ଓଡିଶା

odisha

ETV Bharat / state

ଷଷ୍ଠ ଦିନରେ ଧନୁଯାତ୍ରା, ମଥୁରା ନଗରୀ ଥାନାକୁ ପହଞ୍ଚି ଅପରାଧୀଙ୍କୁ ଦଣ୍ଡିତ କଲେ ମହାରାଜ କଂସ

Bargarh Dhanu Yatra: ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାକୁ ନେଇ ଚଳଚଞ୍ଚଳ ବରଗଡ । ଷଷ୍ଠ ଦିନରେ ମଥୁରା ନଗରୀ ଭ୍ରମଣ କଲେ କଂସ । ଅଧିକ ପଢନ୍ତୁ

By ETV Bharat Odisha Team

Published : Jan 21, 2024, 2:26 PM IST

ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା
ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା

ଷଷ୍ଠ ଦିନରେ ଧନୁଯାତ୍ରା

ବରଗଡ:ଜିଲ୍ଲାରେ ଆୟୋଜିତ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ରବିବାର ଦିନ ସପ୍ତମ ଦିନରେ ପହଞ୍ଚିଛି । ଧନୁଯାତ୍ରାର ଷଷ୍ଠ ଦିନରେ ମହାରାଜ କଂସ ମଥୁରା ନଗରୀ ଭ୍ରମଣରେ ବାହାରିଥିଲେ l ମଥୁରା ଭ୍ରମଣ ସମୟରେ ମହାରାଜ କଂସ ହଟାର ମଥୁରା ନଗରୀର ଟାଉନ ଥାନାକୁ ନିରୀକ୍ଷଣ କରିବାକୁ ସୈନ୍ୟ ସାମନ୍ତଙ୍କ ସହ ଯାଇଥିଲେ । ତେବେ ମଥୁରା ନଗରୀରେ କୋରେକ୍ସ ଓ ମଦ ସହିତ ବିଭିନ୍ନ ପ୍ରକାରର ନିଶା ଦ୍ରବ୍ୟ ବ୍ୟାପକ ମାତ୍ରାରେ କାରବାର ଚାଲୁଥିବା ବେଳେ ପୋଲିସ ଅଭିଯୁକ୍ତମାନଙ୍କୁ ଧରିବାରେ ବିଫଳ ହୋଇଥିବା ନେଇ କଂସଙ୍କ ପାଖରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ନେଇ ମହାରାଜ କଂସ ମଥୁରା ନଗରୀର ଥାନାକୁ ଯାଇଥିଲେ ।

ଏହାମଧ୍ୟ ପଢନ୍ତୁ..ବିଶ୍ବପ୍ରସିଦ୍ଧ ଧନୁଯାତ୍ରାର ପଞ୍ଚମ ଦିନ, କାଳୀୟ ଦଳନ କଲେ ପ୍ରଭୁ ଶ୍ରୀକୃଷ୍ଣ

ମଥୁରା ନଗରୀ ମହାରାଜ କଂସ ମଥୁରା ନଗରୀ ଟାଉନ ଥାନାକୁ ପରିଦର୍ଶନ କରିବାକୁ ଯାଇଥିବା ବେଳେ ସେଠାକାର ପୋଲିସ କର୍ମଚାରୀମାନେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ରଖିଥିଲେ । ତେବେ ମହାରାଜ କଂସ ପୋଲିସ ଦ୍ଵାରା ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କ ଦୋଷ ବିଷୟରେ ପଚାରିବାରୁ ଜଣେ ଅଭିଯୁକ୍ତ ନିଜେ କୋରେକ୍ସ ଓ ନିଶା ଦ୍ରବ୍ୟ ବିକ୍ରି କରୁଥିବାରୁ ପୋଲିସ ଗିରଫ କରିଛି ବୋଲି ସ୍ଵୀକାର କରିଥିଲେ ଏବଂ ଅନ୍ୟ ଜଣେ ଅଭିଯୁକ୍ତ ମଧ୍ୟ ମଦ ବିକ୍ରି କରୁଥିବା ଓ ଗଣ୍ଡଗୋଳ କରିଥିବା ନେଇ ନିଜର ଦୋଷ ସ୍ଵୀକାର କରିଥିଲେ । ତେବେ ଉଭୟ ଦୋଷୀଙ୍କୁ ମହାରାଜ ଦଣ୍ଡିତ କରିବା ସହିତ ମଥୁରା ରାଜ୍ୟରେ ନିଶା ବ୍ୟାପାର ସଂପୂର୍ଣ୍ଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କୋରେକ୍ସ ସହିତ ମଦ ବିକ୍ରି ଆଦୌ ନକରି ଭଲ ମାର୍ଗରେ ଯିବାକୁ ଆଦେଶ ଦେଇଥିଲେ । ଯଦି ଆଦେଶ ନ ମାନୁଛନ୍ତି ତେବେ ସେମାନଙ୍କୁ କାରାଗୃହ ଭିତରେ ଭର୍ତ୍ତି କରାଯାଇ କଠୋର ଦଣ୍ଡରେ କରାଯିବ ଦଣ୍ଡିତ ବୋଲି ଚେତାବନୀ ଦେଇଥିଲେ ।


ଅନ୍ୟପଟେ ମଥୁରା ନଗରୀର ପୋଲିସ କର୍ମଚାରୀଙ୍କ ଉତ୍ତମ କାର୍ଯ୍ୟ ପାଇଁ ମହାରାଜ କଂସ ଟାଉନ ପୋଲିସ ଅଧିକାରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ମଥୁରା ନଗରି ପୋଲିସ କର୍ମଚାରୀଙ୍କ ବିରୋଧରେ ଆସିଥିବା ସଙ୍ଗୀନ ଅଭିଯୋଗ ଭିତ୍ତିହୀନ ବୋଲି ମହାରାଜ କଂସ ଘୋଷଣା କରିଥିଲେ ଏବଂ ମଥୁରା ନଗରୀରେ ରହିଥିବା ଚୋର, ଡକାୟତ ତଥା ଅପରାଧୀ ମାନଙ୍କୁ ମଥୁରା ନଗରୀ ପୋଲିସ ଶୀଘ୍ର ବନ୍ଦୀ କରି ଦଣ୍ଡିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପୋଲିସ କର୍ମଚାରୀ ନିଜର କର୍ତ୍ତବ୍ୟରେ ଅବହେଳା କଲେ ତାଙ୍କୁ ମଧ୍ୟ ଦଣ୍ଡିତ କରାଯିବ ଏବଂ ଭଲ କାମ କାଲେ ପଦୋନ୍ନତି କରାଯିବ ବୋଲି ପୋଲିସ କର୍ମଚାରୀ ମାନଙ୍କୁ ମହାରାଜ କଂସ ଘୋଷଣା କରିଥିଲେ ।

ଇଟିଭି ଭାରତ, ବରଗଡ

ABOUT THE AUTHOR

...view details