ରାଜକୋଟ (ଗୁଜୁରାଟ): ଭାରତ ବନାମ ଇଂଲଣ୍ଡ ତୃତୀୟ ଟେଷ୍ଟ ମ୍ୟାଚରେ ରେକର୍ଡ ସୃଷ୍ଟି କଲେ ହିଟମ୍ୟାନ ରୋହିତ ଶର୍ମା । ଏହାସହିତ ସେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ରେକର୍ଡ ଭାଙ୍ଗିଛନ୍ତି । ଗୁଜୁରାଟ ରାଜକୋଟ ସ୍ଥିତ ନିରଞ୍ଜନ ଶାହ ଷ୍ଟାଡିୟମରେ ରୋହିତ ୧୩୧ ରନ୍ କରିଥିବା ବେଳେ ୩ଟି ଛକା ମାରିଥିଲେ । ଏହାସହିତ ଅଧିନାୟକ ରୋହିତ ଟେଷ୍ଟ ମ୍ୟାଚରେ ସର୍ବାଧିକ ଛକା ମାରିବାରେ ଦ୍ବିତୀୟ ଭାରତୀୟ କ୍ରିକେଟର ହୋଇପାରିଛନ୍ତି ।
ଟେଷ୍ଟ ମ୍ୟାଚରେ ସର୍ବାଧିକ ଛକା ମାରିବା ତାଲିକାରେ ପୂର୍ବତନ ଅଧିନାୟକ ଧୋନିଙ୍କୁ ଅତିକ୍ରମ କରିବା ଲାଗି ରୋହିତଙ୍କୁ ୭୯ଟି ଛକା ମାରିବାର ଆବଶ୍ୟକତା ରହିଥିଲା । ଯାହାକୁ ରାଜକୋଟରେ ପୂରଣ କରିଛନ୍ତି ହିଟମ୍ୟାନ । ରାଜକୋଟରେ ଖେଳାଯାଉଥିବା ଆଜିର ମ୍ୟାଚରେ ୪୬ ଓଭରରେ ରୋହିତ ଏହି ରେକର୍ଡ ନିଜ ନାଁରେ କରିଥିଲେ । ଯେତେବେଳେ ଜୋ ରୁଟ୍ ରୋହିତଙ୍କୁ ବଲ୍ ଡେଲିଭର କରିଥିଲେ ସେତେବେଳେ ଲଙ୍ଗ-ଅନ୍ରେ ସଟ୍ ଖେଳି ଛକା ମାରିଥିଲେ । ଏହି ତାଲିକାର ଶୀର୍ଷରେ ରହିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ବିରେନ୍ଦ୍ର ସେହୱାଗ । ସେ ସର୍ବାଧିକ ୯୧ଟି ଛକା ମାରି ଟପ୍ ସିକ୍ସ-ହିଟର୍ ତାଲିକାରେ ରହିଛନ୍ତି ।
ଏହା ବି ପଢନ୍ତୁ- ଭାରତ ବନାମ ଇଂଲଣ୍ଡ ୩ୟ ଟେଷ୍ଟ; ରୋହିତ-ଜାଡେଜାଙ୍କ ଦମଦାର ଶତକ, ପ୍ରଥମ ଦିନରେ ଭାରତ ସ୍କୋର 326/5
ଏହି ତାଲିକାରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୬୯ ଛକା ସହ ଚତୁର୍ଥ ସ୍ଥାନରେ ରହିଛନ୍ତି । ସେହିପରି ଇଣ୍ଡିଆନ ଟିମର ଲିଜେଣ୍ଡାରୀ କ୍ରିକେଟର କପିଳ ଦେବ ୬୧ ଛକା ସହ ଏହି ତାଲିକାର ପଞ୍ଚମ ସ୍ଥାନରେ ରହିଛନ୍ତି । ଖାଲି ସେତିକି ନୁହେଁ, ରୋହିତ ସିକ୍ସ ହିଟର୍ ଭାବେ ଆଉ ଏକ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି । ସେ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚରେ ଅଧିନାୟକ ଭାବେ ସର୍ବାଧିକ ଛକା ମାରିବା ତାଲିକାର ଦ୍ବିତୀୟ ସ୍ଥାନରେ ରହିଛନ୍ତି । ପୂର୍ବରୁ ଏହି ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଥିଲେ ମହେନ୍ଦ୍ର ସିଂ ଧୋନି । ଏବେ ରୋହିତ, ଧୋନିଙ୍କୁ ଅତିକ୍ରମ କରି ୨୧୨ ଛକା ସହ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ଧୋନି ୨୧୧ଛକା ସହ ତୃତୀୟ ସ୍ଥାନରେ ରହିଛନ୍ତି । ଏହି ତାଲିକାର ଶୀର୍ଷରେ ରହିଛନ୍ତି ଇଂଲଣ୍ଡ ଦଳର ପୂର୍ବତନ ଅଧିନାୟକ ଇଆନ ମୋର୍ଗାନ ।