ଓଡିଶା

odisha

ETV Bharat / politics

ପ୍ରଭାତଙ୍କ ପରେ ମୁହଁ ଖୋଲିଲେ ସୁବ୍ରତ, ବିଜେଡିକୁ ନେଇ ଦେଲେ ବିସ୍ଫୋରକ ବୟାନ - Cuttack BJD Dispute

Subrat Ghadai Reaction: ପ୍ରଭାତ ବିଶ୍ୱାଳଙ୍କ ପରେ ଆଜି କଟକ ବିଜେଡି ନଗର ସଭାପତି ଦଳ ବିରୋଧରେ ମୁହଁ ଖୋଲିଛନ୍ତି । ଜାଣନ୍ତୁ କ'ଣ କହିଛନ୍ତି ସୁବ୍ରତ ।

By ETV Bharat Odisha Team

Published : Jul 4, 2024, 10:17 PM IST

BJD Dispute
BJD Dispute (ETV Bharat Odisha)

କଟକ: କୁହୁଳିବାରେ ଲାଗିଛି ବିଜେଡି ଗୋଷ୍ଠୀ କନ୍ଦଳ । ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ପରେ ଆଜି କଟକ ବିଜେଡି ନଗର ସଭାପତି ଦଳ ବିରୋଧରେ ମୁହଁ ଖୋଲିଛନ୍ତି । ବିଶେଷକରି ଦଳରେ ରହି କିପରି ଦଳୀୟ ନେତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଉଥିଲା ସେନେଇ ବଖାଣିଛନ୍ତି କଟକ ନଗର ବିଜେଡି ସଭାପତି ତଥା ବିଜେଡି କର୍ପୋରେଟର ସୁବ୍ରତ ଘଡାଇ । ତାଙ୍କ କହିବା ଅନୁସାରେ, ଦଳରେ ରହି ଦଳୀୟ ନେତାଙ୍କୁ ହରାଇବାକୁ ଷଡଯନ୍ତ୍ର କରୁଥିଲେ ବିଜେଡି ନେତା । ହେଲେ କିଏ ଏହି ନେତା ଯିଏ କି ଦଳୀୟ ନେତାଙ୍କୁ ହରାଇବାକୁ ଷଡଯନ୍ତ୍ର କରିଥିଲେ ? ଏନେଇ ସୁବ୍ରତ କୌଣସି ସ୍ପଷ୍ଟ ଉତ୍ତର ରଖି ନାହାନ୍ତି । ତାଙ୍କ କହିବା କଥା କଟକ ଚୌଦ୍ୱାର ବିଜେଡି ପ୍ରାର୍ଥୀ ସୌଭିକ ବିଶ୍ୱାଳଙ୍କୁ ହରାଇବାକୁ ବଡ଼ ଷଡଯନ୍ତ୍ର କରାଯାଇଥିଲା ।

BJD Dispute (ETV Bharat Odisha)

"ସୌଭିକଙ୍କୁ ହରାଇବା ପାଇଁ ବିଭିନ୍ନ ପ୍ରାର୍ଥୀମାନଙ୍କୁ ମ୍ୟାନେଜ କରାଯାଉଥିଲା । ବିପୁଳ ଟଙ୍କା ଦେଇ ଭୋଟକୁ ଭାଗ ଭାଗ କରିବାକୁ ଚେଷ୍ଟା କରିଥିଲେ ବିଜେଡି ନେତା । ୧୪ ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ବିତା କରୁଥିବାବେଳେ ସେମାନଙ୍କ ମଧ୍ୟରୁ ଅନେକ ପ୍ରାର୍ଥୀଙ୍କୁ ଅର୍ଥ ଦେଇ ଭୋଟକୁ ଭାଗ କରିବାକୁ ଚେଷ୍ଟା କରାଯାଇଥିଲା । ମାତ୍ର ଚୌଦ୍ୱାରବାସୀଙ୍କ ଆଶୀର୍ବାଦ ଯୋଗୁଁ ସୌଭିକ ୧୮ ହଜାର ଭୋଟରେ ବିଜୟୀ ହୋଇଥିଲେ" ବୋଲି କହିଛନ୍ତି ସୁବ୍ରତ ଘଡାଇ । ଅନ୍ୟପଟେ ଗତକାଲି (ବୁଧବାର) ପ୍ରଭାତ ଯେଉଁ ପ୍ରତିକ୍ରିୟା ରଖିଥିଲେ ତାହାକୁ ଅନୁଧ୍ୟାନ କରିଲେ ଗୋଟିଏ କଥା ସ୍ପଷ୍ଟ ଯେ, ବବି ଦାସଙ୍କୁ ନେଇ ପ୍ରଭାତ ଅସନ୍ତୋଷ ଜାହିର କରିଥିଲେ । ଏପରିକି ବବି ଦାସଙ୍କ ଉପରେ ସେ ଅଭିମାନ କରିଥିବା ପ୍ରଭାତ ସ୍ପଷ୍ଟ କରିଥିଲେ । ଆଉ ସୁବ୍ରତ ହେଉଛନ୍ତି ପ୍ରଭାତଙ୍କ ଅତି ଘନିଷ୍ଠ ।

ସୁବ୍ରତ ଘଡାଇ ଆହୁରି କହିଛନ୍ତି, "ଏକଥା ସମୀକ୍ଷା କରିବାର ଆବଶ୍ୟକତା ରହିଛି । ଦଳର ସୁପ୍ରିମୋ ଏହାର ସମୀକ୍ଷା କରିଲେ ସେ ଏକଥା ତାଙ୍କୁ ଜଣାଇବେ।" କେବଳ ସେତିକି ନୁହେଁ, ଜିଲ୍ଲାର ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ ଚୌଦ୍ୱାରରେ ଜମା ପ୍ରଚାର କରି ନାହାନ୍ତି। ଯଦିଓ ଏନେଇ ସୁବ୍ରତ କହିଛନ୍ତି ଯେ ଦେବାଶିଷ ବାରବାଟୀରେ ଦାୟିତ୍ୱ ନେଇଥିଲେ ସେଥିପାଇଁ ହୁଏତ ସମୟ ପାଇନଥିବେ । ମାତ୍ର ଜଣେ ଜିଲ୍ଲା ସଭାପତି ନିକଟବର୍ତ୍ତୀ ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ନକରିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏହା ବି ପଢନ୍ତୁ...‘ଦୁଇଜଣଙ୍କ ପାଇଁ ବିଜେଡିର ଏହି ଅବସ୍ଥା’: ମନ୍ତବ୍ୟ ଝଡ ସୃଷ୍ଟି କରିବା ପରେ ଏମିତି କହିଲେ ପ୍ରଭାତ - PRAVAT BISWAL REACTION
ଅନ୍ୟପଟେ ରାଜନୀତି ସମୀକ୍ଷକ ଡକ୍ଟର ଓମକାର ରାଉତ କହିଛନ୍ତି, "ଦଳ ଭିତରେ ଏପରି ଅସନ୍ତୋଷ ଆଗକୁ ଆହୁରି ଦେଖା ଦେଇପାରେ। ଆହୁରି ବିଜେଡି ନେତା ଏପରି ଅସନ୍ତୋଷ ଜାହିର କରିପାରନ୍ତି । ଯାହାକି ବିଜେଡି ପାଇଁ ବଡ଼ ସମସ୍ୟା ସୃଷ୍ଟି କରିପାରେ । ଯଦିଓ ଏପରି ଅସନ୍ତୋଷ ପୂର୍ବରୁ ଥିଲା ମାତ୍ର ଦଳର କ୍ଷମତା ଥିବାରୁ ସବୁ ଚୁପ ରହୁଥିଲେ । ଦଳ ବିରୋଧରେ ପ୍ରତିକ୍ରିୟା ଦେବାକୁ ସାହସ ଜୁଟାଇ ପାରୁ ନଥିଲେ । ମାତ୍ର ଦଳର ବିପର୍ଯ୍ୟୟ ଘଟିବାରୁ ନେତାଙ୍କ ମଧ୍ୟରେ ଥିବା ଅସନ୍ତୋଷକୁ ପ୍ରକାଶ କରୁଛନ୍ତି ।" ଦଳର ମୁଖ୍ୟ ଏନେଇ ପଦକ୍ଷେପ ନେବା ଆବଶ୍ୟକ ନଚେତ ବିଜେଡିର କଂଗ୍ରେସ ଭଳି ପରିସ୍ଥିତି ହେବ ବୋଲି ଚେତାଇ ଦେଇଛନ୍ତି ରାଜନୀତି ସମୀକ୍ଷକ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details