ଭୁବନେଶ୍ବର: ଶିଳ୍ପ କ୍ଷେତ୍ରରେ ନିବେଶ ନେଇ ମୋହନ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । 20ଟି ବୃହତ ପୁଞ୍ଜିନିବେଶ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି ହାଇଲେଭଲ କ୍ଲିଅରାନ୍ସ ଅଥରିଟି ବା ଏଚଏଲସିଏ । ରାଜ୍ୟରେ ନିବେଶ ହେବ 1.37 ଲକ୍ଷ କୋଟି ଟଙ୍କା । ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ସୃଷ୍ଟି ହେବ 74,350ଟି ଅତିରିକ୍ତ ନିଯୁକ୍ତି ସୁଯୋଗ ।
୧.୩୭ ଲକ୍ଷ କୋଟି ନିବେଶ, ୭୪ ହଜାର ନିଯୁକ୍ତି:
ବିଜେପି ସରକାର କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଦ୍ୱିତୀୟ ହାଇଲେଭଲ କ୍ଲିଅରାନ୍ସ ଅଥରିଟି ବା ଏଚଏଲସିଏ ବୈଠକ । ବୈଠକରେ 136622.24 କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରକଳ୍ପକୁ ଅନୁମୋଦନ ମିଳିଛି । 20ଟି ବୃହତ ପୁଞ୍ଜିନିବେଶ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ 74350ଟି ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏଚଏଲସିଏ ବୈଠକରେ ନିବେଶକଙ୍କ ପାଇଁ ଅନୁକୂଳ ଇକୋ-ସିଷ୍ଟମ ଯୋଗାଇବାର ପ୍ରତିବଦ୍ଧତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଉତ୍କର୍ଷ ଓଡ଼ିଶା : ମେକ ଇନ ଓଡିଶା - 2025 ରାଜ୍ୟ ପାଇଁ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ । ଯାହାକି ଓଡ଼ିଶାକୁ ପ୍ରମୁଖ ନିବେଶର କେନ୍ଦ୍ରସ୍ଥଳୀ କରାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ନିବେଶ ପାଇଁ ଓଡ଼ିଶା ଗନ୍ତବ୍ୟସ୍ଥଳୀ: ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ନିବେଶ କ୍ଷେତ୍ରରେ ଓଡିଶା ପୂର୍ବ ଭାରତର ଗନ୍ତବ୍ୟସ୍ଥଳୀ ହୋଇଛି । ଉତ୍କର୍ଷ ଓଡ଼ିଶା : ମେକ ଇନ ଓଡିଶା - 2025 ପାଇଁ ନିକଟରେ ସିଙ୍ଗାପୁରରେ ରୋଡ଼ ସୋ ଆୟୋଜନ ହୋଇଛି । ଏହା ପୂର୍ବରୁ ମୁମ୍ବାଇ ଓ ଦିଲ୍ଲୀରେ ଶିଳ୍ପ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜନ ହୋଇଛି । ଫଳରେ ଓଡ଼ିଶା ନିବେଶକଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମୃଦ୍ଧ ସମନ୍ୱୟ ଯୋଗୁଁ ନିବେଶକ କ୍ଷେତ୍ରରେ ଓଡ଼ିଶାକୁ ସଫଳତା ମିଳିଛି । ବିଜେପି ସରକାର ଗଠନ ହେବାର ମାତ୍ର 6 ମାସରେ 1 ଲକ୍ଷ 80 ହଜାର କୋଟି ନିବେଶକ କରିବାରେ ସଫଳ ହୋଇଛି । 73 ଶିଳ୍ପ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ 1.1 ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।"
୧୦ ଜିଲ୍ଲାରେ ୨୦ ପ୍ରକଳ୍ପ:
ଏଚଏଲସିଏରେ ମଞ୍ଜୁରୀ ପାଇଥିବା 20ଟି ପ୍ରକଳ୍ପ 10 ଜିଲ୍ଲାରେ ସ୍ଥାପନ ହେବ । ଯାଜପୁର, ଝାରସୁଗୁଡ଼ା, ଖୋର୍ଦ୍ଧା, ସମ୍ବଲପୁର, ଗଞ୍ଜାମ, କଳାହାଣ୍ଡି, ମାଲକାନଗିରି, ଢେଙ୍କାନାଳ, ଭଦ୍ରକ ଓ ଜଗତସିଂହପୁର ଜିଲ୍ଲାରେ ସ୍ଥାପନ ହେବ । 9ଟି ଭିନ୍ନ ଭିନ୍ନ କ୍ଷେତ୍ରର ମୋଟ 20 ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏଥିରେ ଷ୍ଟିଲ, କେମିକାଲ, ଆଲୁମିନିୟମ, ଆଭିଏସନ ଫୁଏଲ, ଗ୍ରୀନ ଏନର୍ଜି ଆଣ୍ଡ ଇକ୍ୱିପମେଣ୍ଟ, ଆପାରେଲ ଓ ଟେକ୍ସଟାଇଲ, ବିଦ୍ୟୁତ ଓ ଅକ୍ଷୟଶକ୍ତି, ସିମେଣ୍ଟ ଉତ୍ପାଦନ ରହିଛି । ଏହି ଶିଳ୍ପ ପ୍ରତିଷ୍ଠା ହେଲେ ଓଡ଼ିଶାର ଶିଳ୍ପ ବାତାବରଣ ବୃଦ୍ଧି ପାଇବା ସହ ନିରନ୍ତର ଅର୍ଥନୈତିକ ଅଭିବୃଦ୍ଧିରେ ଗତ ମିଳିବ । ଅତିରିକ୍ତ ଭାବେ 74350ଟି ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ନୀଳାଚଳ ଇସ୍ପାତ ପ୍ରକଳ୍ପ ସମ୍ପ୍ରସାରଣ :
ଯାଜପୁର ଜିଲ୍ଲାରେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡର ପୂର୍ବ ପ୍ରକଳ୍ପକୁ ସମ୍ପ୍ରସାରଣ କରିବ । ଏଥିରେ 61 ହଜାର 769 କୋଟି ଟଙ୍କାର ନିବେଶ ହେବ । ଏହି ଇସ୍ପାତ କାରଖାନାର ଉତ୍ପାଦନ କ୍ଷମତା ସମ୍ପ୍ରସାରଣ ଫଳରେ ଅତିରିକ୍ତ 14 ହଜାର ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ । କମ୍ପାନୀର ଉତ୍ପାଦନ କ୍ଷମତା ବାର୍ଷିକ 0.98 ନିୟୁତ ଟନରୁ 9.50 ନିୟୁତ ଟନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଝାରସୁଗୁଡାରେ କେମିକାଲ କ୍ଷେତ୍ରରେ ଭାରତ କୋଲ ଗ୍ୟାସିଫିକେସନ ଅଣ୍ଡା କେମିକାଲସ ଲିମିଟେଡ଼ 11.782 କୋଟି ନିବେଶ କରିବ । ଫଳରେ 2500 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ସମ୍ବଲପୁରରେ ନିଜର ପ୍ଲାଣ୍ଟର ସମ୍ପ୍ରସାରଣ କରିବ । 10645 କୋଟି ଟଙ୍କା ନିବେଶ ଦ୍ୱାରା 1505 ଜଣଙ୍କୁ ଅତିରିକ୍ତ ନିଯୁକ୍ତି ମିଳିବ ।