ବାଲେଶ୍ବର: ଚର୍ଚ୍ଚାରେ ବାଲେଶ୍ବର ଜିଲ୍ଲାରେ ବିଜୁ ଛାତ୍ର ଜନତା ଦଳର ଅନ୍ତ କନ୍ଦଳ । ଦଳର ଗୋଟିଏ ଗୋଷ୍ଠୀ ଏକାକୀ ଦଳୀୟ କାର୍ଯ୍ୟକ୍ରମ କରୁଥିବା ବେଳେ ଅନ୍ୟଟି ଏଥିରୁ ଦୂରରେ ରହିଛି । ତେବେ ଏ ଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସଭାପତି ସିମନ ଦାସମହାପାତ୍ର । ସେ କହିଛନ୍ତି ଯେ ବାଲେଶ୍ବର ଜିଲ୍ଲାର ବିଜୁ ଛାତ୍ର ଜନତା ଦଳ ମଧ୍ୟରେ କୌଣସି ଫାଟ କିମ୍ବା ମନୋମାଳିନ୍ୟ ନାହିଁ। ସମସ୍ତେ ଏକଜୁଟ ହୋଇ କାମ କରିବା ସହ ଛାତ୍ର ଜନତା ଦଳ ଗୋଟିଏ ଏବଂ ଏଥିରେ କୌଣସି ଦ୍ବିମତ ନାହିଁ ।
ସୂଚନାଯୋଗ୍ୟ ଯେ ଗତ ରବିବାର ବାଲେଶ୍ବର ସହର ସ୍ଥିତ ଭେନିୟା ପାରାଡାଇଜରେ ପର୍ଯ୍ୟବେକ୍ଷକ ପ୍ରଦୋଷ ପରିଡାଙ୍କ ଉପସ୍ଥିତି ଓ ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ସିମନ ଦାସ ମହାପତ୍ରଙ୍କ ଆବାହକତ୍ବରେ ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ ବୈଠକରେ ବାଲେଶ୍ଵର ପୌରପାଳିକା ସମେତ ବିଭିନ୍ନ ବ୍ଲକରୁ ୫୦୦ ରୁ ଉର୍ଦ୍ଧ୍ବ ଛାତ୍ରଙ୍କୁ ସାମିଲ ହୋଇଥିଲେ । ଆଗାମୀ ସାଧାରଣ ନିର୍ବାଚନ ପାଇଁ ଛାତ୍ର ବିଜେଡିର ବୈଠକ ଚାଲିଥିବା ବେଳେ ଛାତ୍ର ବିଜେଡିର ଅନ୍ୟ ଏକ ଗୋଷ୍ଠୀ ଦଳରେ ଅବହେଳିତ ହୋଇ ପଡ଼ିରହିଥିବାର ଅଭିଯୋଗ ଆଣିଥିଲେ ।
ବିଜୁ ଛାତ୍ର ଜନତା ଦଳର ଅନ୍ୟ ଏକ ସକ୍ରିୟ ଗୋଷ୍ଠୀ ଫକୀର ମୋହନ ମହାବିଦ୍ୟାଳୟର ପ୍ରାକ୍ତନ ସଭାପତି ତଥା ଉତ୍ତର ଓଡିଶା ଜୋନର ସଭାପତି ଶୁଭମ ସାଇ ମହାପାତ୍ରଙ୍କ ନେତୃତ୍ବରେ ଛାତ୍ର ନେତା ଅଭିଜିତ ବିଶ୍ବାଳ, ବିଭୁଦତ୍ତ ପରିଡ଼ା, ଦୁଷ୍ମନ୍ତ ପଣ୍ଡାଙ୍କ ସହ ୨୦୦ ରୁ ଉର୍ଦ୍ଧ୍ବ ଛାତ୍ର ପର୍ଯ୍ୟବେକ୍ଷକ ପ୍ରଦୋଷ ପରିଡ଼ାଙ୍କୁ ଭେଟି ଥିଲେ । ଛାତ୍ର ବିଜେଡିର ପାଖାପାଖି ୨୦୦ରୁ ଉର୍ଦ୍ଧ୍ବ ଅସନ୍ତୁଷ୍ଟ ଛାତ୍ର ଗୋଷ୍ଠୀ ପ୍ରଶିକ୍ଷଣ ବୈଠକରେ ଡକା ଯାଇନଥିବା ବେଳେ ଦଳରେ ଅବହେଳିତ ହେଉଥିବା କଥା ଉଠିଥିଲା । ଦୀର୍ଘ ଦଶବର୍ଷ ହେବ ବିଜୁ ଛାତ୍ର ଜନତା ଦଳରେ ଜଣେ ହିଁ ସଭାପତି ଭାବେ ରହିଛନ୍ତି । ଶିକ୍ଷା ଏବଂ କଳାର ଏ ମାଟିରେ ନେତୃତ୍ବ କରିବାକୁ କଣ ଛାତ୍ରନେତାଙ୍କ ଅଭାବ ଅଛି ବୋଲି ମଧ୍ୟ ଏହି ଯୁବଗୋଷ୍ଠୀ ମାନେ ପ୍ରଶ୍ନ କରିଥିଲେ ।