ପୁରୀ: ଶ୍ରୀକ୍ଷେତ୍ରରେ ପହଞ୍ଚିଲେ ପ୍ରବାସୀ ଭାରତୀୟ । ପୁରୀରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ଦର୍ଶନ ପାଇ ନିଜକୁ ସୌଭାଗ୍ୟଶାଳୀ ମନେ କରିବା ସହ ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରି ନିଜକୁ ଧନ୍ୟମନେ କରିଛନ୍ତି ପ୍ରବାସୀ ଭାରତୀୟ । ଏହାସହ ଓଡ଼ିଶାର କଳା ସଂସ୍କୃତିର ପ୍ରଶଂସା କରିଛନ୍ତି । ଆସନ୍ତାକାଲି (୮ ତାରିଖ) ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଆରମ୍ଭ ହେବାକୁ ଥିବାବେଳେ ଭୁବନେଶ୍ଵରରେ ପହଞ୍ଚିଛନ୍ତି ପ୍ରବାସୀ ଭାରତୀୟ । ତେବେ ଓଡ଼ିଶାର କଳା ସଂସ୍କୃତି ଏବଂ ପରମ୍ପରା ବିଷୟରେ ପ୍ରବାସୀଙ୍କୁ ଅବଗତ କରାଇବା ପାଇଁ ରାଜ୍ୟ ସରକାର ଶ୍ରୀମନ୍ଦିର ସମେତ କୋଣାର୍କ, ରାମଚଣ୍ଡୀ, ଐତିହ୍ୟ ଗ୍ରାମ ରଘୁରାଜପୁର, ସାତପଡ଼ା, ବ୍ଲୁ ଫ୍ଲାଗ ବିଚ୍ ସହ ଓଡ଼ିଶାର ବିଭିନ୍ନ ଦର୍ଶନୀୟ ସ୍ଥଳୀ ବୁଲାଇ ଦେଖାଇବେ ।
ମହାପ୍ରଭୁଙ୍କୁ ଦର୍ଶନ କଲେ ପ୍ରବାସୀ ଭାରତୀୟ :
ତେବେ ଆଜି ପ୍ରବାସୀ ଭାରତୀୟ ପୁରୀ ଜଗନ୍ନାଥ ମନ୍ଦିରରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି ନିଜକୁ ଧନ୍ୟମନେ କରିଛନ୍ତି ପ୍ରବାସୀ ଭାରତୀୟ । ଓଡ଼ିଶାର କଳା ସଂସ୍କୃତି ଏବଂ ପରମ୍ପରା ସାରା ବିଶ୍ବରେ ସ୍ବତନ୍ତ୍ର । ଓଡ଼ିଶା ପ୍ରାକୃତିକ ସମ୍ପଦ ଏବଂ ଟର୍ଯ୍ୟଟନ ସ୍ଥଳୀକୁ ନେଇ ବେଶ୍ ସମୃଦ୍ଧ । ଦୁର୍ଭାଗ୍ୟର ବିଷୟ ପ୍ରଚାର ପ୍ରସାର ଅଭାବରୁ ବିଶ୍ୱବାସୀଙ୍କ ନଜର ଓଡ଼ିଶା ଉପରେ ପଡିପାରୁ ନାହିଁ । ଓଡ଼ିଶାରେ ପ୍ରଥମଥର ପାଇଁ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ହେବା ଫଳରେ ଆଗାମୀ ଦିନରେ ଓଡ଼ିଶା ବେଶ୍ ଫାଇଦା ପାଇବ । ଆଗାମୀ ଦିନରେ ଅନେକ ପ୍ରବାସୀଙ୍କ ସହ ବହୁ ପ୍ରବାସୀ ଭାରତୀୟ ଏବଂ ବିଦେଶୀ ବ୍ୟକ୍ତି ଓଡ଼ିଶାକୁ ଆସିବା ସହ ପୁଞ୍ଜି ନିବେଶ କରି ବିଭିନ୍ନ କମ୍ପାନୀ ଖୋଲିବେ । ଏହାଦ୍ବାରା ଓଡ଼ିଶାରେ ଅଧିକ ନିଯୁକ୍ତି ସୃଷ୍ଟି ହେବା ସହ ଅର୍ଥନୀତି ସମୃଦ୍ଧ ହେବ । ଓଡ଼ିଶାକୁ ଆସୁଥିବା ପ୍ରବାସୀମାନେ ଓଡ଼ିଶା ସମ୍ପର୍କରେ ସାରା ବିଶ୍ବରେ ପ୍ରଚାର ପ୍ରସାର କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ଼ ନେତୃତ୍ବ ପାଇଁ ଭାରତ ଏବେ ସାରା ବିଶ୍ବରେ ଏବେ ବିଶ୍ବ ଗୁରୁ ଭାବେ ସ୍ଥାନ ହାସଲ କରିଛି । ଆଗାମୀ ଦିନରେ ମୋଦିଙ୍କ ନେତୃତ୍ବରେ ଭାରତ ଆହୁରି ଉନ୍ନତି କରିବ ବୋଲି ପ୍ରବାସୀମାନେ କହିଛନ୍ତି ।
ଲଣ୍ଡନରୁ ଆସିଥିବା ପ୍ରବାସୀ ଭାରତୀୟ ନିଲେସ ଯୋଶୀକହିଛନ୍ତି, "ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଯୋଗ ଦେବା ପାଇଁ ଆମେ ଓଡି଼ଶା ଆସିଛୁ । ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ମୋର ବହୁତ ଇଚ୍ଛା ଥିଲା । ଆଜି ଏହି ସୁଯୋଗ ମିଳିଥିବାରୁ ମୁଁ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଦେଉଛି । ବହୁତ୍ ଭଲ ଭାବରେ ଆମେ ମହାପ୍ରଭୁଙ୍କ ଦର୍ଶନ କଲୁ । ବିଶ୍ଵର ବିଭିନ୍ନ ଜାଗାରେ ଯେଭଳି ହିନ୍ଦୁଙ୍କ ଉପରେ ଆକ୍ରମଣ ହେଉଛି ତାହା ବନ୍ଦ ହେଉ ବୋଲି ମୁଁ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛି । ସବୁ ହିନ୍ଦୁ ଏକଜୁଟ ରହିବା ଉଚିତ୍ । ଆମେ କୋଣାର୍କ ସହିତ ବିଭିନ୍ନ ଦର୍ଶନୀୟ ସ୍ଥାନ ପରିଭ୍ରମଣ କରିବୁ । ଓଡିଶା ବହୁତ୍ ଭଲ । ଆମର ଇଚ୍ଛା ହେଉଛି ଏବେ ସବୁଦିନ ଓଡ଼ିଶାରେ ରହିବା ପାଇଁ । ଆମେ ଲଣ୍ଡନ ଯିବା ପରେ ୟୁକେର ଲୋକଙ୍କୁ ଓଡ଼ିଶାର ପର୍ଯ୍ୟଟନ ନେଇ ଅବଗତ କରାଇବୁ । ଓଡିଶା ବୁଲି ଯିବାକୁ କହିବୁ । ପୁରୀ ବେଳାଭୂମିରେ ଅପରିଷ୍କାର ପରିବେଶ ରହିଛି । ଆମେ ସମସ୍ତେ ଏହାକୁ ସଫା ରଖିବା ଉଚିତ୍ ।"