ଭୁବନେଶ୍ବର:ରାଜଧାନୀରେ ଗର୍ଜିଲା ଏବିଭିପି । ମାଟ୍ରିକ ପ୍ରଶ୍ନପତ୍ର ଲିକ ଘଟଣାକୁ କେନ୍ଦ୍ର କରି ଆଜି (ରବିବାର) ଦିନ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ସରକାରୀ ବାସଭବନ ସମ୍ମୁଖରେ ଏବିଭିପି ଛାତ୍ର ସଂଗଠନର ବିକ୍ଷୋଭ ପ୍ରଦର୍ଶନ । ଏବିଭିପି ଅଭିଯୋଗ କରିଛି ଦୀର୍ଘ ୨୪ ବର୍ଷ ଧରି ବିଜେଡି ସରକାର ଶାସନ କରୁଥିବା ବେଳେ ବିଗତ ୬ ବର୍ଷ ଧରି ଲଗାତାର ପ୍ରଶ୍ନପତ୍ର ଲିକ ହେଉଛି । ପରୀକ୍ଷା ପାଇଁ ଏତେ ସୁରକ୍ଷା ଓ ପୂର୍ବ ପ୍ରସ୍ତୁତି କାମ ଦେଉନାହିଁ । ଏ ନେଇ ଏବିଭିପି ଗଣଶିକ୍ଷା ମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ।
ସୂଚନା ଅନୁଯାୟୀ, ମାଟ୍ରିକ ପରୀକ୍ଷା ବିଭ୍ରାଟକୁ ନେଇ ତେଜିବାକୁ ଲାଗିଲାନି ରାଜନୀତି । ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଏବିଭିପି । ଏନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହ ଗଣଶିକ୍ଷା ମନ୍ତ୍ରୀଙ୍କ ସରକାରୀ ବାସଭବନ ସମ୍ମୁଖରେ ପ୍ରତିବାଦ କରିଛି । ଏବିଭିପି ଅଭିଯୋଗ କରିଛି ପ୍ରତ୍ୟେକ ବର୍ଷ ସମୟ ଆଗରୁ ପ୍ରଶ୍ନ ପତ୍ର ଖୋଲା ଯାଉଛି । ପରୀକ୍ଷା ହଲରେ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ଦିଆଯାଉଛି । ହେଲେ ପରୀକ୍ଷା ପୂର୍ବରୁ ପ୍ରଶ୍ନ ପତ୍ର ଲିକକୁ ନେଇ ଶାସକ ଦଳର ହାତ ରହିଛି ।
ସେହିପରି ମାଟ୍ରିକ ପରୀକ୍ଷା ପ୍ରଶ୍ନ ପତ୍ର ଲିକ ଘଟଣାକୁ ଦୁଇ ଦିନ ହେଲାଣି କିନ୍ତୁ ଆଜି ଯାଏଁ ଗଣଶିକ୍ଷା ମନ୍ତ୍ରୀ ଚୁପ ହୋଇ ବସି ରହିଛନ୍ତି । ତେଣୁ ଯଥାଶୀଘ୍ର ଏହାକୁ ନେଇ କୌଣସି ପଦକ୍ଷେପ ଗ୍ରହଣ ନ କଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛି ଏବିଭିପି । ଏହାସହ ଗଣଶିକ୍ଷା ମନ୍ତ୍ରୀ ବାସଭବନ ସମ୍ମୁଖରେ ବିଭିନ୍ନ ନାରାବାଜି କରିବା ସହ ଧସେଇ ପସିବାକୁ ଉଦ୍ୟମ କରିଥିଲେ ଆନ୍ଦୋଳନକାରୀ ।