କୋଲକାତା:ଆଜି ଗୋଟିଏ ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ସମସ୍ତ 42 ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ (ଟିଏମସି) । କଂଗ୍ରେସ ସହ ମେଣ୍ଟ କରିବାକୁ ମନା କରିଥିବା ଟିଏମସି ମାତ୍ର ଗୋଟିଏ ପର୍ଯ୍ୟାୟରେ ରାଜ୍ୟ ସମସ୍ତ ଆସନରେ ପ୍ରାର୍ଥୀ ଦେଇଛି । ଆଜି କୋଲକାତାରେ ଏକ ବିଶାଳ ଜନସଭା ଆୟୋଜନ କରି ମୁଖ୍ୟମନ୍ତ୍ରୀ ତଥା ପାର୍ଟି ସୁପ୍ରିମୋ ମମତା ବାନାର୍ଜୀ ଏହି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । କାର୍ଯ୍ୟକ୍ରମରେ ଟିକେଟ ପାଇଥିବା ସମସ୍ତ ପ୍ରାର୍ଥୀ ଓ ତମାମ ଦଳୀୟ ନେତା ଉପସ୍ଥିତ ଥିଲେ ।
ଏଥର ନୂଆ ମୁହଁ ଭାବେ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ୟୁସୁଫ ପଠାନଙ୍କୁ ଦଳ ବରହମପୁର ଆସନରୁ ଟିକେଟ ଦେଇଛି । ଚର୍ଚ୍ଚିତ ଅଭିନେତ୍ରୀ ରଚନା ବାନାର୍ଜୀ ମଧ୍ୟ ଟିଏମସି ଟିକେଟରେ ନିର୍ବାଚନୀ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ଦଳ ରଚନାଙ୍କୁ ହୁଗୁଳି ସଂସଦୀୟ କ୍ଷେତ୍ରରୁ ନିର୍ବାଚନୀ ମୈଦାନକୁ ଓହ୍ଲାଇଛି । ସେହିପରି ଦଳର ଚର୍ଚ୍ଚିତ ଓ ବିବାଦୀୟ ନେତ୍ରୀ ମହୁଆ ମୋଇତ୍ରା କ୍ରିଷ୍ଣାନଗର ଆସନରୁ ନିର୍ବାଚନ ଲଢିବେ । ଦଳର ଅନ୍ୟତମ ବରିଷ୍ଠ ନେତା ପ୍ର.ସୌଗତ ରାୟ ନିଜ ପାରମ୍ପରିକ ଆସନ ଦମଦମରୁ ଟିକେଟ ପାଇଛନ୍ତି । ଅନ୍ୟପଟେ ପୂର୍ବରୁ ସାଂସଦ ଥିବା ଅଭିନେତ୍ରୀ ନସୁରତ ଜାହାଁଙ୍କୁ ଦଳ ଏଥର ନିର୍ବାଚନରୁ ଅବ୍ୟାହତି ଦେଇଛି ।
ତେବେ ପ୍ରଥମରୁ କଂଗ୍ରେସ ସହ ଆସନ ବୁଝାମଣା ନେଇ ଟିଏମସିର ବିବାଦ ରହିଥିଲା । ଦଳ ଏକା ସମସ୍ତ ଆସନରେ ନିର୍ବାଚନ ଲଢିବା ବୋଲି କହିସାରିଥିଲେ ସୁଦ୍ଧା କଂଗ୍ରେସ ଡ୍ୟାମେଜ କଣ୍ଟ୍ରୋଲ ପାଇଁ ସମସ୍ତ ପ୍ରୟାସ ଜାରି ରଖିଥିଲା । କୌଣସି ଅନୁପାତରେ ଆସନ ଭାଗବଣ୍ଟା ଛିଡିବା ନେଇ ଆଶା କରାଯାଉଥିଲେ ସୁଦ୍ଧା ଏହି ସବୁ ସମ୍ଭାବନାରେ ଆଜି ଦିଦି ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଟ୍ବିଟ କରି ଟିଏମସିକୁ ପରୋକ୍ଷ ସମାଲୋଚନା କରିଛନ୍ତି । କଂଗ୍ରେସ ରାଜ୍ୟରେ ଆସନ ବୁଝାମଣା ମାଧ୍ୟମରେ ନିର୍ବାଚନ ଲଢିବା ନେଇ ଇଚ୍ଛା ବ୍ୟକ୍ତ କରିଥିଲା । କଥାବାର୍ତ୍ତା ମାଧ୍ୟମରେ ଆସନ ବୁଝାମଣା ହେବା ଉଚିତ, ଏକତରଫା ନୁହେଁ । କଂଗ୍ରେସ ସର୍ବଦା ଇଣ୍ଡିଆ ମେଣ୍ଟ ଏକଜୁଟ ହୋଇ ବିଜେପି ବିରୋଧରେ ଲଢୁ ବୋଲି କହିଆସିଥିବା ଜୟରାମ ରମେଶ କହିଛନ୍ତି ।