ନୂଆଦିଲ୍ଲୀ: ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (AIFF) କାର୍ଯ୍ୟକାରୀ କମିଟି ସଦସ୍ୟ ଦୀପକ ଶର୍ମା ଗିରଫ । ଦୁଇ ମହିଳା ଫୁଟବୁଲ ଖେଳାଳିଙ୍କୁ ଶାରୀରିକ ନିର୍ଯାତନା ଅଭିଯୋଗରେ ଦୀପକ ଶର୍ମାଙ୍କୁ ଗିରଫ କରିଛି ଗୋଆ ପୋଲିସ । ଏହି ଘଟଣାରେ ଏକ ତିନି ଜଣିଆ ଟିମ ତଦନ୍ତ କରିଥିବା ବେଳେ ଫୁଟବଲ ସମ୍ପର୍କୀୟ କାର୍ଯ୍ୟକଳାପରୁ ଦୂରେଇ ରହିବାକୁ ଦୀପକଙ୍କୁ କହିଛି ଏଆଇଏଫଏଫ ।
ଗୋଆରେ ଫୁଟବଲ ମ୍ୟାଚ ଚାଲିଥିବା ବେଳେ ଥାନାକୁ ଯାଇ ଦୀପକଙ୍କ ବିରୋଧରେ ଅଭିଯୋଗ କରିଥିଲେ ଦୁଇ ମହିଳା ଫୁଟବଲ ଖେଳାଳି । ହିମାଚଳ ପ୍ରଦେଶର ଖାଦ ଏଫସି ଦଳର ଦୁଇ ମହିଳା ଫୁଟବଲ ଖେଳାଳି ଗୋଆରେ ଚାଲିଥିବା ଭାରତୀୟ ମହିଳା ଫୁଟବଲ୍ (IWL) ଲିଗ୍ ଦ୍ୱିତୀୟ ଭାଗରେ ଅଂଶଗ୍ରହଣ କରିଥିଲେ । କ୍ଲବର ମାଲିକ ଦୀପକ ଶର୍ମା ମାର୍ଚ୍ଚ 28 ତାରିଖ ରାତିରେ ସେମାନଙ୍କ ରମରେ ପ୍ରବେଶ କରି ଦୁଇ ମହିଳା ଖେଳାଳିଙ୍କୁ ଶାରୀରିକ ନିର୍ଯାତନା ଦେଇଥିବା ସେମାନେ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି ।
ଏହା ମଧ୍ୟ ପଢନ୍ତୁ-ପ୍ରେମ ପରେ ପ୍ରତାରଣା: ହକି ତାରକାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ମହିଳା ଭଲିବଲ ଖେଳାଳୀ, ଥାନାରେ ମାମଲା
ଏହି ଘଟଣାରେ ଡେପୁଟି ପୋଲିସ୍ ଅଧୀକ୍ଷକ ସନ୍ଦେଶ ଚୋଦାନକର କହିଛନ୍ତ, "ଏଆଇଏଫ୍ଏଫ୍ କାର୍ଯ୍ୟକାରୀ କମିଟି ସଦସ୍ୟ ଦୀପକ ଶର୍ମାଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ପଚରାଉଚରା ପାଇଁ ତାଙ୍କୁ ଥାନାକୁ ଡକାଯାଇଥିଲା । ଏହପରେ ମାପୁସା ପୋଲିସ ତାଙ୍କୁ ଗିରଫ କରିଥିଲା ।'' ମାପୁସା ପୋଲିସ ଷ୍ଟେସନ ଇନ୍ସପେକ୍ଟର ସୀତାକାନ୍ତ ନାୟକ କହିଛନ୍ତି, ''ଗୋଟିଏ ରାତି ପାଇଁ ସେ ଜେଲରେ ରହିବେ ଏବଂ ରବିବାର କୋର୍ଟରେ ତାଙ୍କୁ ହାଜର କରାଯିବ ।''
ଗୋଆ ଫୁଟବଲ ଆସୋସିଏନ ଅଧ୍ୟକ୍ଷ କେଟାନୋ ଫର୍ଣ୍ଣାଣ୍ଡିସ୍ ଗଣମାଧ୍ୟମକୁ କହିଛନ୍ତି, '' ଥାନାରେ ଅଭିଯୋଗ କରିବା ପାଇଁ ଦୁଇ ପୀଡିତା ମହିଳାଙ୍କୁ ଆସୋସିଏନ ପକ୍ଷରୁ ସାହାଯ୍ୟ କରାଯାଇଥିଲା । ଶର୍ମା ମଧ୍ୟ ହିମାଚଳ ପ୍ରଦେଶ ଫୁଟବଲ ଆସୋସିଏସନର ସେକ୍ରେଟେରୀ ଜେନେରାଲ ଅଛନ୍ତି। ''
ଏହା ମଧ୍ୟ ପଢନ୍ତୁ-ଭଙ୍ଗା କୁଡ଼ିଆରୁ ଭାରତୀୟ ହକି ଦଳ; ଜ୍ୟୋତି ଛେତ୍ରୀଙ୍କ ସଂଘର୍ଷର କାହାଣୀ
ଦୁଇ ମହିଳା ଖେଳାଳିଙ୍କୁ ଶାରୀରିକ ନିର୍ଯାତନା ଅଭିଯୋଗ ଆସିବା ପରେ ଏହା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ଦୀପକ ଶର୍ମାଙ୍କୁ ପୋଲିସ ଗିରଫ କରିଥିଲା । ଦୀପକଙ୍କୁ ଫୁଟବଲ ସମ୍ପର୍କୀୟ କାର୍ଯ୍ୟ କଳାପରୁ ଦୂରେଇ ରହିବାକୁ ଏଆଇଏଫଏଫ ନିର୍ଦ୍ଦେଶ ଦେଇଛି ।