ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମୁଜାଫରପୁରରେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି । କାଶ୍ମୀରରେ ଆତଙ୍କବାଦ ପ୍ରସଙ୍ଗକୁ ସେ ତାଙ୍କ ଅଭିଭାଷଣରେ ସ୍ଥାନ ଦେଇଛନ୍ତି । ଘାଟିରେ ଆତଙ୍କବାଦର ମୂଳୋତ୍ପାଟନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାମ ଜାରି ରଖିଛନ୍ତି ବୋଲି ଶାହ କହିଛନ୍ତି । ଦେଶର ଅଖଣ୍ଡତା ଓ ସୁରକ୍ଷା ପାଇଁ ମୋଦି ସରକାର କାମ ଜାରି ରଖିଛି ବୋଲି ମଧ୍ୟ ଶାହ କହିଛନ୍ତି ।
କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶାହ କହିଛନ୍ତି,‘‘କାଶ୍ମୀରର ଆମର । କାଶ୍ମୀର ଭରତର ଅବିଚ୍ଛେଦ୍ୟ ଅଙ୍ଗ । ଘାଟିର ସୁରକ୍ଷା ଓ ଦେଶର ଅଖଣ୍ଡତା ପ୍ରତି ମୋଦି ସରକାର କାମ ଜାରି ରଖିଛନ୍ତି । ଯେତେବେଳେ ଆପଣମାନେ 2014ରେ ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କୁ ଦ୍ବିତୀୟ ଥର ଜନାଦେଶ ଦେଲେ, ସେବେ କାଶ୍ମୀରରୁ ଧାରା 370 ଉଚ୍ଛେଦ କରାଯିବା ସମ୍ଭବ ହୋଇପାରିଲା । ଏବେ ଏହି ଧାରା ଉଚ୍ଛେଦ ହେବା ପରେ କାଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ । କାଶ୍ମୀରରୁ ଆତଙ୍କବାଦର ମୂଳୋତ୍ପାଟନ କରିବା କାମ ମଧ୍ୟ ପ୍ରଧାନମନ୍ତ୍ରୀ କରିଛନ୍ତି । ଦେଶର ସୁରକ୍ଷାକୁ ନିଶ୍ଚିତ କରିବା ସହ ପ୍ରଗତିକୁ ତ୍ବରିତ କରିଛନ୍ତି ମୋଦି ।’’
ଆହୁରି ମଧ୍ୟ ଶାହ କହିଛନ୍ତି, ପାକିସ୍ତାନ ଭିତରେ ପଶି ସର୍ଜିକାଲ ଷ୍ଟ୍ରାଇକ ଓ ଏୟାର ଷ୍ଟ୍ରାଇକ ମଧ୍ୟ ମୋଦି ସରକାରଙ୍କ ଦ୍ବାରା ସମ୍ଭବ ହୋଇପାରିଛି । ବିରୋଧୀମାନେ ଗଠନ କରିଥିବା ଇଣ୍ଡିଆ ମେଣ୍ଟ ହେଉଛି ଘମଣ୍ଡିଆ ମେଣ୍ଟ । ସେମାନେ କେବଳ ସେମାନଙ୍କ ପରିବାର ସଦସ୍ୟଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଓ ବିଭିନ୍ନ ରାଜ୍ୟରେ ମୁଖ୍ୟମନ୍ତ୍ରୀ କରିବା ଲକ୍ଷ୍ୟରେ ଅଛନ୍ତି । ସେମାନେ 12 ଲକ୍ଷ କୋଟିର ଘୋଟାଲାରେ ସମ୍ପୃକ୍ତ । ସବୁ ଭ୍ରଷ୍ଟାଚାରୀ ଏକାଠି ହୋଇ ନିର୍ବାଚନ ଲଢିବା ପାଇଁ ଏହି ମେଣ୍ଟ ବ୍ୟାନରରେ ଏକାଠି ହୋଇଛନ୍ତି । କିନ୍ତୁ ମୋଦିଜୀ ଦେଶର ସୁରକ୍ଷା, ପ୍ରତ୍ୟେକ ଦେଶବାସୀଙ୍କ ପ୍ରଗତି କଥା ଚିନ୍ତା କରୁଛନ୍ତି । ଦେଶର କୃଷକ,ଶ୍ରମିକ, ଦଳିତ ଓ ଆଦିବାସୀଙ୍କ କଥା କେବଳ ମୋଦି ହିଁ ଚିନ୍ତା କରୁଛନ୍ତି ।