ବେଙ୍ଗାଲୁରୁ: "ଆଗକୁ ଲୋକସଭା ନିର୍ବାଚନ ଥିବାବେଳେ ଭାରତୀୟ ଜନତା ପାର୍ଟି ଦକ୍ଷିଣ ରାଜ୍ୟରେ ଅପରେସନ ଲୋଟସ୍ ଚଳାଇବାକୁ ଚେଷ୍ଟା କରୁଛି । ଦଳ ବଦଳାଇବା ପାଇଁ ବିଜେପି କର୍ଣ୍ଣାଟକରେ କଂଗ୍ରେସ ବିଧାୟକମାନଙ୍କୁ ୫୦ କୋଟି ଟଙ୍କା ଅଫର କରିଥିଲା । କିନ୍ତୁ ନିଜ ଉଦ୍ୟମରେ ବିଫଳ ହୋଇଥିଲା । " ଏକ ଗଣମାଧ୍ୟମ ସହ ସାକ୍ଷାତକାରରେ ଏଭଳି ଅଭିଯୋଗ ଆଣିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ।
ବିଜେପି ସମ୍ପର୍କରେ ପଚରାଯିବାରୁ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଥିଲେ ଯେ, ବିଜେପି ମୋ ନେତୃତ୍ବାଧୀନ କଂଗ୍ରେସ ସରକାର ଭାଙ୍ଗିବାକୁ ଚେଷ୍ଟା କରିଆସୁଛି । ଏଥିପାଇଁ ସେ ଆମର ବିଧାୟକମାନଙ୍କୁ ୫୦ କୋଟି ଟଙ୍କା ଅଫର୍ ବି କରିଥିଲେ । ହେଲେ ସଫଳ ହୋଇନଥିଲେ । ସେମାନେ ସରକାର ଭାଙ୍ଗିବାକୁ ଚେଷ୍ଟା କରିଥିଲେ ଓ ବିଫଳ ହୋଇଥିଲେ । ତେବେ ନିର୍ବାଚନ ପରେ କଂଗ୍ରେସ ନେତୃତ୍ବାଧୀନ ସରକାର ଭାଙ୍ଗିଯିବା ସହଜ ହେବ କି ବୋଲି ପ୍ରଶ୍ନରେ ସେ କହିଥିଲେ, ଏହା ଅସମ୍ଭବ । ଆମର ବିଧାୟକମାନେ କେବେ ହେଲେ ଯିବେ ନାହିଁ । କେହି ଜଣେ ବି ବିଧାୟକ ଦଳ ଛାଡିବେନି । ଏଥିସହ ତାଙ୍କ ନେତୃତ୍ବରେ ଥିବା କଂଗ୍ରେସ ସରକାର କର୍ଣ୍ଣାଟକରେ ନିଶ୍ଚୟ ୫ ବର୍ଷ କାର୍ଯ୍ୟକାଳ ପୂରଣ କରିବ ବୋଲି ସିଦ୍ଧରମୈୟା ଦାବି କରିଛନ୍ତି ।