ସମ୍ୱଲପୁର/କୋରାପୁଟ: ସରିଲା ମତଦାନ । ଏବେ ଅପେକ୍ଷା ଜୁନ ୪କୁ । ଆସନ୍ତା 4 ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ଘୋଷଣା ହେବାକୁ ଯାଉଛି l ଏନେଇ ସମସ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ରହିଛି l ଏକକାଳୀନ ଭାବେ ସବୁଠି ଭୋଟ ଗଣତି ହେବାକୁ ଥିବାବେଳେ ଶୃଙ୍ଖଳିତ ଏବଂ ତ୍ରୁଟିଶୂନ୍ୟ ଭାବେ କିଭଳି ଭୋଟ ଗଣତି ହେବ ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଶିକ୍ଷଣ ଦିଆଯାଇଛି l
ସମ୍ବଲପୁର ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଶେଷ ହେବା ପରେ ଶୃଙ୍ଖଳିତ ଏବଂ ତ୍ରୁଟିଶୂନ୍ୟ ଭୋଟ ଗଣତି ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଚୂଡାନ୍ତ ହୋଇଛି । ସମ୍ବଲପୁର ସହରର ସି.ଏସ.ବି ଜିଲ୍ଲା ସ୍କୁଲରେ ଭୋଟ ଗଣତି ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଣନା ସୁପରଭାଇଜର, ଗଣନା ସହାୟକ ଓ ମାଇକ୍ରୋ ପର୍ଯ୍ୟବେକ୍ଷକଙ୍କ ପାଇଁ ଏହି ପ୍ରଶିକ୍ଷଣ ଦିଆଯାଇଛି । ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ପ୍ରଶିକ୍ଷଣାର୍ଥୀଙ୍କ ସହ ଆଲୋଚନା କରିଛନ୍ତି ।
ଏହି ବୈଠକରେ ପୋଷ୍ଟାଲ ବାଲାଟ୍ ଗଣତି, ଇଭିଏମ୍ (ବଣ୍ଟନ ଓ ସିଲ୍)ରେ ରେକର୍ଡ ହୋଇଥିବା ଭୋଟ ଗଣତି, ମାଇକ୍ରୋ ପର୍ଯ୍ୟବେକ୍ଷକଙ୍କ ଭୂମିକା, ଭିଭିପିଏଟି ପେପର ସ୍ଲିପ୍ ଗଣତି, ମତଦାନ ଗଣତି ସ୍ଥଗିତ ରଖିବା/ପୁନଃ ଆରମ୍ଭ କରିବା, ଫଳାଫଳ ସଂକଳନ ଓ ଘୋଷଣା ଏବଂ ଗଣତି ପରେ ଇଭିଏମ୍, ଭିଭିପାଟ୍ ସିଲ୍ ଓ ଷ୍ଟୋରେଜ୍ ଉପରେ ବିଷଦ ଭାବେ ଆଲୋଚନା ହୋଇଛି । କଣ୍ଟ୍ରୋଲ ୟୁନିଟ୍ କିପରି ପରିଚାଳିତ ହେବ ଏବଂ ଭୋଟ ଗଣନା କରାଯିବ ସେନେଇ ମଧ୍ୟ ପ୍ରଦର୍ଶନ କରାଯାଇଥିଲା । ଏଥିରେ ମୋଟ ୪୯୧ ଜଣ ପ୍ରଶିକ୍ଷଣ ନେଇଛନ୍ତି ।
ଅନ୍ୟପଟେ ସମ୍ବଲପୁର ବିଧାନସଭା ଆସନର ଭୋଟ ଗଣତି ପାଇଁ ସମ୍ବଲପୁର ମହିଳା ମହାବିଦ୍ୟାଳୟରେ 10ଟି ଟେବୁଲ ଓ 19ଟି ରାଉଣ୍ଡ ବ୍ୟବସ୍ଥା କରାଯାଇଛି l ସମ୍ବଲପୁର ଲୋକସଭା ପାଇଁ ମଧ୍ୟ 10ଟି ଟେବୁଲରେ 19ଟି ରାଉଣ୍ଡରେ ଗଣତି ହେବାର କାର୍ଯ୍ୟକ୍ରମ ରହିଛି l ସେହିପରି କୁଚିଣ୍ଡା ବିଧାନସଭା ଓ ସମ୍ବଲପୁର ଲୋକସଭା ପାଇଁ କୁଚିଣ୍ଡା ସରକାରୀ ମହାବିଦ୍ୟାଳୟରେ ବ୍ୟବସ୍ଥା ହୋଇଛି l ଏଠାରେ ଉଭୟ ସମ୍ବଲପୁର ଲୋକସଭା ଓ କୁଚିଣ୍ଡା ବିଧାନସଭା ପାଇଁ 10ଟି ଲେଖାଏଁ ଟେବୁଲରେ 28ଟି ରାଉଣ୍ଡରେ ଗଣତି ହେବ l
ଅନ୍ୟପଟେ ରେଙ୍ଗାଲି ବିଧାନସଭା ଓ ସମ୍ବଲପୁର ଲୋକସଭା ଉଭୟ ପାଇଁ ସମ୍ବଲପୁର NSCB କଲେଜରେ 12ଟି ଲେଖାଏଁ ଟେବୁଲରେ 19ଟି ରାଉଣ୍ଡ ଭୋଟ ଗଣତି ହେବ l ରେଢ଼ାଖୋଲ ବିଧାନସଭା ଓ ସମ୍ବଲପୁର ଲୋକସଭା ଉଭୟ ପାଇଁ ରେଢ଼ାଖୋଲ ଭୀମଭୋଇ କଲେଜରେ 12ଟି ଲେଖାଏଁ ଟେବୁଲରେ 21 ରାଉଣ୍ଡ ଭୋଟ ଗଣତି ହେବ l ଏନେଇ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।