ଭୁବନେଶ୍ବର: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବଡ଼ ମିଶ୍ରଣ ପର୍ବ । ବିଜେଡି ଛାଡି ବିଜେପିରେ ମିଶିଲେ ବହୁ ହେଭିୱେଟ୍ ନେତା । ଜୟଦେବ ବିଧାୟକ ଅରବିନ୍ଦ ଢାଲି ଆଜି ବିଜେପିରେ ସାମିଲ ହୋଇଛନ୍ତି । ଗତକାଲି ବିଜେଡିରୁ ଇସ୍ତଫା ଦେବା ପରେ ଆଜି ସେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପଦ୍ମ ଧରିଛନ୍ତି । ତାଙ୍କ ସମେତ ମାଲକାନଗିରିର ପୂର୍ବତନ ବିଜେଡି ବିଧାୟକ ମୁକୁନ୍ଦ ସୋଡି ମଧ୍ୟ ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଗଞ୍ଜାମ ଦିଗପହଣ୍ଡିର ଚର୍ଚ୍ଚିତ ନେତା ବିପିନ ପ୍ରଧାନ ଓ ଖଣ୍ଡପଡ଼ାର ଦୁଷ୍ମନ୍ତ କୁମାର ପାଣି ମଧ୍ୟ ଆଜି ଶଙ୍ଖ ଛାଡ଼ି ପଦ୍ମ ଧରିଛନ୍ତି ।
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର, ସହପ୍ରଭାରୀ ଲତା ଉସେଣ୍ଡିଙ୍କ ଉପସ୍ଥିତିରେ ବିଜେପିରେ ଶାସକ ବିଜେଡି ଛାଡ଼ିଥିବା ହେଭିୱେଟ୍ ନେତାମାନେ ସାମିଲ ହେଇଛନ୍ତି । ତେବେ ଗତକାଲି ବିଜେଡିର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଥିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି । ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇଥିଲେ । ଏହାର ଗୋଟିଏ ଦିନ ପରେ ଆଜି ସେ ବିଜେପିରେ ସାମିଲ ହେଇଛନ୍ତି । ତେବେ ଅରବିନ୍ଦ ବିଜେପିକୁ ଫେରିବା ତାଙ୍କର ଘରବାହୁଡା ବୋଲି କୁହାଯାଇପାରେ । ସେହିପରି ମାଲକାନଗିରିର ପୂର୍ବତନ ବିଜେଡି ବିଧାୟକ ମୁକୁନ୍ଦ ସୋଡି ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିଲେ । ୨୦୦୯ ମସିହାରେ ବିଜେଡି ଟିକେଟରୁ ଲଢ଼ି ମାଲକାନଗିରି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ମୁକୁନ୍ଦ । ମାଲକାନଗିରି ରାଜନୀତିରେ ଜଣେ ଚର୍ଚ୍ଚିତ ଚେହେରା ମୁକୁନ୍ଦ ହଠାତ ଦଳରୁ ଇସ୍ତଫା ଦେବା ବିଜେଡିକୁ ବଡ଼ ଝଟ୍କା ବୋଲି କୁହାଯାଉଛି । ସେ ଆଜି ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି । ଅନୁରୂପ ଭାବେ ଗଞ୍ଜାମ ଦିଗପହଣ୍ଡିର ଚର୍ଚ୍ଚିତ ବିଜେଡି ନେତା ବିପିନ ପ୍ରଧାନ ଓ ଖଣ୍ଡପଡ଼ାର ଦୁଷ୍ମନ୍ତ କୁମାର ପାଣି ମଧ୍ୟ ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ପ୍ରଶାନ୍ତ ଜଗଦ୍ଦେବଙ୍କ ଟାର୍ଗେଟ, ବିଜେଡି ଶୀଘ୍ର ବିଜେପିକୁ ଟ୍ରାନ୍ସଫର୍ମ ହେବ