ଓଡିଶା

odisha

ETV Bharat / politics

ରାଜ ପରିବାର ବନାମ ମିଶ୍ର ପରିବାର; ବଲାଙ୍ଗୀରରେ ତେଜୁଛି 'ପକ୍କା ବଲାଙ୍ଗୀରିଆ' ରାଜନୀତି - Samarendra Targets Singhdeo Family

Samarendra Target Singhdeo Family: କିଏ ବଲାଙ୍ଗୀରିଆ ପ୍ରସଙ୍ଗରେ ବଲାଙ୍ଗୀରରେ ସାମ୍ନାସାମ୍ନି ଦୁଇ ପ୍ରମୁଖ ରାଜନୈତିକ ପରିବାର । ସିଂହଦେଓ ପରିବାରକୁ ପର୍ଯ୍ୟଟକ କହି ଟାର୍ଗେଟ କଲେ ନରସିଂହଙ୍କ ପୁଅ ସମରେନ୍ଦ୍ର ମିଶ୍ର । ଅଧିକ ପଢନ୍ତୁ

ବଲାଙ୍ଗୀରରେ 'ପକ୍କା ବଲାଙ୍ଗୀରିଆ' ରାଜନୀତି
ବଲାଙ୍ଗୀରରେ 'ପକ୍କା ବଲାଙ୍ଗୀରିଆ' ରାଜନୀତି

By ETV Bharat Odisha Team

Published : Mar 19, 2024, 10:24 PM IST

ବଲାଙ୍ଗୀରରେ 'ପକ୍କା ବଲାଙ୍ଗୀରିଆ' ରାଜନୀତି

ବଲାଙ୍ଗୀର: ବଲାଙ୍ଗୀର କାହାର ? କିଏ ଏଠିକାର ପ୍ରକୃତ ବାସିନ୍ଦା ? ଏଭଳି କିଛି ପ୍ରଶ୍ନକୁ ନେଇ ଏବେ ବଲାଙ୍ଗୀରର ଦୁଇ ପ୍ରମୁଖ ରାଜନୈତିକ ପରିବାର ମୁହାଁମୁହିଁ । କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ପରିବାର 'ପକ୍କା ବଲାଙ୍ଗୀରିଆ'କୁ ପ୍ରମୁଖ ମୁଦ୍ଦା କରିଥିବାବେଳେ ବିଜେଡିର ରାଜ ପରିବାର 'ଆମେ ଓ ଆମର ବଲାଙ୍ଗୀର'କୁ ନିର୍ବାଚନୀ ପ୍ରସଙ୍ଗ କରିଛି । ସେପଟେ ରାଜ ପରିବାରକୁ 'ପର୍ଯ୍ୟଟକ' କହି କଡା ସମାଲୋଚନା କରିଛନ୍ତି କଂଗ୍ରେସ ନେତା ସମରେନ୍ଦ୍ର ମିଶ୍ର । ସେହିପର ଦୁଇଦଳର କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି ।

ଚଳିତ ନିର୍ବାଚନରେ 'ବଲାଙ୍ଗୀର'କୁ ପ୍ରସଙ୍ଗ କରିଛନ୍ତି କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ପରିବାର ଏବଂ ବିଜେଡି ନେତା ଅନଙ୍ଗ ଉଦୟ ସିଂହଦେଓ ପରିବାର । ବିଜେଡିର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହଦେଓ ଜଣେ ସଫଳ ରାଜନୀତିଜ୍ଞ ଭାବରେ ବେଶ ଜଣାଶୁଣା । ସେ ଗତ ନିର୍ବାଚନ ଠାରୁ ଆଉ ସିଧାସଳଖ ପ୍ରତିଦ୍ବନ୍ଦ୍ବିତା କରୁନଥିଲେ ମଧ୍ୟ ଏବେ ବି ରାଜନୀତିରେ ସକ୍ରିୟ ଅଛନ୍ତି । ସେପଟେ ତାଙ୍କର ନୂଆପୀଢ଼ି ତାଙ୍କ ପୁଅ କଳିକେଶ ନାରାୟଣ ସିଂହଦେଓ ବିଗତ 20ବର୍ଷ ହେବ ନିର୍ବାଚନରେ ସକ୍ରିୟ ଅଛନ୍ତି ।

ଅନ୍ୟପଟେ ରାଜପରିବାରର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ ଦଳର ନରସିଂହ ମିଶ୍ର ମଧ୍ୟ ରାଜନୈତିକ ଗୋଟିଚାଳନାରେ ବେଶ ଦକ୍ଷ । ସେ ମଧ୍ୟ ବିଗତ ଦୁଇଥର ବଲାଙ୍ଗୀର ବିଧାୟକ ଭାବରେ ନିର୍ବାଚିତ ହୋଇ ଆସିଛନ୍ତି । ଏଥର ସେ ଆଉ ନିର୍ବାଚନ ଲଢ଼ିବେନାହିଁ ବୋଲି ସ୍ପଷ୍ଟ କରିବା ସହ ସାନ ପୁଅ ସମରେନ୍ଦ୍ର ମିଶ୍ରଙ୍କୁ ସାମ୍ନା ଆଣିଛନ୍ତି । ସମରେନ୍ଦ୍ର ଗତ ସାଧାରଣ ନିର୍ବାଚନରେ ବଲାଙ୍ଗୀର ସଂସଦୀୟ କ୍ଷେତ୍ରରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ । ଚଳିତଥର ସେ ବିଧାନସଭା ପାଇଁ ପ୍ରତିଦ୍ବନ୍ଦ୍ବିତା କରିବାକୁ କସରତ କରୁଛନ୍ତି ।

ତେବେ ଏହି ଦୁଇ ଯୁବନେତା ଏବେ ନୂଆଢଙ୍ଗରେ ବଲାଙ୍ଗୀରରେ ରାଜନୀତି ଆରମ୍ଭ କରିଛନ୍ତି । ବଲାଙ୍ଗୀରର ପ୍ରକୃତ ସନ୍ତାନ କିଏ ବୋଲି ଏମାନେ ପ୍ରଶ୍ନ ଉଠାଇଛନ୍ତି । ଯେଉଁଥିରେ ସମରେନ୍ଦ୍ର ମିଶ୍ର 'ପକ୍କା ବଲାଙ୍ଗୀରିଆ' ପ୍ରସଙ୍ଗ ନେଇ ନିଜର ପ୍ରଚାର ଜାରି ରଖିଛନ୍ତି । ଏପରିକି ଏଥିରେ ସେ ନିକଟରେ 'ପକ୍କା ବଲାଙ୍ଗୀରିଆ' ଟ୍ୟାଗରେ ଏକ ଯୁବ ସମାବେଶ ଆୟୋଜନ କରି ଏହି ପ୍ରସଙ୍ଗକୁ ସାମ୍ନାକୁ ଆଣିଥଲେ । ଏହି ଅବସରରେ ସେ କହିଛନ୍ତି, "ବଲାଙ୍ଗୀରର ସନ୍ତାନ ଓ ଏହି ମାଟି ପାଇଁ ମୋର ଅତ୍ମୀୟତା, ଦରଦ ଅଛି ବୋଲି ମୁଁ ପକ୍କା ବଲାଙ୍ଗୀରିଆ । ଯେଉଁମାନେ ଏଠାରେ ରହୁନାହାନ୍ତି, କେବଳ ନିର୍ବାଚନ ଆସିଲେ ଯେଉଁମାନେ ଏଠାକୁ ଆସିଥାନ୍ତି, ସେମାନେ ପର୍ଯ୍ୟଟକ ।’’ ଯହାକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି ।

ଏହା ମଧ୍ୟ ପଢନ୍ତୁ ......ବାଜିଲା ନିର୍ବାଚନ ବିଗୁଲ, ଲାଗୁ ହେଲା ଆଚରଣ ସଂହିତା; ଜାଣନ୍ତୁ କଣ ଏହି କଟକଣା

ସେହିପରି ସମରେନ୍ଦ୍ରଙ୍କ ଏହି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା କଳିକେଶ ନାରାୟଣ ସିଂହଦେଓ । ସେ କହିଛନ୍ତି, ‘‘ଆଜିର ବଲାଙ୍ଗୀର ଆମ ପୂର୍ବଜମାନେ ସ୍ଥାପିତ କରିଥିଲେ । ଯାହା ସମସ୍ତଙ୍କୁ ଜଣାଅଛି । ବଲାଙ୍ଗୀର ପାଇଁ ଆମେ ସେବା କରିଛୁ । ତେଣୁ କଂଗ୍ରେସ ପାଖରେ କୌଣସି ପ୍ରସଙ୍ଗ ନଥିବାରୁ ଏପରି ପ୍ରସଙ୍ଗ ଉଠାଇଛି । ଯାହାର ଜବାବ ଦେବେ ଜନତା ।" ବିଜେଡି ନେତା କଳିକେଶ ମଧ୍ୟ ଏକ ବିରାଟ ଜନ ସହଭାଗିତା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଯେଉଁଥିରେ ସବୁ ଛୋଟ ବଡ ସଂଗଠନ, ବୁଦ୍ଧିଜୀବୀଙ୍କ ସହିତ ସେ ସିଧାସଳଖ ଆଲୋଚନା କରିବା ସହ ସମସ୍ତଙ୍କ ମତ ଲୋଡିଥିଲେ ।

ଗତ ନିର୍ବାଚନରେ ଏଠାରୁ କଂଗ୍ରେସ ନେତା ନରସିଂହ ମିଶ୍ର ବାଜିମାତ କରିଥିବା ବେଳେ ଏଥର ପୁଅ ସମରେନ୍ଦ୍ର ବାପାଙ୍କ ବିଜୟ ଧାରାକୁ ବଜାୟ ରଖିବା ପାଇଁ ଆପ୍ରାଣ ଚେଷ୍ଟା କରୁଛନ୍ତି । ତେବେ କାହାର ହେବ ବଲାଙ୍ଗୀର ? କି’ଏ ପ୍ରକୃତ ବଲାଙ୍ଗୀରିଆ ? ନିର୍ବାଚନ ଫଳାଫଳ ଆସିବା ପରେ ଏସବୁ ସ୍ପଷ୍ଟ ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।



ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details