ନୂଆଦିଲ୍ଲୀ: ଆଜି ଭାରତୀୟ ଜନତା ପାର୍ଟି (ବିଜେପି) 2ୟ ପର୍ଯ୍ୟାୟରେ ଘୋଷଣା କରିଥିବା 72 ପ୍ରାର୍ଥୀଙ୍କ ମଧ୍ୟରେ 5ଜଣ କେନ୍ଦ୍ରମନ୍ତ୍ରୀ ରହିଛନ୍ତି । ଏମାନଙ୍କ ମଧ୍ୟରେ କେନ୍ଦ୍ର ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ, କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ପିୟୁଷ ଗୋଏଲ, ପ୍ରହ୍ଲାଦ ଯୋଶୀ, ରାଓ ଇନ୍ଦ୍ରଜିତ ସିଂ ରହିଛନ୍ତି । ତେବେ କେନ୍ଦ୍ରରେ ରେଳ, ଅର୍ଥ ଓ ବାଣିଜ୍ୟ ପରି ଏକାଧିକ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରଣାଳୟ ସମ୍ଭାଳିଥିବା ପିୟୁଷ ଗୋଏଲ ପ୍ରଥମ ଥର ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଯାଉଛନ୍ତି ।
ଗୋଏଲ ପୂର୍ବରୁ 3 ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ଏଥର 370 ଆସନ ଜିତିବାର ଲକ୍ଷ୍ୟ ନେଇ ନିର୍ବାଚନ ଲଢିବାକୁ ଯାଉଥିବା ଭାରତୀୟ ଜନତା ପାର୍ଟି ତାଙ୍କୁ ମୁମ୍ବାଇ-ଉତ୍ତର ଲୋକସଭା ଆସନରୁ ଲଢାଇବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । 2014 ରୁ ଦଳର ଅନ୍ୟ ପ୍ରମୁଖ ନେତା ଗୋପାଲ ସେଟ୍ଟୀ ଏହି ଆସନରେ ସାଂସଦ ରହିଆସିଛନ୍ତି । ତେବେ ଏହି ପର୍ଯ୍ୟାୟରେ ପିୟୁଷ ପ୍ରଥମ ଥର ନିର୍ବାଚନ ଲଢିବାକୁ ଯାଉଥିବା ବେଳେ ପ୍ରଥମ ପର୍ଯ୍ୟାୟ ତାଲିକାରେ ମଧ୍ୟ ପ୍ରଥମଥର ସାଧାରଣ ନିର୍ବାଚନ ଲଢିବାକୁ ଯାଉଥିବା କେନ୍ଦ୍ରମନ୍ତ୍ରୀ ରହିଥିଲେ । ସ୍ବାସ୍ଥ୍ୟମନ୍ତ୍ରୀ ଡ.ମନସୁଖ ମାଣ୍ଡବ୍ୟ, କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ମଧ୍ୟ ଚଳିତ ସାଧାରଣ ନିର୍ବାଚନ ପ୍ରତିଦ୍ବନ୍ଦ୍ବିତାରେ ଡେବ୍ୟୁ କରିବାକୁ ଯାଉଛନ୍ତି ।