ଅହମ୍ମଦାବାଦ:ଘରୋଇ ଗ୍ରାଉଣ୍ଡରେ ଶୁବମନ ଗିଲ ଓ ସାଇ ସୁଦର୍ଶନଙ୍କ ସୋ । ଦୁଇ ଓପନରଙ୍କ ଶତକୀୟ ପାଳି ଓ ମୋହିତ ଶର୍ମାଙ୍କ ଘାତକ ବୋଲିଂ ଯୋଗୁଁ ଉଜ୍ଜୀବିତ ହେଲା ଗୁଗୁରାଟର ପ୍ଲେ ଅଫ ଆଶା । ଆଇପିଏଲର 59ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସକୁ 35 ରନରେ ହରାଇଛି ଗୁଜୁରାଟ । 10 ପଏଣ୍ଟ ସହ ପଏଣ୍ଟ ଟେବୁଲର ଅଷ୍ଟମ ସ୍ଥାନକୁ ଉଠିଲା ଗିଲ ବାହିନୀ । ଚଳିତ ଆଇପିଏଲରେ ଷଷ୍ଠ ପରାଜୟ ସହ ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନ ବଜାୟ ରଖିଛି ଋତୁରାଜ ବାହିନୀ ।
ଗିଲ-ସାଇଙ୍କ ଧୂଆଁଧାର ଶତକ:ଶୁକ୍ରବାର ସନ୍ଧ୍ୟା 7ଟା 30ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜୁରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିଲା । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଚେନ୍ନାଇ । ଫଳରେ ପ୍ରଥମେ ବ୍ୟାଟିଂ କରିଥିଲା ଗୁଜୁରାଟ । ଆରମ୍ଭରୁ ଦୁଇ ଓପନର ଶୁବମନ ଗିଲ ଓ ସାଇ ସୁଦର୍ଶନ ଜଗିରଖି ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଏହି ଦୁଇ ବ୍ୟାଟରଙ୍କ ସାମ୍ନାରେ ଚାଲିନଥିଲା ଚେନ୍ନାଇ ବୋଲରଙ୍କ ଯାଦୁ । ଦୀପକ, ମଥିଶା ଓ ମୁସ୍ତାଫିଜୁଙ୍କ ପରି ଘାତକ ବୋଲରଙ୍କ ବଲକୁ ଲମ୍ବା ଲମ୍ବା ସଟ ମାରି ବାଉଣ୍ଡୁରି ବାହାର କରିଥିଲେ ଗିଲ ଓ ସାଇ । ଶୁବମନ 55 ବଲରେ 104 ଓ ସାଇ 51 ବଲରେ 103 ରନ କରି ଆଉଟ ହୋଇଥିଲେ । ଦଳୀୟ ସ୍କୋର 210 ହୋଇଥିବା ବେଳେ ପ୍ରଥମ ଓ୍ବିକେଟ ପଡିଥିଲା । 20 ଓଭରରେ 3 ଓ୍ବିକେଟ ହରାଇ 231 ରନ କରିଥିଲା ଗୁଜୁରାଟ ।