ଗଣ୍ଠି ଆମ ଶରୀରର ଗୁରୁତ୍ବପୂର୍ଣ୍ଣ ଅଂଶ । ଗଣ୍ଠି ସହ ଜଡିତ ସମସ୍ୟା ଆମର ଦୈନନ୍ଦିନ କାର୍ଯ୍ୟ ତଥା ସାଧାରଣ ଜୀବନକୁ ଖୁବ୍ ପ୍ରଭାବିତ କରିଥାଏ । ପୂର୍ବରୁ ଗଣ୍ଠି ସମସ୍ୟା ମୁଖ୍ୟତଃ ବୃଦ୍ଧାବସ୍ଥାରେ ଦେଖାଯାଉଥିଲା । ହେଲେ ଆଜିକାଲି ଖରାପ ଖାଦ୍ୟାଭ୍ୟାସ, ଜୀବନଶୈଳୀ ଏବଂ ସ୍ବାସ୍ଥ୍ୟ ପ୍ରତି ଅବହେଳା କାରଣରୁ କମ୍ ବୟସରୁ ଲୋକମାନେ ଗଣ୍ଠି ଯନ୍ତ୍ରଣା ସମସ୍ୟାରେ ପୀଡିତ ହେଉଛନ୍ତି । ଏନେଇ ଚିକିତ୍ସକ କୁହନ୍ତି, ଖାଦ୍ୟ ଓ ଜୀବନଶୈଳୀ ସହ ଜଡିତ କିଛି ଛୋଟ ଅଭ୍ୟାସକୁ ସୁଧାରି ଆମେ ଆମର ଗଣ୍ଠି ସ୍ବାସ୍ଥ୍ୟ ଦୀର୍ଘ ଦିନ ଯାଏଁ ସୁସ୍ଥ ରଖିପାରିବା ।
କାହିଁକି ଗଣ୍ଠି ଯନ୍ତ୍ରଣା ହୁଏ ?
ନୂଆଦିଲ୍ଲୀର ଅର୍ଥୋପେଡିକ ବିଶେଷଜ୍ଞ ଡଃ ରାକେଶ ଅଗ୍ରୱାଲ କହିଛନ୍ତି ଯେ, ଗଣ୍ଠି ଶରୀରର ଗୁରୁତ୍ବପୂର୍ଣ୍ଣ ଅଂଶ ଯାହା ଆମକୁ ବସିବା, ଉଠିବା ଓ ଚାଲିବାରେ ସାହାଯ୍ୟ କରେ । ହେଲେ ବେଳେବେଳେ ଅଜାଣତରେ ଆମେ ଆମର କିଛି ଭୁଲ୍ ଅଭ୍ୟାସ ଓ କାର୍ଯ୍ୟକଳାପ ହେତୁ ଗଣ୍ଠିକୁ ହାନି ପହଞ୍ଚିଥାଉ ।
ଗଣ୍ଠି ସମସ୍ୟାର ବିଭିନ୍ନ କାରଣ ହୋଇପାରେ ଯେମିତିକି- ବାରମ୍ବାର ଭୁଲ ମୁଦ୍ରାରେ ବସିବା-ଉଠିବା-ଚାଲିବା, ଭାରି ଜିନିଷ ଉଠାଇବା, ମୋଟାପଣ କିମ୍ବା ଆବଶ୍ୟକତାଠୁ ଅଧିକ ବ୍ୟାୟାମ କରିବା ଇତ୍ୟାଦି । ଏସବୁ ଆମର ଗଣ୍ଠି ଉପରେ ଅତିରିକ୍ତ ଚାପ ପକାଇଥାଏ । ଏହାଛଡା ବସୟ ବଢିବା ସହ ଗଣ୍ଠି ସମସ୍ୟା ଏବଂ ଏହାର ଚିକିତ୍ସାରେ ଅବହେଳା, ଅସ୍ବାସ୍ଥ୍ୟକର ଖାଦ୍ୟ, ଶରୀରରେ ପୋଷକ ତତ୍ତ୍ବର ଅଭାବ ଗଣ୍ଠି ସ୍ବାସ୍ଥ୍ୟ ପ୍ରଭାବିତ କରିଥାଏ । ଡାକ୍ତର କହିଛନ୍ତି ଯେ, ଅଧିକାଂଶ ସମୟରେ ଗଣ୍ଠି କିମ୍ବା ହାଡରେ ସମସ୍ୟା ହେଲେ ଯନ୍ତ୍ରଣା, ଫୁଲିବା ଭଳି ଲକ୍ଷଣ ଦେଖାଯାଏ । ହେଲେ ଏଗୁଡିକୁ ଅଣଦେଖା କରିବା ଦ୍ବାରା ଭବିଷ୍ୟତରେ ଗୁରୁତର ସମସ୍ୟାର ରୂପ ନେଇଥାଏ ।
ଗଣ୍ଠିକୁ ହାନି ପହଞ୍ଚାଉଥିବା ଅଭ୍ୟାସ:
ଲଗାତାର ଭୁଲ୍ ମୁଦ୍ରାରେ ବସିବା ଯୋଗୁଁ ଗଣ୍ଠି ଉପରେ ଚାପ ପଡିଥାଏ ।
ବାରମ୍ବାର ଓଜନିଆ ଜିନିଷ ଉଠାଇବା ଦ୍ବାରା ଗଣ୍ଠି ଯନ୍ତ୍ରଣା ହୁଏ ।
ଅତ୍ୟଧିକ ବ୍ୟାୟାମ ଗଣ୍ଠିକୁ କ୍ଲାନ୍ତ କରେ ଓ ସେଥିରେ ଯନ୍ତ୍ରଣା ହୋଇପାରେ ।
ଦୀର୍ଘ ସମୟ ଧରି ଗୋଟିଏ ଅବସ୍ଥାରେ ବସିବା କିମ୍ବା ଗଣ୍ଠିକୁ ସ୍ଥିର ରଖିଲେ ଯନ୍ତ୍ରଣା ହୋଇପାରେ ।
ଅଧିକ ସମୟ ଯାଏଁ ଛିଡା ହୋଇରହିବା ଦ୍ବାରା ଗଣ୍ଠିରେ ଥକ୍କାପଣ ଓ ଯନ୍ତ୍ରଣା ହୋଇପାରେ ।
ମେଦବହୁଳତା ମଧ୍ୟ ଗଣ୍ଠି ଉପରେ ଚାପ ପକାଇଥାଏ ।
ହାଇ ହିଲ୍, ଅତ୍ୟଧିକ ଟାଇଟ୍ କିମ୍ବା ଭୁଲ୍ ସାଇଜ ଜୋତା ପିନ୍ଧିବା ଯୋଗୁଁ ଗଣ୍ଠି ଯନ୍ତ୍ରଣା ଭଳି ସମସ୍ୟା ହୋଇପାରେ ।