ନୂଆଦିଲ୍ଲୀ:ଟି20 ଚମ୍ପିଆନ ଟିମ୍ ଇଣ୍ଡିଆ ଦିଲ୍ଲୀରେ ପହଞ୍ଚିବା ପରେ ଆରମ୍ଭ ହୋଇଯାଇଛି ବିଜୟ ଉତ୍ସବ । ଖେଳାଳିଙ୍କୁ ଦେଖି ଉତ୍ସାହିତ କ୍ରୀଡା ପ୍ରେମୀ । ଧୁମଧାମର ସହ ପ୍ରତି ଖେଳାଳିଙ୍କୁ ସ୍ବାଗତ କରାଯାଇଛି । ଦିଲ୍ଲୀ ବିମାନ ବନ୍ଦର ଠାରୁ ଆରମ୍ଭ କରି ITC ମୌର୍ଯ୍ୟ ହୋଟେଲ ଇଣ୍ଡିଆ... ଇଣ୍ଡିଆ... ନାରାରେ କମ୍ପି ଉଠିଥିଲା । ସ୍ବାଗତ ସମୟରେ ଭାଙ୍ଗଡା ନାଚିଥିଲେ ଅଧିନାୟକ ରୋହିତ ଶର୍ମା । ସେହିପରି ଆଇଟିସି ମୋର୍ଯ୍ୟ ହୋଟେଲରେ ଖେଳାଳି ମାନେ କେକ୍ କାଟିଥିଲେ ।
ଭାଙ୍ଗଡା ନାଚିଲେ ରୋହିତ: ଭାରତୀୟ ଖେଳାଳିଙ୍କୁ ନେଇ ଗତକାଲି ବାର୍ବାଡସରୁ ଉଡାଣ ଭରିଥିଲା ଏୟାର ଇଣ୍ଡିଆ ବିମାନ । ଆଜି ସକାଳ ସମୟରେ ଚମ୍ପିଆନ ଦଳ ଟ୍ରଫି ଧରି ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲା । ହଜାର ହଜାର କ୍ରୀଡାପ୍ରେମୀ ଖେଳାଳି ଓ ଟ୍ରଫି ଦେଖିବାକୁ ବିମାନ ବନ୍ଦରରେ ଭିଡ ଜମାଇଥିଲେ । ଭାରତୀୟ ଖେଳାଳି ବିମାନବନ୍ଦରରୁ ସିଧା ଆଇଟିସି ମୌର୍ଯ୍ୟ ହୋଟେଲକୁ ଏକ ବସ ଯୋଗେ ଯାଇଥିଲେ । ସେଠାରେ ଓହ୍ଲାଇବା ପରେ ଟିମ୍ ଇଣ୍ଡିଆକୁ ଢୋଲ ବାଜାରେ ସ୍ବାଗତ କରାଯାଇଥିଲା । ଏହି ସମୟରେ ରୋହିତ ଶର୍ମା ବସ୍ରୁ ଓହ୍ଲାଇବା ମାତ୍ରେ ଭାଙ୍ଗଡାରେ ନାଚି ଉଠିଥିଲେ । କେବଳ ରୋହିତ ନୁହଁନ୍ତି ପାଣ୍ଡ୍ୟା ମଧ୍ୟ ନାଚିଥିଲେ ।