ହାଇଦ୍ରାବାଦ:ବର୍ଡର ଗାଭାସ୍କର ଟ୍ରଫିର ଅନ୍ତିମ ମ୍ୟାଚ ଆସନ୍ତାକାଲି ଖେଳାଯିବ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଏହା ଶେଷ ମ୍ୟାଚ । ଯଦି ଭାରତ ଏହି ମ୍ୟାଚ ଜିତେ ତେବେ ସିରିଜ ବରାବର ରହିବ, ଯଦି ଅଷ୍ଟ୍ରେ୍ଲିଆ ବିଜୟୀ ହୁଏ ତେବେ ସିରିଜ ବିଜୟ ସହ କଙ୍ଗାରୁ ଦଳ ସିଧା WTC ଫାଇନାଲରେ ପହଞ୍ଚିବ । ମ୍ୟାଚର ଫଳାଫଳ ଉପରେ ଭାରତ ଡବ୍ଲୁଟିସି ଫାଇନାଲ ରେସରେ ରହିବ ନା ନାହିଁ ତାହା ସ୍ପଷ୍ଟ ହେବ । ସମ୍ମାନ ବଞ୍ଚାଇବା ପାଇଁ ଜୋରଦାର ପ୍ରୟାସ କରିବ ଟିମ୍ ଇଣ୍ଡିଆ ।
ସିଡନୀ ଗ୍ରାଉଣ୍ଡରେ ଶୁକ୍ରବାର ସକାଳ ୫ଟା ସମୟରେ ମ୍ୟାଚ ଆରମ୍ଭ ହେବ । 4ଟା 30 ମିନିଟରେ ଟସ୍ ପଡ଼ିବ । ଷ୍ଟାର ସ୍ପୋର୍ଟ୍ସ ଚ୍ୟାନେଲରେ ଏହାର ସିଧାପ୍ରସାରଣ ହେବ । ଦୁଇ ଦଳ ପାଇଁ ଏହି ମ୍ୟାଚ ଗୁରୁତ୍ବପୂର୍ଣ୍ଣ । ୫ଟିକିଆ ଟେଷ୍ଟ ସରିଜର ପ୍ରଥମ ୪ଟି ମ୍ୟାଚ ଶେଷ ହୋଇଥିବା ବେଳେ, ବର୍ତ୍ତମାନ ସୁଦ୍ଧା ଅଷ୍ଟ୍ରେଲିଆ 2-1ରେ ଆଗୁଆ ରହିଛି ।
ବର୍ଷା ସାଜିପାରେ ବାଧକ:
ପଞ୍ଚମ ତଥା ଚୂଡ଼ାନ୍ତ ଟେଷ୍ଟ ମ୍ୟାଚ ପାଇଁ ସିଡନୀ କ୍ରିକେଟ ଗ୍ରାଉଣ୍ଡ ପ୍ରସ୍ତୁତ । ଦୁଇ ଦଳ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟ ତୟାର । ତେବେ ସିଡନୀରେ ବର୍ଷା ବାଧକ ସାଜିବାର ଆଶଙ୍କା ରହିଛି । ପାଣିପାଗ ପୂର୍ବ ଆକଳନ ଅନୁସାରେ ମ୍ୟାଚର ପ୍ରଥମ ଦିନରେ କାଉଁଳିଆ ପାଗ ସହ ବର୍ଷା ହେବାର ୨୫ ପ୍ରତିଶତ ସମ୍ଭାବନା ରହିଛି । ସେହିପରି ମ୍ୟାଚର ଶେଷ ଦୁଇ ଦିନ ଅର୍ଥାତ ଚତୁର୍ଥ ଏବଂ ପଞ୍ଚମ ଦିନରେ ବର୍ଷା ହେବାର ଆଶଙ୍କା ମଧ୍ୟ ରହିଛି । ତେବେ ପାଣିପାଗକୁ ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ ।
ଶେଷ ମ୍ୟାଚ ଖେଳିବେନି ଆକାଶଦୀପ:
ଶେଷ ଟେଷ୍ଟ ପାଇଁ କଙ୍ଗାରୁ ଦଳ ଏକାଦଶ ଘୋଷଣା କରିଥିବା ବେଳେ ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ସ୍ପଷ୍ଟ କରି ନାହିଁ । ଆଶା କରାଯାଉଛି ଏକାଦଶରେ ବଡ ପରିବର୍ତ୍ତନ ହୋଇପାରେ । କାହିଁକି ନା ଦଳର ବ୍ୟାଟିଂ ବିଭାଗ ପୂର୍ବ ମ୍ୟାଚରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ । ଯେଉଁ କାରଣରୁ ମେଲବର୍ଣ୍ଣ ଟେଷ୍ଟରେ ହାରିଥିଲା ଭାରତ । ତେଣୁ ପୂର୍ବ ଭୁଲକୁ ସୁଧାରି ପୁଣି ପଡିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ରୋହିତ ବାହିନୀ । ମ୍ୟାଚ ପୂର୍ବରୁ ଭାରତୀୟ ଦଳ ପାଇଁ ଅଶୁଭ ଖବର । ଶେଷ ମ୍ୟାଚରେ ଉପସ୍ଥିତ ରହିବେନି ଦ୍ରୁତ ବୋଲର ଆକାଶଦୀପ । ତାଙ୍କ ପିଠିରେ ଯନ୍ତ୍ରଣା କାରଣରୁ ସେ ମ୍ୟାଚ ଖେଳିବେ ନାହିଁ ବୋଲି ମୁଖ୍ୟ କୋଚ ଗୌତମ ଗମ୍ଭୀର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଫର୍ମକୁ ଫେରିବେ କି ରୋହିତ-ବିରାଟ-ଋଷଭ ?
ଗତ ଦୁଇଟି ମ୍ୟାଚରେ ରୋହିତ ଶର୍ମା, ବିରାଟ କୋହଲି ଏବଂ ଋଷଭ ପନ୍ଥଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ରୋହିତ 4ଟି ମ୍ୟାଚ ଖେଳି ମାତ୍ର 31 ରନ କରିଛନ୍ତି । ବିରାଟ ପ୍ରଥମ ମ୍ୟାଚରେ ଶତକ କରିଥିବା ବେଳେ ବାକି ୩ଟିରେ ଆଶା ଅନୁଯାୟୀ ଖେଳାନାହାନ୍ତି । ଯେଉଁଥିପାଇଁ ଦଳର ପ୍ରଦର୍ଶନ ଭଲ ହେଲା ନାହିଁ ବୋଲି ସମାଲୋଚନା କରାଯାଉଛି । ସେହିପରି ଋଷଭ ମଧ୍ୟ ମେଲବର୍ଣ୍ଣରେ ଭଲ ସର୍ଟ ଖେଳିପାରି ନଥିଲେ । ଯେଉଁ ସମୟରେ ତାଙ୍କ ବ୍ୟାଟରୁ ରନ ଆସିବା ନେଇ ଆଶା କରାଯାଉଥିଲା ସେ ସମୟରେ ସେ ଆଉଟ ହୋଇଯାଇଥିଲେ । ତେବେ ଅନ୍ତିମ ମ୍ୟାଚରେ ତାଙ୍କୁ ଦଳରେ ସ୍ଥାନ ମିଳୁଛି ନା ନାହିଁ ତାହା ପରେ ସ୍ପଷ୍ଟ ହେବ । ଘରୋଇ ଦଳ ଶେଷ ଟେଷ୍ଟ ମ୍ୟାଚ ପାଇଁ ଏକାଦଶ ଘୋଷଣା କରିସାରିଥିବା ବେଳେ ମେନ ଇନ ବ୍ଲୁ ଆସନ୍ତାକାଲି କରିବ ।