତି ।
କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଅନ୍ତର୍ଗତ ଗୋରାହାଣ୍ଡିରରେ ରହିଛି ବହୁ ପୁରାତନ ନାରାୟଣ ମନ୍ଦିର । ପାଖାପାଖି ଷଷ୍ଠ କିମ୍ବା ସପ୍ତମ ଶତାବ୍ଦୀରେ ଏହି ମନ୍ଦିରଟି ନିର୍ମାଣ କରାଯାଇଥିବା ନେଇ ଇତିହାସରୁ ଜଣାପଡେ । ଏହି ମନ୍ଦିରରେ ବିଷ୍ଣୁଙ୍କ ପୂରାତନ ପ୍ରତିମୂର୍ତ୍ତି ରହିଛି । ସ୍ଥାନୀୟ ଲୋକମାନେ ଏହାକୁ ପୂଜାର୍ଚ୍ଚନା କରିଆସୁଥିଲେ । ମନ୍ଦିରର ଅଧିକାଂଶ ଭାଗ ଠିକ ଥିବା ବେଳେ କେବଳ ଉପରି ଭାଗ ସାମାନ୍ୟ ଢଳି ଯାଇଥିବା ନେଇ ସ୍ଥାନୀୟ ଲୋକମାନେ ସୂଚନା ଦେଇଛନ୍ତି ।
ତେବେ 2 ବର୍ଷ ତଳେ ଭୁବନେଶ୍ୱରରୁ ପ୍ରତ୍ନତତ୍ତ୍ବ ବିଭାଗର ଅଧିକାରୀମାନେ ଏହି ମନ୍ଦିର ତଦାରଖ କରିବାକୁ ଆସିଥିଲେ । ମନ୍ଦିରର ଉପରିଭାଗ ଭାଙ୍ଗିଯାଇଥିବା ଜାଣି ଏହାକୁ ମରାମତି କରିବା ପାଇଁ କହିଥିଲେ । ଗ୍ରାମବାସୀମାନେ ମଧ୍ୟ ମରାମତି ହେବାକୁ ନେଇ ସମ୍ମତି ପ୍ରକାଶ କରିଥିଲେ । ହେଲେ ମରାମତି ଆଳରେ ପ୍ରତ୍ନତତ୍ତ୍ବ ବିଭାଗର ଅଧିକାରୀ ମନ୍ଦିରକୁ ଭାଙ୍ଗି ନଷ୍ଟ କରିଦେଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ମନ୍ଦିର ପୂର୍ବରୁ ପଥରରେ ତିଆରି ହୋଇଥିବା ବେଳେ ସେହି ପଥରକୁ କାଢି ସିମେଣ୍ଟରେ ତିଆରି କରିଥିଲେ ପ୍ରତ୍ନତତ୍ତ୍ବ ବିଭାଗ । ହେଲେ ମନ୍ଦିର କାମ ଶେଷ ନକରି ସେମିତି ଅଧା ଗଢା ମନ୍ଦିରକୁ ଛାଡି ଚାଲିଯାଇଥିଲେ । ଦୀର୍ଘ 2 ବର୍ଷ ହେଲା ପୂଜା ପାଇଆସୁଥିବା ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି ସେମିତି ଖୋଲା ଆକାଶ ତଳେ ଭଙ୍ଗା ଆଜବେଷ୍ଟ ଘରେ ପୂଜା ପାଉଛନ୍ତି ।