ସମ୍ବଲପୁର:ଦେଶର 5ମ ତଥା ରାଜ୍ୟର 2ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି (ଶୁକ୍ରବାର) ଥିଲା ନାମାଙ୍କନ ଭରିବାର ଶେଷ ଦିନ । ଏହି ଅବସରରେ ସମ୍ବଲପୁରରେ କଂଗ୍ରେସ, ବିଜେପି ଓ ବିଜେଡି ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ସମ୍ବଲପୁର ଲୋକସଭା ଓ ରେଙ୍ଗାଲି ବିଧାନସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ସେହିପରି ସମ୍ବଲପୁର ବିଧାନସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ନାମାଙ୍କନ ଭରିଥିବା ବେଳେ କୁଚିଣ୍ଡା ଓ ରେଢ଼ାଖୋଲ ବିଧାନ ସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି ।
ସମ୍ବଲପୁରର ଲୋକସଭା ଆସନ କଂଗ୍ରେସ ସାଂସଦ ପ୍ରାର୍ଥୀ ନଗେନ୍ଦ୍ର ପ୍ରଧାନ ଏବଂ ରେଙ୍ଗାଲି ବିଧାନସଭା ଆସନ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ଦୁରିଆ ଆଜି ବାଲିବନ୍ଧାରୁ ନିଜର ହଜାର ହଜାର ସମର୍ଥକ ଏବଂ କଂଗ୍ରେସ କର୍ମୀଙ୍କୁ ନେଇ ଏକ ବିଶାଳ ଶୋଭାଯାତ୍ରାରେ ବାହାରିଥିଲେ । ଏହି ଶୋଭାଯାତ୍ରାଟି ବାଲିବନ୍ଧାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପହଞ୍ଚିଥିଲା । ଲୋକସଭା ପ୍ରାର୍ଥୀ ନଗେନ୍ଦ୍ର ପ୍ରଧାନ ଜିଲ୍ଲାପାଳଙ୍କ ପାଖରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହାସହ ରେଙ୍ଗାଲି ବିଧାନସଭାର କଂଗ୍ରେସ ପ୍ରାର୍ଥୀ ଭାବରେ ଦିଲ୍ଲୀପ ଦୁରିଆ ମଧ୍ୟ ଅତିରିକ୍ତ ଜିଲ୍ଲାପାଳଙ୍କ ପାଖରେ ନିଜର 2 ସେଟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । କଂଗ୍ରେସର ଏହି ଶୋଭାଯାତ୍ରାରେ ସମ୍ବଲପୁର ବିଧାନସଭା ବିଧାୟକ ପ୍ରାର୍ଥୀ ଦୁର୍ଗା ପ୍ରସାଦ ପାଢ଼ୀ ଏବଂ ରେଢ଼ାଖୋଲ ବିଧାନସଭା ବିଧାୟକ ପ୍ରାର୍ଥୀ ଆସଫ ଅଲ୍ଲୀ ଖାନ, ଜିଲ୍ଲା କଂଗ୍ରେସ ସଭାପତି ଜୟ ଶଙ୍କର ମିଶ୍ର ଏବଂ କଂଗ୍ରେସର ବହୁ ନେତୃବୃନ୍ଦ ସାମିଲଥିଲେ ।
ଅନ୍ୟପଟେ ସମ୍ବଲପୁର ବିଧାନସଭା ଆସନରୁ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ନିଜ କାର୍ଯ୍ୟାଳୟରୁ ନିଜ ସମର୍ଥକ ଓ ବିଜେପି କାର୍ଯ୍ୟକର୍ତାଙ୍କ ସହ ବାହାରି ସମ୍ବଲପୁର ଉପ ଜିଲ୍ଲାପାଳ ପାଖରେ ନିଜର 4 ସେଟ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ତେବେ ଗତକାଲି କେନ୍ଦ୍ରମନ୍ତ୍ରୀଙ୍କ ହୋଇଥିବା ବିଶାଳ ରୋଡ଼ ସୋରେ ସାମିଲ ଥିଲେ ଜୟ ନାରାୟଣ ମିଶ୍ର । ଆଜି ସେ ନିରାଡାମ୍ବର ଭାବେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।
ସେହିପରି ଆଜି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଛତ୍ରିଆ ନିଜ ସମର୍ଥକଙ୍କ ସହ ଏକ ଶୋଭାଯାତ୍ରାରେ ଆସି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୁଦିନୀ ନାୟକ, ଜିଲ୍ଲା ସ୍ବତନ୍ତ୍ର ପରିଷଦ ଅଧ୍ୟକ୍ଷ ଶୋଭା ରାମ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ, ବ୍ଲକ ଅଧକ୍ଷ ଭୁବନେଶ୍ଵର କିଷାନ, ବିଜେଡ଼ିର ବରିଷ୍ଠ ପଦାଧିକାରୀ ଓ ହଜାର ହଜାର କର୍ମୀ ସାମିଲ ହୋଇଥିଲେ l