ଭୁବନେଶ୍ବର: ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ପ୍ରତିବାଦରେ ଆସନ୍ତା ଜାନୁଆରୀ ୬ ତାରିଖରେ ଗଣ ବିକ୍ଷୋଭ କରିବ ବିଜେଡି । ସାଧାରଣ ନିର୍ବାଚନ ପରେ ପ୍ରଥମ ଥର ଲାଗି ବିଜୁ ଜନତା ଦଳ ଆନ୍ଦୋଳନକୁ ଓହ୍ଲାଇବ । କ୍ଷମତାରୁ ଯିବା ପରେ ବିରୋଧୀ ଦଳ ଭାବେ ବିଜେଡିର ଏହା ପ୍ରଥମ ବିକ୍ଷୋଭ କାର୍ଯ୍ୟକ୍ରମ । କେନ୍ଦ୍ରୀୟ ସ୍ତରର ବିଭିନ୍ନ ପ୍ରସଙ୍ଗରେ ଚୁପ ଥିବା ବିଜେଡି ରାଜ୍ୟ ବିଜେପି ସରକାର ବିରୋଧରେ ବିକ୍ଷୋଭକୁ ପଞ୍ଚାୟତ ନିର୍ବାଚନ ରଣନୀତି ବୋଲି କୁହାଯାଉଛି ।
୨୦୦୯ରେ ବିଜେପି-ବିଜେଡି ମେଣ୍ଟ ଭାଙ୍ଗିବା ପରେ ଉଭୟଙ୍କ ସମ୍ପର୍କରେ କେବେ ଖରା ତ ଆଉ କେବେ ଛାଇ ହୋଇଛି । ବିଜେପି-କଂଗ୍ରେସ ଠାରୁ ସମଦୂରତା କଥା କହି ଆସୁଥିବା ବିଜେଡି ୨୦୧୪ରୁ ମୋଦି ସରକାରକୁ ସୁହେଇଲା ଭଳି ଷ୍ଟାଣ୍ଡ ନେଇ ଆସିଛି । ସେହିପରି ଗତ ସାଧାରଣ ପୂର୍ବରୁ ବିଜେଡି-ବିଜେପି ମଧ୍ୟରେ ମେଣ୍ଟ ନେଇ ଚର୍ଚ୍ଚା ହୋଇଥିଲା । କିନ୍ତୁ ଚର୍ଚ୍ଚା ଆଗକୁ ବଢିବା ପୂର୍ବରୁ ସେଥିରେ ବିରାମ ଲଗାଇ ଏକକ ନିର୍ବାଚନ ଲଢିଥିଲେ ଉଭୟ ଦଳ । ସାଧାରଣ ନିର୍ବାଚନରେ ବିଜେଡି ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ବେଳେ କ୍ଷମତାକୁ ଆସିଛି ବିଜେପି । ସରକାର ଗଠନକୁ ୬ ମାସ ବିତିଛି । ଶାସକ ଦଳକୁ ଘେରିବା ଲାଗି ଅନେକ ସୁଯୋଗ ଆସିଛି । ବିଧାନସଭା ଭିତରେ ଉଠେଇଥିଲେ ମଧ୍ୟ ବିଧାନସଭା ବାହାରେ ବିଜେଡି ଏ ଦିଗରେ ବିଶେଷ ରୁଚି ଦେଖାଇନଥିଲା ।
ଜାନୁଆରୀ ୬ରେ ବିଜେଡିର ଆନ୍ଦୋଳନ:
ସେହିପରି ରାଜ୍ୟସଭାରେ ବିଜେଡି ସାଂସଦ ବିଭିନ୍ନ ଉଠାଇଥିଲେ ମଧ୍ୟ ବିଜେପି ଉପରେ କଠୋର ଆଭିମୁଖ୍ୟ ପ୍ରଦର୍ଶନ କରିନାହାନ୍ତି । ୱାକଫ ବିଲକୁ କେବଳ ବିଜେଡି ବିରୋଧ କରିଛି । ଅନ୍ୟ ସମସ୍ତ ପ୍ରସଙ୍ଗରେ ବିଜେଡି ଚୁପ ରହିଛି । ଦୁଇ ସାଂସଦ ବିଜେଡି ଛାଡି ବିଜେପିରେ ସାମିଲ ହେବା ପରେ ଚାପରେ ରହିଛି ଦଳ । ଜାତୀୟ ପ୍ରସଙ୍ଗରେ ଚୁପ ରହିଥିବା ବେଳେ ରାଜ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆନ୍ଦୋଳନକୁ ଓହ୍ଲାଇବାକୁ ବିଜେଡି ଘୋଷଣା କରିଛି । ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ବିରୋଧରେ ଜାନୁଆରୀ ୬ ତାରିଖରେ ବିଜେଡିର ଗଣ ବିକ୍ଷୋଭ କରିବ । ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ଜନସାଧାରଣଙ୍କୁ ଅତିଷ୍ଠ କରିଥିବାବେଳେ ଲୋକେ ତ୍ରାହି ତ୍ରାହି ଡାକିଲେଣି ବୋଲି କହି ମୋହନ ସରକାରଙ୍କ ଉପରେ ବର୍ଷିଛି ବିଜେଡି ।
"ଦରଦାମ ନିୟନ୍ତ୍ରଣରେ ବିଫଳ ବିଜେପି ସରକାର":
ବିଜେଡିର ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, "ଦରଦାମ ଓ ମୁଦ୍ରାସ୍ପୀତି ବୃଦ୍ଧିକୁ ନେଇ ଜନସାଧାରଣ ଅତିଷ୍ଟ ଅଛନ୍ତି । ଏହାକୁ ନେଇ ଜାନୁଆରୀ ୬ ତାରିଖରେ ବିଜେଡି ପକ୍ଷରୁ ଆନ୍ଦୋଳନ କରାଯିବ । RBIର ମନିଟାରୀ ପଲିସି କମିଟି ଆକଳନ କରିଛି ଯେ, ଦେଶରେ ମୁଦ୍ରାସ୍ପୀତି ବୃଦ୍ଧି ହୋଇଛି । ଓଡ଼ିଶା ସମେତ ବିଜେପି ଶାସିତ ରାଜ୍ୟଗୁଡ଼ିକରେ ଦରଦାମ ନିୟନ୍ତ୍ରଣ କରିବାରେ ବିଜେପି ସରକାର ବିଫଳ ହୋଇଛି । ବିଜେଡି ଏକ ଦାୟିତ୍ବସମ୍ପର୍ଣ୍ଣ ଦଳ ଭାବରେ ଓଡ଼ିଶା ଲୋକଙ୍କ କଷ୍ଟକୁ ନେଇ ସ୍ବରଉତ୍ତୋଳନ କରିବ ।" ସେହିପରି ଦଳର କାର୍ଯ୍ୟକ୍ରମ ରୂପାୟନ କମିଟିର ଆବାହକ ସଞ୍ଜୟ ଦାସବର୍ମା କହିଛନ୍ତି, "ଦରଦାମ ବୃଦ୍ଧିରୁ ଆରମ୍ଭ କରି ନିର୍ବାଚନ ସମୟରେ ଦିଆଯାଇଥିବା ବିଭିନ୍ନ ପ୍ରତିଶ୍ରୁତି ରକ୍ଷା କରିବାରେ ସରକାରଙ୍କ ବିଫଳତାକୁ ଜନ ସାଧାରଣଙ୍କ ସମ୍ମୁଖରେ ରଖାଯିବ ।"