ଭୁବନେଶ୍ବର:ଜୁନ ୧ ତାରିଖରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ । ଆଜି ପ୍ରଚାର ଶେଷ ହୋଇଥିବାବେଳେ ଲଗାତାର ଆରୋପ ପ୍ରତ୍ୟାରୋପକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଥିଲା । କେତେବେଳେ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ ଥିବା କଥା କହିଥିଲେ ତ ଆଉ କେତେବେଳେ ଖୋଦ୍ ନବୀନ କରିଥିଲେ କାଉଣ୍ଟର । ଆଉ ଆଜି ଧର୍ମେନ୍ଦ୍ର ପ୍ରଧାନ ଦେଇଛନ୍ତି ବିସ୍ଫୋରକ ମନ୍ତବ୍ୟ । ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇଛନ୍ତି ସମ୍ବଲପୁର ଲୋକସଭା ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏଥର ସେ ନବୀନଙ୍କ ସ୍ବାସ୍ଥ୍ୟବସ୍ଥା ନୁହେଁ, ବରଂ ନବୀନ ନିବାସ ବିଷୟରେ ସାଙ୍ଘାତିକ ତଥ୍ୟ କଥା କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କ ରୁମରେ ଟେଲିଫୋନ କନେକ୍ସନ ନାହିଁ । ଏପରିକି ନବୀନଙ୍କ ରୁମରେ ଯଦିଓ ଟିଭି ଅଛି ସେଥିରେ କୌଣସି ଓଡ଼ିଆ ଚ୍ୟାନେଲ ଆସୁନାହିଁ । କେବଳ ଇଂରାଜୀ ନ୍ୟୁଜ ଚ୍ୟାନେଲ ଦିଆଯାଇ ଓଡ଼ିଆ ଚ୍ୟାନେଲ ସବୁକୁ କଟାଯାଇଛି ।" ଖାଲି ସେତିକି ନୁହେଁ, "ସମାନ ଢଙ୍ଗରେ କଂଗ୍ରେସକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି ଧର୍ମେନ୍ଦ୍ର । ଧର୍ମେନ୍ଦ୍ର ରାହୁଲଙ୍କୁ ମଧ୍ୟ ଟାର୍ଗେଟ୍ କରିବା ସହ "ରାହୁଲଙ୍କୁ ମୋଦି ଫୋବିଆ" ହୋଇଛି ବୋଲି କହିଛନ୍ତି । ରାଜ୍ୟରେ ବିଜେଡି ବିଜେପି ମିଶି ଖଣି ଲୁଟ୍ କରିଥିବା କହିଥିଲେ ରାହୁଲ । ଯାହାକୁ ନେଇ ଧର୍ମେନ୍ଦ୍ର କହିଛନ୍ତି, "ରାହୁଲ ଯାହା ପାଇଁ ପ୍ରଚାରରେ ଆସିଥିଲେ ସେ ନିଜେ ଖଣି ମାଫିଆ । ଓଡ଼ିଶାରେ କଂଗ୍ରେସ ନବୀନଙ୍କ ପକେଟରେ ଅଛି । କଂଗ୍ରେସର ଟିକଟ ସବୁ ନବୀନ ହିଁ ବାଣ୍ଟିଛନ୍ତି । ବିଜେଡିର ନିର୍ଦ୍ଦେଶରେ କଂଗ୍ରେସ ବାରମ୍ବାର ପ୍ରାର୍ଥୀ ବଦଳାଇଛି ।"