କଳାହାଣ୍ଡି:ଆଜି ୧୨ ଘଣ୍ଟିଆ କେସିଙ୍ଗା ବନ୍ଦ । ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମନମୁଖୀ ଶାସନ ପ୍ରତିବାଦରେ ଆଜି କେସିଙ୍ଗା ବିକାଶ ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଫଳରେ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ ସମ୍ପର୍ଣ୍ଣ ଯାତାୟତ ମଧ୍ୟ ଠପ୍ ରହିଛି । ସେପଟେ ଏହି ବନ୍ଦ ଡାକରାକୁ ସମସ୍ତ ରାଜନୈତିକ ଓ ବିଭିନ୍ନ ସଂଗଠନ ସମର୍ଥନ ଜଣାଇଛନ୍ତି ।
ବିଗତ ଦୁଇଦିନ ଧରି ଏନଏସି ଅଫିସ୍ ସମ୍ମୁଖରେ ଗଣଧାରାଣା ଦିଆଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ କର୍ଣ୍ଣପାତ ନ କରିବାରୁ ଶେଷରେ ଆଜି ରାଜରାସ୍ତାକୁ ଓହ୍ଲାଇ ବନ୍ଦ ଡାକରା ଦେଇଛନ୍ତି କେସିଙ୍ଗାବାସୀ । କେସିଙ୍ଗା ଏନଏସି ନିର୍ବାହୀ ଅଧିକାରୀଙ୍କ ବଦଳି ଦାବି ହୋଇଛି । ଯଦି ଏନଏସି ନିର୍ବାହୀ ଅଧିକାରୀଙ୍କୁ ବଦଳି ନ କରାଯାଏ, ତେବେ ଆଗାମୀ ଦିନରେ ଭୟାବହ ଆନ୍ଦୋଳନ ହେବ ଏବଂ ଏଥିପାଇଂ ସରକାର ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।
ଆନ୍ଦୋଳନକାରୀଙ୍କ ଅଭିଯୋଗ, " ନିର୍ବାହୀ ଅଧିକାରୀ ମନମୁଖି ନୀତି, ସ୍ୱେଚ୍ଛାଚାରୀ ଶାସନ ଚଳାଇବା ସହ ଲୋକଙ୍କୁ ଦୁଃବ୍ୟବହାର କରୁଛନ୍ତି । ଲୋକେ ଅଭିଯୋଗ କରିବାକୁ ଆସିଲେ ସେ ଶୁଣନ୍ତି ନାହିଁ । ଲୋକଙ୍କ ଫୋନ୍ ବ୍ଲକ କରିଦିଅନ୍ତି । ଏମିତି କି କାଉନସିଲରଙ୍କୁ ବି ସେ ଦୁଃବ୍ୟବହାର କରିବାକୁ ପଛାନ୍ତି ନାହିଁ । ଗତ କିଛି ଦିନ ତଳେ କାଉନସିଲ୍ ମିଟିଂ ସମୟରେ ମଧ୍ୟ କୌଣସି ନିର୍ବାଚିତ ପ୍ରତିନିଧିଙ୍କ କଥା କୁ ନ ଶୁଣି ଓଲଟା ଝଗଡ଼ା କରିଥିଲେ । ଯାହା ଫଳରେ ସମସ୍ତ କାଉନସିଲର ମିଟିଂରୁ ଚାଲି ଯାଇଥିଲେ ।" ଏନେଇ ଅନେକ ଥର ଜନସାଧାରଣ ଓ କାଉନସିଲର ଜିଲ୍ଲାପାଳ ଓ ନଗର ଉନ୍ନୟନ ବିଭାଗ ନିକଟରେ ଅଭିଯୋଗ କରି ଆସିଛନ୍ତି ଲୋକେ ।