ବଲାଙ୍ଗୀର:ଜିଲ୍ଲାର ପ୍ରମୁଖ ବିଧାନସଭା ନିର୍ବାଚନ ମଣ୍ଡଳୀ ହେଉଛି ଲୋଇସିଂହା । ସବୁବେଳେ ନୂଆ ନେତାଙ୍କ ପ୍ଲାଟଫର୍ମ ଭାବରେ ଏହି ନିର୍ବାଚନ ମଣ୍ଡଳୀ ଲୋକେ ନୂଆ ନେତାଙ୍କୁ ଦେଇ ଆସିଛନ୍ତି ସୁଯୋଗ । ତେବେ ଏଥର ତିନି ପ୍ରମୁଖ ଦଳ ଆଶାୟୀ ଏଠୁ ବାଜିମାତ କରିବାକୁ ଆଶା ବାନ୍ଧିଛନ୍ତି । ଗତ ନିର୍ବାଚନରେ ନୂଆ କରି ବିଜେପିରେ ସାମିଲ ହୋଇଥିବା ମୁକେଶ ମହାଲିଙ୍ଗକୁ ଲୋଇସିଂହାବାସୀ ସୁଯୋଗ ଦେଇଥିଲେ । ଆଜି ମୁକେଶ ଜଣେ ସଫଳ ରାଜନେତା ହୋଇପାରିଛନ୍ତି । ତେବେ ଆସନ୍ତା ନିର୍ବାଚନରେ ଲୋଇସିଂହା ମତଦାତା ପାରମ୍ପରିକ ଟ୍ରିକ୍ ଆପଣାଇ ଅନ୍ୟ କୌଣସି ଦଳକୁ ସୁଯୋଗ ଦେବେ ନା ପୁଣି ଆଉ ଥରେ ବାଜିମାତ କରିବ ବିଜେପି ? ତିନି ପ୍ରମୁଖ ଦଳ ଏଠାରୁ ନିଜ ନିଜର ବିଜୟ ନେଇ ଦୃଢୋକ୍ତି ପ୍ରକାଶ କରୁଥିବା ବେଳେ ଭୋଟର କାହାକୁ ନିଜର ନେତା ବାଛିବେ ତାହା ଉପରେ ନଜର ।
ବଲାଙ୍ଗୀରର ଭେଜିଟେବଲ ପକେଟ ଲୋଇସିଂହା:- ଇତିହାସ ସାକ୍ଷୀ ରହିଛି ଏହି ନିର୍ବାଚନ ମଣ୍ଡଳୀର ଭୋଟର ସବୁ ବେଳେ ନୂଆ ନେତାଙ୍କୁ ଦେଇଥାଆନ୍ତି ସୁଯୋଗ । ଓଡ଼ିଶାର ସଫଳ ରାଜନେତା ମଧ୍ୟରୁ ଏୟୁ ସିଂହଦେଓ, ନରସିଂହ ମିଶ୍ର, ବାଳ ଗୋପାଳ ମିଶ୍ର ଏବଂ ଏବେ ମୁକେଶ ମହାଲିଙ୍ଗ ଏଠାରୁ ହିଁ ଭାଗ୍ୟ ପରୀକ୍ଷା କରି ଏବେ ରାଜନୀତିରେ ସଫଳ ରାଜନେତା ହୋଇପାରିଛନ୍ତି । ତେବେ ଲୋଇସିଂହା ନିର୍ବାଚନ ମଣ୍ଡଳୀ ତିନୋଟି ବ୍ଲକ ଲୋଇସିଂହା, ଅଗଲପୁର ଓ ପୁଇଁତଲାକୁ ନେଇ ଗଠିତ । ଏଠି ମୋଟ ଭୋଟର ସଂଖ୍ୟା 2ଲକ୍ଷ 41ହଜାର । ଏଠାକାର ଲୋକେ ମୁଖ୍ୟତଃ ଚାଷ ଉପରେ ନିର୍ଭର କରିଥାନ୍ତି । ବଲାଙ୍ଗୀର ସମେତ ରାଜ୍ୟର ଅନ୍ୟ ଜିଲ୍ଲାକୁ ପନିପରିବା ଏଠାରୁ ଯାଇଥାଏ । ଯାହା ପାଇଁ ଏହାକୁ ବଲାଙ୍ଗୀରର ଭେଜିଟେବଲ ପକେଟ ମଧ୍ୟ କୁହାଯାଏ । ଲୋଇସିଂହା ନିର୍ବାଚନ ମଣ୍ଡଳୀର ମତଦାତା ସବୁବେଳେ ନୂଆ ରାଜନେତାଙ୍କୁ ନିଜର ପ୍ରତିନିଧି ବାଛି ଆସିଛନ୍ତି । ଆଗାମୀ ନିର୍ବାଚନରେ ଏହି ଆସନରୁ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଯୋଗେନ୍ଦ୍ର ବେହେରାଙ୍କ ସାନ ପୁଅ ନିହାର ରଞ୍ଜନ ବେହେରା । ଗତ 2014 ନିର୍ବାଚନରେ ଯୋଗେନ୍ଦ୍ର ଏହି ଆସନରୁ ନିର୍ବାଚନ ଲଢି 64 ହଜାର 340 ଭୋଟ ମୋଟ 40 ପ୍ରତିଶତରୁ ଅଧିକ ପାଇ ବିଜୟୀ ହୋଇଥିଲେ । ଏବେ ତାଙ୍କ ସାନ ପୁଅ ନିହାର ରଞ୍ଜନ ବେହେରା ଏଠୁ ବିଜେଡିରୁ ଆଶାୟୀ ଅଛନ୍ତି ।
ଏହା ବି ପଢନ୍ତୁ- ପାରଳାଖେମୁଣ୍ଡିରେ ପୁଣି କେ. ନାରାୟଣ, ନାଁ ଆଉ କିଏ ?
ଟିକେଟ ଦୌଡରେ ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରାଙ୍କ ପୁଅ:- ତେବେ ଗତ 2019 ନିର୍ବାଚନରେ ମଧ୍ୟ ସେ ଆଶାୟୀ ଥିବା ବେଳେ ଟିକେଟ ପାଇ ନ ଥିଲେ । ହେଲେ ଏଥର ଏହି ନିର୍ବାଚନ ମଣ୍ଡଳୀରେ ବିଜେଡି ସଂଗଠନ ପାଇଁ କାମ କରି ଆସୁଥିବାରୁ ସେ ଟିକେଟ ପାଇବେ ବୋଲି ଆଶା ରଖିଛନ୍ତି । ସେ ଲୋକଙ୍କ ସହିତ ଜଡିତ ଥିବା ବେଳେ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାମ କରିବାରେ ଭୂମିକା ଗ୍ରହଣ କରିଛନ୍ତି । ଏ ନେଇ ନିହାର ରଞ୍ଜନ ବେହେରା କହିଛନ୍ତି, " ଲୋକେ ମୋତେ ହିଁ ପସନ୍ଦ କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ମୋତେ ଓ ଦଳକୁ ଏଠି ସଫଳ କରିବ । ବାପାଙ୍କ ଉପଲବ୍ଧି ଓ ଲୋକ ସମ୍ପର୍କ ମଧ୍ୟ ମୋତେ ସାହାଯ୍ୟ କରିବ ବୋଲି ଆଶାବାଦୀ ଅଛି । ଗତ 2019 ନିର୍ବାଚନରେ ଏଠି ମୋଦି ଲହର ଭାରି ପଡିଥିଲା । ନବାଗତ ବିଜେପି ନେତା ମୁକେଶ ମହାଲିଙ୍ଗ ବିଜୟୀ ହୋଇଥିଲେ । ବିଜେପିର ଷ୍ଟାଣ୍ଡିଂ ବିଧାୟକ ଥିବା ସତ୍ତ୍ୱେ ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ସମ୍ପୂର୍ଣ୍ଣ ସଫଳ ହେବା ହିଁ ବିଜେଡି ପ୍ରତି ଲୋକଙ୍କ ବିଶ୍ୱାସ ବଢିଥିବାର ପ୍ରମାଣ । ଏଥର ଏଠି ବିଜେଡି ହିଁ ସଫଳ ହେବ ।"
ଏଥର ବି ଟିକେଟ ଆଶାରେ ମୁକେଶ ମହାଲିଙ୍ଗ:-ସେପଟେ ଭାରତ ସରକାରଙ୍କ ପରିବେଶ ବୈଜ୍ଞାନିକ ଚାକିରି ଛାଡି ବିଜେପିରେ ନୂଆ କରି ଯୋଗ ଦେଇଥିବା ମୁକେଶ ମହାଳିଙ୍ଗ ଏଠାରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ସେ 71ହଜାର 261 ଭୋଟ ସହ ମୋଟ 39.82 ପ୍ରତିଶତ ଭୋଟ ପାଇଥିଲେ । ଏଠାରୁ ବିଜେପି ଦ୍ଵିତୀୟ ଥର ବିଜୟୀ ହୋଇଥିଲା । ପୂର୍ବରୁ ଅର୍ଥାତ 2000 ମସିହା ନିର୍ବାଚନରେ ବାଳଗୋପାଳ ମିଶ୍ର ଏଠୁ ବିଜେପିରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ । ସେପଟେ ଏଥର ମଧ୍ୟ ବର୍ତ୍ତମାନର ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ଦଳରୁ ଟିକଟ ପାଇ ସଫଳ ହେବେ ବୋଲି କହିଛନ୍ତି । ଏ ନେଇ ସେ କହିଛନ୍ତି, "ବିଗତ ପାଞ୍ଚ ବର୍ଷରେ ସେ ଲୋଇସିଂହାର ଶିକ୍ଷା, ସ୍ୱାସ୍ଥ୍ୟ, ଯୋଗାଯୋଗ ଭଳି ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ସୁଦୃଢ଼ ହୋଇଛି । ଏହି ଅଞ୍ଚଳର ପର୍ଯ୍ୟଟନର ମଧ୍ୟ ବିକାଶ ହୋଇଛି । ଆବାସ ଯୋଜନା, ପ୍ରତ୍ୟେକ ଘରକୁ ପିଇବା ପାଣି ଭଳି ଯୋଜନାର ମଧ୍ୟ ସଫଳ ରୂପାୟନ ହୋଇଛି ।" ଏଥର ନିର୍ବାଚନରେ ମଧ୍ୟ ବିଜେପି ସଫଳ ହେବ । ଲୋଇସିଂହା ବାସୀଙ୍କ ପ୍ରେମ, ଶ୍ରଦ୍ଧା ଓ ଆଶୀର୍ବାଦ ମୋ ସହ ଓ ବିଜେପି ସହ ଅଛି । ଏଥର ପ୍ରଧାନମନ୍ତ୍ରୀ ମୋଦିଙ୍କ ଗ୍ୟାରେଣ୍ଟି ଉପରେ ଲୋକଙ୍କ ବିଶ୍ୱାସ ରହିଛି ଓ ବିଜେପି ଏଠି ପୁଣି ସଫଳ ହେବ ।"