ଜଗତସିଂହପୁର: ଜିଲ୍ଲା ଗଠନର ୩୦ ବର୍ଷ ପୁରିଛି । ହେଲେ ଅନ୍ୟ ଜିଲ୍ଲା ତୁଳନାରେ ଅନ୍ୟ ଜିଲ୍ଲାର ତୁଳନାରେ ଜଗତସିଂହପୁରରେ ହୋଇନି ଆଶାତୀତ ବିକାଶ । ତତ୍କାଳୀନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଦ୍ବାରା ଏପ୍ରିଲ ୩ ତାରିଖ ୧୯୯୩ ମସିହାରେ ଜଗତସିଂହପୁର ଜିଲ୍ଲାକୁ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ପ୍ରଦାନ କରାଯାଇଥିଲା । ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ବିକାଶ ଘଟିଥିବା ବେଳେ ଆହୁରି ଅନେକ ବିକାଶର ପଥ ବାକି ରହିଥିବା ଜିଲ୍ଲାବାସୀ କହିଛନ୍ତି । ସେପଟେ ଗତକାଲି ବିଭିନ୍ନ ସଂଗଠନ ପକ୍ଷରୁ ପାଳିତ ହୋଇଛି ଜଗତସିଂହପୁର ଦିବସ ।
ଜିଲ୍ଲା ପାଇଁ ଗତକାଲି ଏକ ଐତିହାସିକ ଦିନ ଥିଲା । ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁବାବୁ ଲୋକଙ୍କ ନିକଟରେ ପ୍ରଶାସନକୁ ପହଞ୍ଚାଇବା ଉଦ୍ଦେଶ୍ୟରେ ୧୯୯୩ ମସିହାରେ ଓଡ଼ିଶାର 13ଟି ଜିଲ୍ଲାକୁ ଭାଗ କରି ୩୦ ଜିଲ୍ଲାରେ ପରିଣତ କରିଥିଲେ । ଅବିଭକ୍ତ କଟକ ଜିଲ୍ଲାରୁ ଅଲଗା ହୋଇ ଜଗତସିଂହପୁରକୁ ଏକ ଜିଲ୍ଲାର ମାନ୍ୟତା ଦିଆଯାଇଥିଲା । ୧୯୯୩ ମସିହା ଅପ୍ରେଲ ୩ ତାରିଖରେ ନିଜେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଜଗତସିଂହପୁର ଆସି ଏହାକୁ ଉଦ୍ଘାଟନ କରିଥିଲେ । ୧୬:୫୯ ବର୍ଗ କିଲୋମିଟର ବିଶିଷ୍ଟ ଏହି ଜିଲ୍ଲାର ରାଜ୍ୟର ସବୁଠାରୁ ଛୋଟ ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାରେ ୪ଟି ବିଧାନସଭା ନିର୍ବାଚନ ମଣ୍ଡଳୀ, ଗୋଟିଏ ଡିଭିଜନ୍, ୮ଟି ବ୍ଲକ, ୨ଟି ପୌରଞ୍ଚଳ, ନିକଟରେ ଘୋଷିତ ଗୋଟିଏ ବିଜ୍ଞାପିତ ଅଞ୍ଚଳ ପରିଷଦ(କୁଜଙ୍ଗ), ୮ଟି ତହସିଲ, ୧୩୫୦ଟି ଗାଁ ଓ ୧୯୪ ପଞ୍ଚାୟତ ରହିଛି । ଏହି ଜିଲ୍ଲାରେ ୨୦୧୧ ଜନଗଣନା ଅନୁସାରେ ଜନସଂଖ୍ୟା ୧୧ଲକ୍ଷ ୩୬ହଜାର ୯୭୧ ଥିଲା କିନ୍ତୁ ବର୍ତ୍ତମାନ 14 ଲକ୍ଷ ଜନସଂଖ୍ୟା ବିଶିଷ୍ଟ।
ଜିଲ୍ଲା ଗଠନର ମାତ୍ର ୬ବର୍ଷ ପରେ ୧୯୯୯ ମସିହା ଅକ୍ଟୋବର ୨୯ର ମହାବାତ୍ୟା ଜିଲ୍ଲାକୁ ଶ୍ରୀହିନ କରାଇ ଦେଇଥିଲା । ଜଗତସିଂହପୁର ଜିଲ୍ଲା ଗଠନରେ ଆଜକୁ 30 ବର୍ଷ ପୂରଣ ହୋଇଥିଲେ ମଧ୍ୟ ଅନ୍ୟ ଜିଲ୍ଲାର ତୁଳନା ଅନୁସାରେ ଜଗତସିଂହପୁର ଜିଲ୍ଲାରେ ଆଶାତୀତ ବିକାଶ ହୋଇ ପାରିନାହିଁ । ଜିଲ୍ଲାର ପାରାଦୀପ ବନ୍ଦର ତୈଳ ବିଶୋଧନାଗାର, ଇଫକୋ, ପିପିଏଲ ଭଳି ବହୁ ବଡ ବଡ ଶିଳ୍ପ ସଂସ୍ଥା ରହିଛି ଯାହା ରାଜ୍ୟର ଅର୍ଥନୈତିକ ପ୍ରଗତିରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଛି । ମାତ୍ର ସ୍ଥାନୀୟ ଲୋକଙ୍କୁ ତଥା ଜିଲ୍ଲାର ବେକାର ଯୁବକ ଯୁବତୀଙ୍କୁ ଯେତିକି ନିଯୁକ୍ତି ମିଳିବା କଥା ମିଳିନାହିଁ । ଜିଲ୍ଲା ଗଠନ ପରେ ବହୁ ସରକାରୀ କାର୍ଯ୍ୟାଳୟ ଜିଲ୍ଲାରେ ଖୋଲାଯାଇଛି ଓ ଆଉ କେତେକ ଏପର୍ଯ୍ୟନ୍ତ ମଧ୍ୟ ଆସିପାରି ନାହିଁ ।