ଚେନ୍ନାଇ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଆରମ୍ଭ ହୋଇଯିବ ବିଶ୍ବର ସବୁଠାରୁ ହାଇପ୍ରୋଫାଇଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲ ସିଜନ 17 । ଆଜି ସନ୍ଧ୍ୟା ପରଠାରୁ ଲଗାତର 2 ମାସ ପର୍ଯ୍ୟନ୍ତ ଷ୍ଟାଡିୟମରେ ହେବ ଛକା ଚଉକାର ବର୍ଷା । ମ୍ୟାଚ ଦେଖିବାକୁ ଷ୍ଟାଡିୟମରେ ଜମିବ ଦର୍ଶକଙ୍କ ଭିଡ । କରତାଳି ସାଙ୍ଗକୁ ହୋହଲ୍ଲାରେ କମ୍ପିବ ଷ୍ଟାଡିୟମ । ଇଣ୍ଡିଆନ ପ୍ରିମିୟର ଲିଗକୁ ଉପଭୋଗ କରିବାକୁ ଚାତକ ପରି ଚାହିଁ ରହିଛନ୍ତି ଦର୍ଶକ । ନିଜ ଫେବରେଟ ଟିମକୁ ସପୋର୍ଟ କରିବାକୁ ସମସ୍ତେ ବ୍ୟଗ୍ର । ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ମଧ୍ୟରେ ହେବ ଉଦଘାଟନି ମୁକାବିଲା । ପ୍ରଥମେ ଉଦଘାଟନି ଉତ୍ସବ ପରେ ରାତି 8ଚାରେ ଆରମ୍ଭ ହେବ ମ୍ୟାଚ ।
ସିଏସକେ ଓ ଆରସିବି ମଧ୍ୟରେ ଫାଇଟ: ଆଜି ସିଏସକେ ଓ ଆରସିବି ଦଳ ମଧ୍ୟରେ ପ୍ରଥମ ମୁକାବିଲା ହେବ । ଧୋନି ଏବଂ କୋହଲି ଦୁହେଁ ନିଜ ନିଜ ଦଳର ନେତୃତ୍ବ ଛାଡି ସାରିଛନ୍ତି । ବର୍ତ୍ତମାନ ଚେନ୍ନାଇର ଅଧିନାୟକ ରହିଛନ୍ତି ଋତୁରାଜ ଗାଏକ୍ବାଡ ଓ ବେଙ୍ଗାଲୁରୁର ଅଧିନାୟକ ରହିଛନ୍ତି ଫାଫ ଡୁପ୍ଲେସିସ । ପ୍ରଥମ ଥର ପାଇଁ ଗାଏକ୍ବାଡଙ୍କ ନେତୃତ୍ବରେ ଆଇପିଏଲ ଖେଳିବାକୁ ଯାଉଛି ସିଏସକେ । ଏହି ଦୁଇ ଦଳ ମଧ୍ୟରେ ଆଜି ଏକ ରୋମାଞ୍ଚକର ମ୍ୟାଚ । ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଦୁଇ ଦଳ ଆଶା ରଖିଛନ୍ତି ।
IPLରେ 5ଥର ଟ୍ରଫି ହାତେଇଛି CSK: ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲରେ 5 ଥର ଟ୍ରଫି ହାତେଇଛି । ଗତ ସିଜିନରେ ମଧ୍ୟ ଦଳ ଫାଇନାଲରେ ଗୁଜୁରାଟକୁ ପରାସ୍ତ କରି ବିଜୟୀ ହୋଇଥିଲା । ତେଣୁ ଚଳିତ ଥର ମଧ୍ୟ ଟ୍ରଫି ହାତେଇବା ଲକ୍ଷ୍ୟରେ ରହିଛି । ଦଳର ବହୁ ଭଲ ଖେଳାଳି ମଧ୍ୟ ରହିଛନ୍ତି । ଉଭୟ ବ୍ୟାଟିଂ ଏ ବୋଲିଂରେ ପ୍ରତିଟି ଖେଳାଳି ଗତ ବର୍ଷ ଭଲ ପ୍ରଦର୍ଶନ କରିଥିଲେ । ତେଣୁ ଚଳିତ ଥର ମଧ୍ୟ ଦଳ ପ୍ରଦର୍ଶନ ଭଲ ରହିବ ବୋଲି ଆଶା ରହିଛି । କିନ୍ତୁ ଅଧିନାୟକତ୍ବ ପରିବର୍ତ୍ତନ ହୋଇଥିବାରୁ ଫ୍ୟାନ୍ସ ସିଏସକେର ପ୍ରଦର୍ଶନକୁ ନେଇ ଟିକିଏ ଚିନ୍ତାରେ ଅଛନ୍ତି । କାହିଁକିନା ପୂର୍ବରୁ ଧୋନିଙ୍କ ବଦଳରେ ଜାଡେଜା ଅଧିନାୟକ ହୋଇଥିଲେ । ସେହି ସମୟରେ ଦଳ ଭଲ ଖେଳିପାରିନଥିଲା । ଋତୁରାଜଙ୍କ ନେତୃତ୍ବ ଉପରେ ଆଜି ସମସ୍ତଙ୍କ ନଜର ରହିବ ।
ଥରୁଟିଏବି ଟ୍ରଫି ହାତେଇନି RCB: ଆଇପିଏଲ ସିଜିନ 17ରରେ ଆସି ପହଞ୍ଚିଲାଣି । କିନ୍ତୁ ଗୋଟିଏ ବି ସିଜିନରେ ବେଙ୍ଗାଲୁରୁ ଦଳ ଟ୍ରଫି ହାତେଇବାରେ ସଫଳ ହୋଇନି । ଲିଗ ମ୍ୟାଚରେ ଭଲ ପ୍ରଦର୍ଶନ କରି ପ୍ଲେ ଅଫକୁ ଯାଇଥିଲେ ମଧ୍ୟ ଫାଇନାଲଠାରୁ ଗୋଟିଏ ପାଦ ପଛରେ ରହିଯାଇଥିଲା RCB । ତେଣୁ ପୂର୍ବ ଭୁଲକୁ ସୁଧାରି ଚଳିତ ସିଜିନରେ ଦଳ ଟ୍ରଫି ହାତେଇବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ।