ଭୁବନେଶ୍ବର: ଓଡ଼ିଶା ରାଜଭବନ ଝାଡ଼ଖଣ୍ଡ ନିର୍ବାଚନ ୱାର ରୁମ ସାଜିଥିବା ଅଭିଯୋଗ ଆଣିଛି ବିଜେଡି । ବିଜେଡିର ଅଭିଯୋଗକୁ ଆଜି ସମର୍ଥନ କରିଛି କଂଗ୍ରେସ । ଫଳରେ ଓଡିଶା ରାଜଭବନ ରାଜନୈତିକ ପଶାପାଲିରେ ଛନ୍ଦି ହୋଇପଡିଛି । ଯାହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିରୋଧୀ କଂଗ୍ରେସ, ବିଜେଡି ଓ ଶାସକ ବିଜେପି ।
ଓଡ଼ିଶାରେ ଝାଡ଼ଖଣ୍ଡ ନିର୍ବାଚନ ତାତି:
କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି,"କୌଣସି ରାଜ୍ୟର ରାଜଭବନରେ ଏପରି ହେବା କଥା ନୁହେଁ । ଝାଡ଼ଖଣ୍ଡ ନିର୍ବାଚନ କାର୍ଯ୍ୟ ଓଡିଶା ରାଜଭବନରେ ହେଉଥିବା ଘଟଣା ଦୁଃଖଦାୟକ । ଏଭଳି ହେବା ଉଚିତ୍ ନୁହେଁ । ଦଳ ରଣନୀତି ପ୍ରସ୍ତୁତ କରେ । ରାଜ୍ୟପାଳ ସେ କାର୍ଯ୍ୟରେ ସାମିଲ ହେବା ଉଚିତ ନୁହେଁ । ରାଜ୍ୟପାଳ ଦଳରୁ ଊର୍ଦ୍ଧ୍ବରେ ରହିବା କଥା । ରାଜ୍ୟପାଳ ପଦ ଏକ ସାମ୍ବିଧାନିକ ଓ ସମ୍ମାନିତ ପଦବୀ । କୌଣସି ଦଳୀୟ କାର୍ଯ୍ୟ ରାଜଭବନରେ ହେବା କଥା ନୁହେଁ । ଏହା ଆଇନ ବିରୁଦ୍ଧ ଆଚରଣ । କଂଗ୍ରେସ ଏହାକୁ ବିରୋଧ କରୁଛି । କୌଣସି ରାଜନୈତିକ କାର୍ଯ୍ୟ ରାଜଭବନରେ ହେବାକୁ ଆମେ ବିରୋଧ କରୁଛୁ । ରାଜ୍ୟପାଳଙ୍କ ପୁଅ ଏଏସଓଙ୍କୁ ମାଡ଼ ମରା ଘଟଣାରେ ସରକାର ତଦନ୍ତ କରୁଥିଲେ । ଆଜି ପର୍ଯ୍ୟନ୍ତ ଏହା ପ୍ରକାଶ ହୋଇନାହିଁ ।"
'ରାଜଭବନ ବିଜେପିର କଣ୍ଟ୍ରୋଲ ରୁମ':
ବିଜେଡି ବିଧାୟକ ପ୍ରଦୀପ ଦିସାରୀ କହିଛନ୍ତି,"ତଥ୍ୟ ନଥାଇ ବିଜେଡି କୌଣସି ପ୍ରସଙ୍ଗ ଉଠାଏ ନାହିଁ । ବିଜେଡି ପ୍ରସଙ୍ଗ ଉଠାଇବା ପରେ କଂଗ୍ରେସ ଏହାକୁ ସମର୍ଥନ କରିଛି । ଯାହା ଅଭିଯୋଗ ହୋଇଛି ତାହା ନିରାଟ ସତ୍ୟ କଥା । ରାଜ୍ୟପାଳ ନିଜର ପଦ ମର୍ଯ୍ୟାଦା ରଖିବା କଥା । ସେ ଗୋଟେ ସାମ୍ବିଧାନିକ ପଦରେ ଅଛନ୍ତି । ତାହା ନକରି ସେ ବିଜେପିର ମୁରବି ଭାବେ କାର୍ଯ୍ୟ କରୁଛନ୍ତି । ଏହା ନିହାତି ଭାବେ ନିନ୍ଦନୀୟ କାର୍ଯ୍ୟ । ରାଜଭବନ ରାଜନୈତିକ କାର୍ଯ୍ୟାଳୟ ସାଜିଛି । ଝାଡଖଣ୍ଡ ବିଜେପିର ସମସ୍ତ ପ୍ରସଙ୍ଗ ସେଇଠି ଆଲୋଚନା ହେଉଛି । ରାଜଭବନ ବିଜେପିର କଣ୍ଟ୍ରୋଲ ରୁମ ଭାବେ କାର୍ଯ୍ୟ କରୁଛି ।"