ବାଲେଶ୍ବର:ନିର୍ବାଚନ ତାରିଖ ଘୋଷଣା ପରେ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି। ଏହାସହ ନିଜ ସପକ୍ଷରେ ଭୋଟ ହାତେଇବା ପାଇଁ ଦଳ ପକ୍ଷରୁ ସାଧାରଣ ଲୋକମାନଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ନିର୍ବାଚନୀ ଇସ୍ତାହାର ମଧ୍ୟ ପ୍ରକାଶ ପାଉଥିବା ଦେଖା ଦେଇଛି। ଏହି ପରିପ୍ରେକ୍ଷୀରେ କଂଗ୍ରେସ ମଧ୍ୟ ପଛରେ ପଡ଼ିନାହିଁ। ବାଲେଶ୍ଵର ଜିଲ୍ଲା କଂଗ୍ରେସ ପକ୍ଷରୁ ଦଳର ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ କରାଯାଇଛି। କିଛି ଦିନ ତଳେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଓଡିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ନିର୍ବାଚନ ପରିପ୍ରେକ୍ଷୀରେ 'କଂଗ୍ରେସ ଗ୍ୟାରେଣ୍ଟି କାର୍ଡ 'ଜାରି କରିଥିଲାବେଳେ ଆଜି ବାଲେଶ୍ଵର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ସ୍ତରରେ ଏହି ନିର୍ବାଚନୀ ଇସ୍ତାହାର ଉନ୍ମୋଚିତ ହୋଇଯାଇଛି। ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରି ଦଳର ନିର୍ବାଚନୀ ଇସ୍ତାହାର ସମ୍ପର୍କରେ ସୂଚନା ଦେଇଥିଲେ।
କଂଗ୍ରେସ ଦଳ ନିର୍ବାଚନ ପୂର୍ବରୁ ଦେଶବାସୀଙ୍କୁ ନିର୍ବାଚନୀ ଇସ୍ତାହାରରେ ଯାହା ସବୁ ଅତୀତରେ ପ୍ରତିଶ୍ରୁତି ଦେଇଥିଲା ତାହା ପାଳନ କରିଛି। ୟୁ ପିଏ ସରକାର ହୁଅନ୍ତୁ ଅଥବା ରାଜସ୍ଥାନ, ତେଲେଙ୍ଗାନା, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶରେ ଅତୀତରେ ଯାହା ପ୍ରତିଶ୍ରୁତି ଦଳ ଦେଇଥିଲା ତାହା ପାଳନ କରିଛି। କଂଗ୍ରେସ ଦଳ ବିଜେପି କିମ୍ବା ବିଜେଡି ଦଳ ଭଳି ଜୁମଲା କରେ ନାହିଁ ବୋଲି ଗିରି କହିଛନ୍ତି। ପ୍ରଧାନମନ୍ତ୍ରୀ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପନ୍ଦର ଲକ୍ଷ ଟଙ୍କା ପଠାଇବେ ବୋଲି ପ୍ରତିଶ୍ରୁତି ଦେଇ ଭୁଲି ଗଲେ। ହେଲେ କଂଗ୍ରେସ ମିଛ ପ୍ରତଶ୍ରୁତି ଦିଏ ନାହିଁ ବୋଲି କୁହାଯାଇଛି। ମୁଖ୍ୟମନ୍ତ୍ରୀ ବର୍ଷକୁ ଦୁଇ ଲକ୍ଷ ଚାକିରୀ ଦେବେ କହିଥିଲେ, ସେ ମଧ୍ୟ ଭୁଲିଗଲେ। ତେବୋ ମିଥ୍ୟା ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଠକୁ ଥିବା ଦଳ ଗୁଡିକୁ ଜନତା ଚିହ୍ନି ରଖନ୍ତୁ ଓ କଂଗ୍ରେସ ଦଳ ପ୍ରାର୍ଥୀଙ୍କୁ ଭୋଟ ଦେବାର ବେଳ ଆସିଯାଇଛି ବୋଲି ଗିରି କହିଛନ୍ତି। ସେହିପରି କଂଗ୍ରେସ ଯେତେବେଳେ ଯେଉଁ ଗ୍ୟାରେଣ୍ଟି ଦେଇଛି ପାଳନ କରିଛି, ଗ୍ୟାରେଣ୍ଟି କାର୍ଡରେ ଥିବା ଗ୍ୟାରେଣ୍ଟି ଗୁଡ଼ିକ ମଧ୍ୟରେ, ଗୃହ ଜ୍ୟୋତି ଯୋଜନାରେ ଘରୋଇ ଉପଭୋକ୍ତାଙ୍କ ଲାଗି ୨୦୦ୟୁନିଟ ବିଦ୍ୟୁତ ଦେୟ ଛାଡ଼, ଯୁବ ବିକାଶ ଯୋଜନାରେ ପ୍ରତି ବର୍ଷ ପାଞ୍ଚ ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା, ମାସିକ ତିନି ହଜାର ଟଙ୍କା ବେକାରୀ ଭତ୍ତା, କୃଷକମାନେ ଦେଶର ମେରୁଦଣ୍ଡ ହୋଇଥିବା ବେଳେ କଂଗ୍ରେସ ଦଳ ନିର୍ବାଚନୀ ଇସ୍ତାହାରରେ କୃଷକ ସମାଜକୁ ଅଧିକ ଗୁରୁତ୍ୱ ଦେଇଛି।