ନିମାପଡ଼ା:ରାଜ୍ୟରେ ଜାରି ରହିଛି ନିର୍ବାଚନ । ଏହା ମଧ୍ୟରେ ନେତା ଓ କର୍ମୀମାନଙ୍କ ଦଳ ଡିଆଁ ପର୍ବ ମଧ୍ୟ ଜୋର୍ ଧରିଛି । ଏହି କ୍ରମରେ ନିମାପଡ଼ାରେ ବିଜେଡିରେ ମିଶିଛନ୍ତି ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ । ଫଳରେ ନିମାପଡାକୁ ନେଇ ଚିନ୍ତାରେ ଥିବା ଶଙ୍ଖ ଦଳର ବଳ ବଢିଛି । ''ନିମାପଡାରେ ବିଜେଡ଼ି ମଜବୁତ ହେବାରେ ଲାଗିଛି । ପ୍ରତିଦିନ ବିଜେପି, କଂଗ୍ରେସ ଛାଡି ଶହ ଶହ କର୍ମୀ ବିଜେଡି ସହ ଯୋଡି ହେଉଛନ୍ତି । ବିରୋଧୀ ଯେଉଁ ସମୀକରଣ କରୁଥିଲେ ତାହା ଭୁଲ୍ ପ୍ରମାଣିତ ହେବାକୁ ଯାଉଛି । ଆମେ ପୂର୍ବାପେକ୍ଷା ବିପୁଳ ଭୋଟରେ ବିଜୟୀ ହେବୁ'' ବୋଲି ଦୃଢୋକ୍ତି କରିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଓ ଯୁବନେତା ସୁବ୍ରତ ଛାଟୋଇ ।
ନିମାପଡ଼ାର ସ୍ଥାନୀୟ ଏକ ମଣ୍ଡପଠାରେ ବିଜେଡ଼ିର ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ବିଜେଡି ରାଜ୍ୟ ସମ୍ପାଦିକା କସ୍ତୁରୀବାଳା ସାହୁଙ୍କ ନେତୃତ୍ୱରେ ନିମାପଡ଼ା ନିର୍ବାଚନ ମଣ୍ଡଳୀରୁ ବିଭିନ୍ନ ପଞ୍ଚାୟତର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ଦଳ ଛାଡି ବିଜେଡ଼ିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ, ତାଙ୍କର ସ୍ୱଚ୍ଛ ଶାସନକୁ ପସନ୍ଦ କରି ବହୁ ସଂଖ୍ୟାରେ କର୍ମୀ ବିରୋଧୀ ଦଳ ଛାଡି ବିଧିବଦ୍ଧ ଭାବେ ବିଜେଡ଼ିରେ ସାମିଲ ହୋଇଛନ୍ତି । ଆଗାମୀ ଦିନରେ ବିଜୁ ଜନତା ଦଳ ସଂଗଠିତ ହୋଇ ମଜବୁତ ହେବ ଏବଂ ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ।