ହାଇଦ୍ରାବାଦ:ପଞ୍ଚାୟତିରାଜ ଅନୁଷ୍ଠାନ (PRI) ଗ୍ରାମୀଣ ଭାରତର ଆକାଂକ୍ଷା ପୂରଣ କରିବାର ଏକ ପ୍ରମୁଖ ମାଧ୍ୟମ ଓ ବଳିଷ୍ଠ ମଞ୍ଚ । ଗ୍ରାମାଞ୍ଚଳର ଏହି ନିର୍ବାଚିତ ସ୍ଥାନୀୟ ସଂସ୍ଥା, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ଓ ବିକାଶମୂଳକ ନୀତିକୁ କାର୍ଯ୍ୟକାରୀ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ତୃଣମୂଳ ସ୍ତରର ବିକାଶ ପାଇଁ ଏହା ହେଉଛି ସବୁଠାରୁ ଉପଯୁକ୍ତ ବ୍ୟବସ୍ଥା ଓ ଅନୁଷ୍ଠାନ । ତେବେ ଏହି କ୍ଷେତ୍ରରେ ଏକାଧିକ ସୀମିତ କ୍ଷମତାଗତ ସମସ୍ୟା ମଧ୍ୟ ରହିଛି । ନିଜସ୍ୱ ରାଜସ୍ୱର ଅଭାବ ଏବଂ ପର୍ଯ୍ୟାପ୍ତ ସରକାରୀ ଅନୁଦାନ ଉପରେ ଅଧିକ ନିର୍ଭରଶୀଳତା ଏହି ସମସ୍ୟା ମଧ୍ୟରେ ପ୍ରମୁଖ ।
- ଭାରତରେ ମୋଟ 2.62 ଲକ୍ଷ ପଞ୍ଚାୟତିରାଜ ଅନୁଷ୍ଠାନ:-
କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, 2023 ମସିହା ଅକ୍ଟୋବର ଶେଷ ସୁଦ୍ଧା ଭାରତରେ 2.62 ଲକ୍ଷ ପଞ୍ଚାୟତିରାଜ ଅନୁଷ୍ଠାନ ରହିଛି । ଯେଉଁଥିରେ 2.55 ଲକ୍ଷ ଗ୍ରାମ ପଞ୍ଚାୟତ, 6,707 ମଣ୍ଡଳ/ବ୍ଲକ ପଞ୍ଚାୟତ ଏବଂ 665 ଜିଲ୍ଲା ପରିଷଦ ଅନ୍ତର୍ଭୁକ୍ତ ରହିଛି । ଗ୍ରାମାଞ୍ଚଳରେ ବିଭିନ୍ନ ଅତ୍ୟାବଶ୍ୟକ ସେବା ତଥା ବିକାଶମୂଳକ କାର୍ଯ୍ୟକଳାପ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଏହି ଅନୁଷ୍ଠାନଗୁଡିକ ସିଧା ବା ପ୍ରତ୍ୟେକ୍ଷ ଦାୟିତ୍ବ ଗ୍ରହଣ କରିଛନ୍ତି ।
- 73ତମ ସମ୍ବିଧାନ ସଂଶୋଧନ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଧିକ କ୍ଷମତାଶାଳୀ କରିଥିଲା
ପଞ୍ଚାୟତିରାଜ ଅନୁଷ୍ଠାନଗୁଡିକୁ ଅଧିକ ଆତ୍ମନିର୍ଭରଶୀଳ ଏବଂ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରାଯିବା ନିହାତି ଆବଶ୍ୟକ । 1992 ମସିହାରେ 73ତମ ସମ୍ବିଧାନ ସଂଶୋଧନରେ ଏକ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ କାର୍ଯ୍ୟକାରୀ ହୋଇଥିଲା । ଯେଉଁଥିରେ 29ଟି ବିଷୟ ଉଲ୍ଲେଖ କରାଯାଇଥିଲା । ଏହି ସଂଶୋଧନ ଅନୁସାରେ, ସ୍ଥାନୀୟ ଅର୍ଥନୈତିକ ବିକାଶ ତଥା ସାମାଜିକ ନ୍ୟାୟକୁ ପ୍ରୋତ୍ସାହିତ କରିବା ପାଇଁ ଯୋଜନା ପ୍ରସ୍ତୁତ ଏବଂ କାର୍ଯ୍ୟକାରୀ କରିବାର ଦାୟିତ୍ୱ ଗ୍ରାମ ପଞ୍ଚାୟତ ନିକଟରେ ନ୍ୟସ୍ତ କରାଯାଇଥିଲା । ମାତ୍ର ତାହା ସଫଳ ଭାବେ କାର୍ଯ୍ୟକାରୀ ହେବା ଦିଗରେ ସେପରି ଆଖିଦୃଶିଆ ସକରାତ୍ମକ ପ୍ରଭାବ ଦେଖାଯାଇନଥିଲା ।
- ରାଜ୍ୟ ସରକାରଙ୍କ ଆର୍ଥିକ ଅନୁଦାନ ଉପରେ ନିର୍ଭରଶୀଳ ପଞ୍ଚାୟତିରାଜ ବ୍ୟବସ୍ଥା
ଭାରତୀୟ ସମ୍ବିଧାନର ଧାରା-243 (ଏଚ) ପଞ୍ଚାୟତକୁ ଟିକସ, ଶୁଳ୍କ, ଟୋଲ ଏବଂ ଫି ଆଦାୟ, ସଂଗ୍ରହ ଏବଂ ବଣ୍ଟନ କରିବାକୁ କ୍ଷମତା ପ୍ରଦାନ କରିଛି । ତଥାପି, ସ୍ଥାନୀୟ ବ୍ୟବସ୍ଥା (ପଞ୍ଚାୟତକୁ) ଟିକସ ବିକେନ୍ଦ୍ରୀକରଣ କରାଯିବା ଉଚିତ କି ନାହିଁ, ସେ ସମ୍ପର୍କରେ ନିଷ୍ପତ୍ତି ମୁଖ୍ୟତଃ ରାଜ୍ୟ ବିଧାନସଭା ନେବା ପାଇଁ କ୍ଷମତାସୀନ ହୋଇଛି । ପଞ୍ଚାୟତିରାଜ ବ୍ୟବସ୍ଥାରେ ସର୍ବନିମ୍ନ ରାଜସ୍ୱ ଉତ୍ସ କାରଣରୁ ପଞ୍ଚାୟତଗୁଡିକ ମୁଖ୍ୟତଃ ରାଜ୍ୟ ସରକାରଙ୍କ ଅନୁଦାନ ମାଧ୍ୟମରେ ପ୍ରଦାନ କରାଯାଇଥିବା ଆର୍ଥିକ ସହାୟତା ଉପରେ ନିର୍ଭର କରନ୍ତି ।
- କଣ ସୁପାରିଶ କରିଥିଲା ବଲୱନ୍ତ ରାୟ କମିଟି
ଏହି ସମସ୍ୟା ସମ୍ପର୍କରେ 1957 ମସିହାରେ ବଲୱନ୍ତ ରାୟ କମିଟି ନିଜ ରିପୋର୍ଟରେ ଏକ ବଡ କଥା ଉଲ୍ଲେଖ କରିଥିଲା । ରାଜ୍ୟ ସରକାରଙ୍କ ଆର୍ଥିକ ସହାୟତା ବିନା ପଞ୍ଚାୟତଗୁଡିକର ରକ୍ଷଣାବେକ୍ଷଣ ପାଇଁ ପ୍ରାଥମିକ ଆୟ ଅତ୍ୟନ୍ତ ସୀମିତ ଏବଂ ପର୍ଯ୍ୟାପ୍ତ ନୁହେଁ ବୋଲି ସେତେବେଳେ ଏହି କମିଟି ରିପୋର୍ଟ ପ୍ରକାଶ କରିଥିଲା । ଯାହା ସ୍ଥାନୀୟ ସଂସ୍ଥାକୁ ଅଧିକ ଆର୍ଥିକ ସହାୟତା ପ୍ରଦାନ କରାଯିବା ଉଚିତ ବୋଲି ଏହି କମିଟି ଏକ ପରୋକ୍ଷ ସୁପାରିଶ କରିଥିଲା ।
- ରାଜ୍ୟ ଅର୍ଥ ଆୟୋଗ ଗଠନ ଓ ଭୂମିକା