ରାଉରକେଲା:ସୁନ୍ଦରଗଡ ଜିଲ୍ଲା ରାଉରକେଲା ସହରର ବ୍ରାହ୍ମଣୀ ତରଙ୍ଗ ପୋଲିସ ଥାନା ଅଞ୍ଚଳରେ ଗୋଟିଏ ଦିନରେଦୁଇ ଦୁଇଟି ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ନାବାଳିକା ଗଣଦୁଷ୍କର୍ମ ଘଟଣାର କିଛି ଘଣ୍ଟା ନ ପୂରୁଣୁ ଗତକାଲି ଆଉ ଏକ ଦୁଷ୍କର୍ମ ଘଟଣା ନଜରକୁ ଆସିଛି । ଏ ସଂପର୍କରେ ପୀଡ଼ିତାଙ୍କ ପରିବାର ଲୋକେ ବ୍ରାହ୍ମଣୀ ତରଙ୍ଗ ଥାନାରେ ଏତଲା ଦେବା ପରେ ପୁଲିସ ଘଟଣାର ତନାଘନା ଆରମ୍ଭ କରିଛି । ମାତ୍ର ଅଭିଯୁକ୍ତମାନଙ୍କର କୌଣସି ପତ୍ତା ମିଳିପାରି ନାହିଁ ।
ସୂଚନା ଅନୁଯାୟୀ, ଗଣବଳାତ୍କାରର ଶିକାର ନାବାଳିକା ଜଣକ ଗତକାଲି (ମଙ୍ଗଳବାର) ସଂଧ୍ୟାରେ ନିଜର କିଛି ସାଙ୍ଗମାନଙ୍କ ସହ ଐତିହାସିକ ବେଦବ୍ୟାସ ମେଳା ବୁଲି ଯାଇଥିଲେ । ଗତକାଲି ଚଳିତ ବର୍ଷ ମେଳାର ଶେଷ ଦିନ ଥିବାରୁ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା । ଗହଳି ଭିତରେ ନାବାଳିକା ଜଣକ ସାଙ୍ଗମାନଙ୍କ ଠାରୁ ବିଚ୍ଛିନ୍ନ ହୋଇଯାଇଥିଲେ । ସାଙ୍ଗମାନଙ୍କୁ ନପାଇ ସେ ଏକୁଟିଆ ଚାଲିଚାଲି ନିଜ ଘରକୁ ଫେରୁଥିଲେ । ତେବେ ବେଦବ୍ୟାସରୁ ପାନପୋଷ ଅଭିମୁଖେ ଜମି ବାଟ ଦେଇ ଘରକୁ ଫେରୁଥିବା ବେଳେ ବାଟରେ କିଛି ଅସାମାଜିକ ଯୁବକ ତାଙ୍କୁ ଦୁର୍ବ୍ୟବହାର କରିବା ସହ ଜୋର ଜବରଦସ୍ତ ଗଣବଳାତ୍କାର କରିଥିଲେ ଏବଂ ନାବାଳିକାକୁ ଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।
ନାବାଳିକା ଜଣକ ଘରେ ପହଞ୍ଚି ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ଏହାପରେ ଆଜି (ବୁଧବାର) ସକାଳେ ପରିବାର ପକ୍ଷରୁ ବ୍ରହ୍ମଣୀତରଙ୍ଗ ଥାନାରେ ଏନେଇ ଲିଖିତ ଅଭିଯୋଗ କରାଯାଇଛି । ପୋଲିସ ଟିମ ଘଟଣାସ୍ଥଳକୁ ଯାଇ ପ୍ରାଥମିକ ତଦନ୍ତ କରିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଦୁଷ୍କର୍ମକାରୀମାନେ ପୋଲିସ ପଞ୍ଚାରେ ପଡ଼ିନଥିବା ପୋଲିସ ସୂତ୍ରରୁ ଜଣାପଡିଛି ।