ଭୁବନେଶ୍ବର:ନବୀନ ସରକାରରେ ଆରମ୍ଭ ହୋଇଥିବା 'ଲକ୍ଷ୍ମୀ ବସ'ର ନାଁ ଓ ରଙ୍ଗ ବିଭିନ୍ନ ଜିଲ୍ଲାରେ ବଦଳାଯାଉଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି । ନବୀନ ସରକାର ଯୋଜନା ଭୁଲାଇବା ଲାଗି ନୂଆ ସରକାର ରଙ୍ଗ ବୋଳୁଛି ବୋଲି ଅଭିଯୋଗ କରିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ । ପରିବର୍ତ୍ତନର ନାରା ଦେଇ ରାଜ୍ୟରେ କ୍ଷମତାକୁ ଆସିଥିବା ବିଜେପି ସରକାର ନୂଆ ଯୋଜନା କିଛି କରିବେ ନାହିଁ ବୋଲି ସେ କହିଛନ୍ତି । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, " ପରିବର୍ତ୍ତନର ନାରା ଦେଇ ରାଜ୍ୟରେ ବିଜେପି ସରକାରରେ ଆସିଛି । ବିକଶିତ ଓଡି଼ଶା ଗଠନ ଲାଗି ଆଶା ଓ ଭରସା ଦେଇଥିଲେ । ଓଡିଶାବାସୀଙ୍କ ଲାଗି ନୂଆ ନୂଆ ଯୋଜନା କରିବୁ । ସାଧାରଣ ଲୋକଙ୍କୁ ପୂର୍ବ ସରକାରଙ୍କ ଅପେକ୍ଷା ଅଧିକ ସେବା ଯୋଗାଇବୁ ।
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 'ଲକ୍ଷ୍ମୀ ବସ' ଯୋଜନା କରିଥିଲେ । ଲକ୍ଷ୍ମୀ ବସ ସାଧାରଣ ଲୋକଙ୍କୁ ପଞ୍ଚାୟତରୁ ବ୍ଲକ ହେଡ଼କ୍ୱାର୍ଟରରେ କମ ଦମରେ ପହଞ୍ଚାଇବାକୁ କରିଥିଲେ । ମା’, ଭଉଣୀ 5 ଟଙ୍କାରେ ଏ ସୁବିଧା ପାଉଥିଲେ । କୃଷକ, ଶ୍ରମିକ ଓ ଅନ୍ୟାନ୍ୟ ସମସ୍ତେ ଏହା ଦ୍ୱାରା ଉପକୃତ ହେଉଥିଲେ । ବିଗତ 6 ମାସ ତଳେ ଆରମ୍ଭ ହୋଇଥିବା ଯୋଜନାର ବସର ରଙ୍ଗ ଓ ନାଁ ବଦଳେଇବା କାମ ଚାଲିଛି । ଲକ୍ଷ୍ମୀ ବସ ପରିବର୍ତ୍ତେ ମୁଖ୍ୟମନ୍ତ୍ରୀ ବସ ଯୋଜନା କରିବା । ନୀଳ ରଙ୍ଗର ବସକୁ ଗେରୁଆ ରଙ୍ଗ କରିବା । ଏଥିରୁ ପ୍ରମାଣିତ ହେଉଛି ଏ ସରକାର ନୂଆ ଯୋଜନା କିଛି କରିବେ ନାହିଁ । ଯାହା ଆଶା ଦେଇ ସରକାରକୁ ଆସିଥିଲେ ସେମିତି କିଛି କରିବେ ନାହିଁ ବୋଲି ସ୍ପଷ୍ଟ ପ୍ରମାଣିତ ହେଉଛି ।"