ଭୁବନେଶ୍ବର: କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ଗତି କୁଆଡେ? ଏ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । କାରଣ ସୁରଙ୍କ ସାନ ପୁଅ ମନ୍ମଥ ରାଉତରାୟ ଏବେ ଭୁବନେଶ୍ବର ଲୋକସଭା ଆସନ ପାଇଁ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି । ପୁଅକୁ ଭୋଟ ଦେଇ ଜିତାଇବା ପାଇଁ କିଛି ଲୋକଙ୍କୁ ସୁର କହିଥିବା ଅଭିଯୋଗ ମଧ୍ୟ ଆସିଥିଲା । ଏବେ କିନ୍ତୁ ସୁର ମାପିଚୁପି ବୟାନ ଦେଇଛନ୍ତି । ଇଟିଭି ଭାରତକୁ ସୁର କହିଛନ୍ତି, "ଚଳିତ ନିର୍ବାଚନରେ ମନ୍ମଥ ପାଇଁ ପ୍ରଚାର କରିବେନି । ନିଜ ଆଡୁ କିଛି କହିବିନି । ଯେହେତୁ ପୁଅ ଛିଡା ହୋଇଛି ଯଦି କିଏ ପଚାରେ ତେବେ କହିବି ଭୋଟ ଦେବା ପାଇଁ ।" ତେବେ ସେ କଂଗ୍ରେସ ପାଇଁ ସାରା ଓଡିଶାରେ ପ୍ରଚାର କରିବେ ବୋଲି କହିଛନ୍ତି ।
ପୂର୍ବରୁ ସୁର କହିଆସିଛନ୍ତି ଜୀବନ ଥିଲା ପର୍ଯ୍ୟନ୍ତ ସେ କଂଗ୍ରେସରେ ରହିବେ, ଦଳ ଛାଡିବେନି । ଏପରିକି ପୁଅ ମଧ୍ୟ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢିବ ବୋଲି ସୁର ଗଣମାଧ୍ୟମରେ ବାରମ୍ବାର ବୟାନ ରଖିଆସୁଥିଲେ । ହେଲେ ପୁଅ ମନ୍ମଥ ବିଜେଡିରୁ ଭୁବନେଶ୍ବର ଲୋକସଭା ଆସନ ପାଇଁ ପ୍ରାର୍ଥୀ ହେବା ପରେ ଅଡୁଆରେ ପଡିଯାଇଥିଲେ ସୁର । ଗୋଟିଏ ପଟେ କଂଗ୍ରେସ ଆଉ ଗୋଟିଏ ପଟେ ପୁଅ । କାହା ପାଇଁ ସମର୍ଥନ ଦେବେ ସୁର? ସେକଥାକୁ ନେଇ ଦ୍ବନ୍ଦ୍ବରେ ବଢିିଛି । ଶେଷରେ ସୁର ନିଷ୍ପତ୍ତି ନେଇଛନ୍ତି ଯେ, ପୁଅ ମନ୍ମଥ ପାଇଁ ଭୁବନେଶ୍ବର ଲୋକସଭା ଆସନ ଅନ୍ତର୍ଗତ କୌଣସି ଅଞ୍ଚଳରେ ପୁଅ ପାଇଁ ପ୍ରଚାର ପ୍ରସାର କରିବେ ନାହିଁ । କେବଳ କଂଗ୍ରେସ ପାଇଁ ଔପଚାରିକ ଭାବେ ପ୍ରଚାର କରିବେ ବୋଲି କହିଛନ୍ତି ।
ବରିଷ୍ଠ ରାଜନୈତିକ ସମୀକ୍ଷକ ଅକ୍ଷୟ ସାହୁ କହିଛନ୍ତି, "ରାଜ୍ୟ ରାଜନୀତିରେ ବିରଳ ଘଟଣା ଦେଖିବାକୁ ମିଳିଛି । ଯେତେବେଳେ ବାପାମାନେ ପୁଅମାନଙ୍କ ରାଜନୈତିକ କ୍ୟାରିୟରକୁ ସମ୍ଭାଳିବା ପାଇଁ ବାହାରି ଆସିଛନ୍ତି । ବିଜୟ ମହାପାତ୍ର ହୁଅନ୍ତୁ, ପ୍ରତାପ ଜେନା ହୁଅନ୍ତୁ ଅବା ସୁର ରାଉତରାୟ। ସୁର ରାଉତରାୟଙ୍କ କ୍ଷେତ୍ରରେ ରହୁଛି ପୁତ୍ର ପ୍ରେମ । ପୁତ୍ର ପ୍ରେମରେ ଅନ୍ଧ ହୋଇ ସୁର କିଛି ଲୋକଙ୍କୁ ଭୋଟ ଦେବା ପାଇଁ କହିଥିଲେ । ଏବେ କିନ୍ତୁ ସୁର ନିଷ୍ପତ୍ତି ନେଇଛନ୍ତି, ପୁଅ ସପକ୍ଷରେ ପ୍ରଚାର କରିବେ ନାହିଁ ।" ରାଜନୀତିରେ ବାପ ପୁଅଙ୍କ ସମ୍ପର୍କର ଉଦାହରଣ ଦେଇ ମୁଲାୟମ ଓ ତାଙ୍କ ପୁଅଙ୍କ କଥା କହିଛନ୍ତି ଅକ୍ଷୟ ।