ନୂଆଦିଲ୍ଲୀ: ଦୁବାଇରେ ଭାରତୀୟ ବୈଦେଶିକ ସଚିବ ବିକ୍ରମ ମିଶ୍ର ଏବଂ ଆଫଗାନିସ୍ତାନର କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀ ମୁଲ୍ଲା ଆମିର ଖାନ ମୁତାକିଙ୍କ ମଧ୍ୟରେ ଏକ ଜୁରୁରୀ ଆଲୋଚନା ହୋଇଛି । ନିକଟରେ ଶେଷ ହୋଇଥିବା ଏହି ବୈଠକ ଦକ୍ଷିଣ-ଏସିଆର ପରିବର୍ତ୍ତିତ ସ୍ଥିତିରେ ସଦ୍ୟତମ ଘଟଣା । ଗତବର୍ଷ ଅଗଷ୍ଟରେ ବାଂଲାଦେଶରେ ଶେଖ ହାସିନା ଶାସନର ପତନ ସହିତ ରାଜନୈତିକ ସ୍ଥିତି ମଧ୍ୟ ବଦଳିବା ଆରମ୍ଭ ହୋଇଥିଲା । ସେବେଠାରୁ ବାଂଲାଦେଶକୁ ଭାରତରୁ ନିରନ୍ତର ସମର୍ଥନ ସତ୍ତ୍ୱେ ମଧ୍ୟ ଢାକା କ୍ରମଶଃ ପାକିସ୍ତାନ ଆଡକୁ ଆକର୍ଷିତ ହେଉଥିବା ପରି ଦୃଶ୍ୟମାନ ହେଉଛି ।
- ପାକିସ୍ତାନରୁ ଗୋଳାବାରୁଦ ଆମଦାନୀ କରିବ ବାଂଲାଦେଶ
ପାକିସ୍ତାନରୁ ଗୋଳାବାରୁଦ ଏବଂ ଖାଦ୍ୟଶସ୍ୟ ଆମଦାନୀ ଏବଂ ପାକ୍ ବୈଦେଶିକ ମନ୍ତ୍ରୀ ଇସାକ ଦାରଙ୍କ ଆଗାମୀ ବାଂଲାଦେଶ ଗସ୍ତ ଏହି ପରିବର୍ତ୍ତିତ ସ୍ଥିତିର ସୂଚକ ଭାବେ ସାମ୍ନାକୁ ଆସିଛି । ଇଶାକ ଦାର ଏକ ମନ୍ତବ୍ୟରେ ଉଲ୍ଲେଖ କରିଥିଲେ, ବାଂଲାଦେଶ ପାକିସ୍ତାନର 'ହଜିଯାଇଥିବା ଭାଇ' । ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ମଧ୍ୟରେ ଏକାଧିକ ବୈଠକ ହେବା ପରେ ଇଶାକ ଦାରଙ୍କ ଏହି ଗସ୍ତ ଚୂଡାନ୍ତ ହୋଇଛି । ଏହି ପ୍ରସ୍ତାବିତ ଗସ୍ତରେ ଉଭୟ ଦେଶର ସମ୍ପର୍କକୁ ପୁନଃନିର୍ମାଣ କରିବାକୁ ଚେଷ୍ଟା କରାଯିବ ବୋଲି ସୂଚନା ମିଳିଛି ।
- ଢାକା ସହ ଆଲୋଚନା ଜାରି ରଖିଥିଲା ନୂଆଦିଲ୍ଲୀ
‘ସାର୍କ’କୁ ପୁଣି ଥରେ ସକ୍ରିୟ କରିବା ପାଇଁ ୟୁନୁସଙ୍କ ବାରମ୍ବାର ଆହ୍ୱାନ ନୂଆଦିଲ୍ଲୀ ପାଇଁ ହତାଶାର କାରଣ ହୋଇଛି । ଭାରତ ୟୁନୁସଙ୍କ ଦାବିକୁ ଅଣଦେଖା କରି ଉଭୟ ଦେଶର ଦ୍ବିପାକ୍ଷିକ ସମ୍ପର୍କରେ ଉନ୍ନତି ଆଣିବାକୁ ଆଶା ରଖିଥିଲା । ସେହି ଆଭିମୁଖ୍ୟ ସହ ନୂଆଦିଲ୍ଲୀ ଢାକା ସହ ଆଲୋଚନା ମଧ୍ୟ ଜାରି ରଖିଥିଲା । ଏବେ ସେହି ସ୍ଥିତିରେ କୌଣସି ସୁଫଳ ମିଳିବା ପରି ଦୃଶ୍ୟମାନ ହେଉନାହିଁ । ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ସାମରିକ ସହଯୋଗ ବୃଦ୍ଧି ପାଉଥିବା ନେଇ ରିପୋର୍ଟ ମଧ୍ୟ ସାମ୍ନାକୁ ଆସିଲାଣି । ସୂଚନା ଅନୁଯାୟୀ, ଭାରତ ବିପକ୍ଷରେ ପ୍ରତିରୋଧ ସ୍ୱରୂପ ବାଂଲାଦେଶ ପାକିସ୍ତାନରୁ ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ ତୁର୍କୀରୁ ଟ୍ୟାଙ୍କ କିଣିବା ବିଷୟରେ ବିଚାର ମଧ୍ୟ ଆରମ୍ଭ କରିଛି ।
- ବାଂଲାଦେଶ ସେନାକୁ ତାଲିମ ଦେବ ପାକିସ୍ତାନ
ଏହା ବ୍ୟତୀତ, ପାକିସ୍ତାନ ସେନା ଚଳିତବର୍ଷ ଫେବୃଆରୀରୁ ବାଂଲାଦେଶ ସେନାକୁ ତାଲିମ ଦେବା ଆରମ୍ଭ କରିବ । ଏହି ତାଲିମ ବାଂଲାଦେଶର ଚାରୋଟି କ୍ୟାଣ୍ଟନମେଣ୍ଟରେ ଦିଆଯିବାକୁ କ୍ଷେତ୍ର ପ୍ରସ୍ତୁତି ଜାରି ରହିଛି । ପାକିସ୍ତାନୀ ଦଳର ନେତୃତ୍ୱ ମେଜର ଜେନେରାଲ ପାହ୍ୟାର ଜଣେ ଅଧିକାରୀ ନେବାକୁ କରାଚି ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଯଦିଓ ପାକ୍ ସୈନ୍ୟଙ୍କ ତାଲିମ ଭାରତ ପାଇଁ ଏକ ପ୍ରମୁଖ ଚିନ୍ତାର ବିଷୟ ନୁହେଁ, କିନ୍ତୁ ଚିନ୍ତାର ବିଷୟ ହେଉଛି ଯେ ପାକିସ୍ତାନରେ ମୌଳବାଦ ବୃଦ୍ଧି ପାଇବ । ଏହା ବ୍ୟତୀତ, ଭାରତ-ବାଂଲାଦେଶ ସାମରିକ ସମ୍ପର୍କ ମଧ୍ୟ ପ୍ରତ୍ୟକ୍ଷ ଭାବେ ପ୍ରଭାବିତ ହେବ । କାରଣ ଏହି ପ୍ରୟାସରେ ଭାରତ ବିରୋଧୀ ତତ୍ତ୍ୱଗୁଡ଼ିକୁ ମଧ୍ୟ ଏହି ଏଜେଣ୍ଡା ସହ ଯୋଡାଯିବାର ଅନେକାଂଶରେ ଆଶଙ୍କା ରହିଛି । ଭାରତ ବ୍ୟତୀତ ବାଂଲାଦେଶ ପାଇଁ ଅନ୍ୟ କୌଣସି ବିପଦ ନାହିଁ । ପାକିସ୍ତାନ ବାଂଲାଦେଶରେ ପ୍ରବେଶ କରିବା ସହିତ, ଚୀନ୍ ମଧ୍ୟ ଖୁବ୍ ଶୀଘ୍ର ବାଂଲାଦେଶରେ ପ୍ରବେଶ କରିବାର ଆଶଙ୍କା ରହିଛି । ଯାହା ନୂଆଦିଲ୍ଲୀ ପାଇଁ ଚିନ୍ତାର ବିଷୟ ହେବାକୁ ଯାଉଛି ।
- ଭାରତ ବିରୋଧରେ ଆତଙ୍କବାଦୀ ପ୍ରସ୍ତୁତ କରିବ ପାକିସ୍ତାନ
ଏହା ବ୍ୟତୀତ, ପାକିସ୍ତାନର ଗୁଇନ୍ଦା ସଂସ୍ଥା ‘ଆଇଏସଆଇ’ ପାଇଁ ଭାରତ ବିରୋଧୀ ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକୁ ତାଲିମ ଦେବା ପାଇଁ ଦେଶରେ ନୂଆ ଆଡ୍ଡା ସ୍ଥାପନ କରିବାର ପଥ ପରିଷ୍କାର କରିଦେବ । ଏହା ପୂର୍ବରୁ ମଧ୍ୟ ପାକିସ୍ତାନ ଏପରି କରି ଆସିଛି । ଯଦି ପାକିସ୍ତାନ ସେନା ଏପରି କରିବାରେ ସଫଳ ହୁଏ, ତେବେ ବାଂଲାଦେଶ ମଧ୍ୟ କାଶ୍ମୀରୀ ଆତଙ୍କବାଦୀଙ୍କୁ ଭାରତ ପଠାଇବାର ଏକ ମାଧ୍ୟମ ହୋଇପାରେ । ବିଶେଷ ସୂତ୍ରରୁ ଏକ ଗୁପ୍ତ ରିପୋର୍ଟ କହୁଛି ଯେ ଏହି ପ୍ରକ୍ରିୟା ଆରମ୍ଭ ମଧ୍ୟ ହୋଇସାରିଛି ।
- ଭାରତ- ଆଫଗାନିସ୍ତାନ ଆଲୋଚନା
ଭାରତୀୟ ବୈଦେଶିକ ସଚିବ ଏବଂ ଆଫଗାନିସ୍ତାନର କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଏହି ବୈଠକ ଇସଲାମାବାଦକୁ ଚେତାବନୀ ଦେବାର ଏକ ପ୍ରୟାସ ଥିଲା ବୋଲି ବିଚାର କରାଯାଉଛି । ଯଦି ପାକିସ୍ତାନ ବାଂଲାଦେଶରୁ ଭାରତ ପ୍ରତି ସମସ୍ୟା ସୃଷ୍ଟି କରିବାର ନିଷ୍ପତ୍ତି ନି’ଏ ତେବେ ପରିଣାମ କ'ଣ ହୋଇପାରେ, ତାହା ନୂଆଦିଲ୍ଲୀ ପରୋକ୍ଷରେ ଚେତାଇ ଦେବାକୁ ଚାହୁଁଥିଲା । ଆଫଗାନିସ୍ତାନରେ ଆମେରିକା ଏବଂ ନାଟୋ ବିରୋଧରେ ସଂଘର୍ଷ ସମୟରେ ପାକିସ୍ତାନ ତାଲିବାନକୁ ସମର୍ଥନ କରିବା ସତ୍ତ୍ୱେ, ବର୍ତ୍ତମାନ ପାକିସ୍ତାନ ଏବଂ ଆଫଗାନିସ୍ତାନର ଭଲ ସମ୍ପର୍କ ନାହିଁ । ଯାହା ଆବଶ୍ୟକସ୍ଥଳେ ଭାରତ ପାଇଁ ଆଫଗାନିସ୍ତାନ ସହ ସମ୍ପର୍କ ଯୋଡିବାର ଏକ ପ୍ରମୁଖ କାରଣ ଭାବେ ସାମ୍ନାକୁ ଆସିପାରେ ।