ରାଉରକେଲା/ସୁନ୍ଦରଗଡ଼:ନିଜ 5 ବର୍ଷର ରିପୋର୍ଟ କାର୍ଡ ଦେଲେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ । ସୁନ୍ଦରଗଡ଼ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁସୁମ ଟେଟେ 5 ବର୍ଷର ବିସ୍ତୃତ ରିପୋର୍ଟ ଉପସ୍ଥାପନ କରିଛନ୍ତି । ତାଙ୍କ କାର୍ଯ୍ୟକାଳର ସଫଳତା ଏବଂ ବିଫଳତା ଉପରେ ଆଲୋକପାତ କରିଛନ୍ତି । କୋଭିଡ ମହାମାରୀ ଯୋଗୁ ପ୍ରଥମ ଦୁଇ ବର୍ଷ ପାଇଁ ବିଧାୟକ ପାଣ୍ଠି ଅଟକି ଯାଇଥିବା ସତ୍ତ୍ୱେ ବାଧାବିଘ୍ନକୁ ସ୍ୱୀକାର କରି ଲୋକଙ୍କ ପାଇଁ କାର୍ଯ୍ୟ କରିଥିବା କହିଛନ୍ତି କୁସୁମ ଟେଟେ । ତେବେ କୁସୁମ ଟେଟେ ମିଡିଆକୁ କହିଛନ୍ତି, "ମହାମାରୀର ସମୟରେ ବନବାସୀ କଲ୍ୟାଣ ଆଶ୍ରମ ମେଡିକାଲ କଲେଜ ବାହାରେ ରୋଗୀ ଏବଂ ସେମାନଙ୍କ ପରିବାରକୁ ଖାଦ୍ୟ ବଣ୍ଟନ କରିଥିଲୁ । ରିଲିଫ୍ ପ୍ରଦାନ ସହ ଆବଶ୍ୟକ ସହାୟତା ପ୍ରଦାନ କରିଛୁ ।"
ସେ ଆହୁରି କହିଛନ୍ତି, "ଗ୍ରାମ ଏବଂ ବସ୍ତିରେ ଥିବା ଆର୍ଥିକ ଅନଗ୍ରସର ଲୋକଙ୍କ ନିକଟରେ ଶୁଖିଲା ଖାଦ୍ୟ କିଭଳି ପହଞ୍ଚିବ, ଯାହାଦ୍ୱାରା ଅସହାୟ ଲୋକମାନଙ୍କର ଆବଶ୍ୟକତା ତୁରନ୍ତ ପୂରଣ ହୋଇପାରିବ ସେନେଇ କାର୍ଯ୍ୟ କରାଯାଇଥିଲା । ଲୋକଙ୍କ ଦୀର୍ଘ ଦିନର ଦାବି ପୂରଣ କରାଯାଇଛି । ହେମଗିରି ଅଞ୍ଚଳରେ ଯୋଗାଯୋଗ ଆବଶ୍ୟକତାକୁ ପୂରଣ କରି ବାଲିଙ୍ଗା- ତପରିଆ ରାସ୍ତା ନିର୍ମାଣ କାର୍ଯ୍ୟକୁ ସଫଳତାର ସହ ସମ୍ପୂର୍ଣ୍ଣ କରାଯାଇଛି । ଏହାବ୍ୟତୀତ ପ୍ରତିଛକରେ ହାଇ ମାଷ୍ଟ ଲାଇଟ୍ ଲଗାଯାଇଛି । ଏହସହ କମ୍ୟୁନିଟି ସେଣ୍ଟର, 250 ଟି ଗୋଷ୍ଠୀ କେନ୍ଦ୍ର ଏବଂ 190 ଟି ଖୋଲା ମଣ୍ଡପ, ତସଲାଡିହିରେ ଏକ ମିନି ଷ୍ଟାଡିୟମ ପ୍ରତିଷ୍ଠା ସହିତ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ଶେଷ ହୋଇଛି । ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ କାର୍ଯ୍ୟ ହୋଇଛି । ସରକାରୀ କଲେଜର ନବୀକରଣ, ମନ୍ଦିରର ନବୀକରଣ ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରର ନିର୍ମାଣ ସହ ଜନତାଙ୍କ ଆବଶ୍ୟକତାକୁ ପୂରଣ କରିଛୁ ।"