ଓଡିଶା

odisha

ETV Bharat / health

ପାଟିରେ ଘା' ହୋଇ ଶୁଖୁନି କି ? ହୋଇପାରେ ଘାତକ ଓରାଲ କ୍ୟାନ୍ସର - Oral cancer - ORAL CANCER

Oral cancer causes & symptoms: ଅଧିକ ତମାଖୁ, ବିଡି, ସିଗାରେଟ ସେବନ କରୁଛନ୍ତି ? ଅନେକ ଦିନ ହେଲା ପାଟିରେ ଘା' ହୋଇଛି କିନ୍ତୁ ଶୁଖୁନି ? ତାହେଲେ ଆଦୌ କରନ୍ତୁନି ଅଣଦେଖା । ଏସବୁ ହୋଇପାରେ ମୁଖ କର୍କଟ ବା ଓରାଲ କ୍ୟାନ୍ସରର କାରଣ । ପଢନ୍ତୁ ପୁରା ଖବର

ପାଟିରେ ଘା' ହୋଇ ଶୁଖୁନି କି ? ହୋଇପାରେ ଘାତକ ଓରାଲ କ୍ୟାନ୍ସର
ପାଟିରେ ଘା' ହୋଇ ଶୁଖୁନି କି ? ହୋଇପାରେ ଘାତକ ଓରାଲ କ୍ୟାନ୍ସର (ETV Bharat)

By ETV Bharat Health Team

Published : Sep 27, 2024, 4:48 PM IST

Updated : Sep 27, 2024, 5:47 PM IST

ଭୁବନେଶ୍ବର: ସମଗ୍ର ବିଶ୍ବରେ ଏବେ କର୍କଟ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଖରାପ ଜୀବନଶୈଳୀ ଓ ଅସ୍ବାସ୍ଥ୍ୟକର ଖାଦ୍ୟପେୟ ଏହାର ମୁଖ୍ୟ କାରଣ । ଯେଉଁ ବିଭିନ୍ନ ପ୍ରକାରର କ୍ୟାନ୍ସର ରହିଛି, ତନ୍ମଧ୍ୟରୁ ଅନ୍ୟତମ 'ଓରାଲ କ୍ୟାନ୍ସର' ବା 'ମୁଖ କର୍କଟ' । ପାଟି ଭିତରେ ହେଉଥିବା କ୍ୟାନ୍ସରକୁ 'ଓରାଲ କ୍ୟାନ୍ସର' (Mouth Cancer) କୁହାଯାଏ । ଏହି କ୍ୟାନ୍ସର ଅତ୍ୟନ୍ତ ଭୟଙ୍କର ଏବଂ ମୁଖ୍ୟତଃ ନିୟମିତ ପାନ, ବିଡି, ତମାଖୁ, ଗୁଟ୍‌ଖା ଓ ସିଗାରେଟ୍ ସେବନ ଯୋଗୁଁ ହୋଇଥାଏ । ଓରାଲ କ୍ୟାନ୍ସର ଆରମ୍ଭରେ ଅର୍ଥାତ୍ ପ୍ରଥମ ଷ୍ଟେଜରେ ହିଁ ଏହାର ଲକ୍ଷଣ ଧୀରେ ଧୀରେ ଦେଖାଯାଇଥାଏ । ଏହାକୁ ଅଣଦେଖା କଲେ ପରବର୍ତ୍ତୀ ସମୟରେ ରୋଗୀ ମୃତ୍ୟୁମୁଖରେ ପଡିଥାଏ । ଓରାଲ କ୍ୟାନ୍ସର ଶୀଘ୍ର ବ୍ୟାପୁଥିବାରୁ ଏହାର ଶୀଘ୍ର ଚିହ୍ନଟ ହେବା ଅତି ଜରୁରୀ । ତେବେ ମୁହଁରେ ଘା' ହେଲେ ଏବଂ ଏହା ଦୀର୍ଘ ଦିନ ଧରି ନ ଶୁଖିଲେ ଓରାଲ କ୍ୟାନ୍ସର ହୋଇପାରେ । ଏନେଇ ଅଧିକ ସୂଚନା ଦେଇଛନ୍ତି କ୍ୟାନ୍ସର ବିଶେଷଜ୍ଞ ଡାକ୍ତର ନୀତିଶ ରଞ୍ଜନ ଆଚାର୍ଯ୍ୟ ।

ଓରାଲ କ୍ୟାନ୍ସର ଓ ଏହାର ଲକ୍ଷଣ:

ପାଟିରେ ଘା' ହୋଇ ଶୁଖୁନି କି ? ହୋଇପାରେ ଘାତକ ଓରାଲ କ୍ୟାନ୍ସର (ETV Bharat)

କ୍ୟାନ୍ସର ବିଶେଷଜ୍ଞ ଡାକ୍ତର ନୀତିଶ ରଞ୍ଜନ ଆଚାର୍ଯ୍ୟ କହିଛନ୍ତି, "ବହୁତ ଦିନ ଧରି ପାଟିରେ ଘା' ଲାଗି ରହିଲେ, ତାହା ଓରାଲ କ୍ୟାନ୍ସରର କାରଣ ହୋଇପାରେ । ବିଶେଷ ଭାବେ ଯେଉଁମାନେ ଧୂମ୍ରପାନ ତଥା ତମାଖୁ ସେବନ କରିଥାନ୍ତି, ସେମାନଙ୍କୁ ଓରାଲ କ୍ୟାନ୍ସର ହେବାର ସମ୍ଭାବନା ଅଧିକ ଥାଏ । ଅସ୍ବାଭାବିକ ଭାବେ ଓଜନରେ ବୃଦ୍ଧି କିମ୍ବା ହ୍ରାସ, ଭୋକ କମିବା, କେଶ ଝଡିବା ଇତ୍ୟାଦି କ୍ୟାନ୍ସରର ପ୍ରାରମ୍ଭିକ ଲକ୍ଷଣ ହୋଇଥାଏ ।''

ପାଟିରେ ଘା' ହୋଇ ଶୁଖୁନି କି ? ହୋଇପାରେ ଘାତକ ଓରାଲ କ୍ୟାନ୍ସର (ETV Bharat)

ଏହି କ୍ୟାନ୍ସର ମୁହଁର ଯେକୌଣସି ସ୍ଥାନରେ ହୋଇପାରେ । ଜିଭ, ଗାଲ, ଗଳା ଏବଂ ଦାନ୍ତରେ ହୋଇପାରେ । ସାଧାରଣତଃ ପାଟି ମଧ୍ୟରେ ଯେଉଁ ଘା' ହୋଇଥାଏ ତାହାର କାରଣ ମୁଖ୍ୟତଃ ଭିଟାମିନ ଅଭାବ । ଭିଟାମିନ ଔଷଧ ଖାଇବା ଦ୍ଵାରା ପାଟି ଘା' ଭଲ ହୋଇଯାଇଥାଏ । କିନ୍ତୁ ଯେଉଁ ଘା ଭଲ ହୁଏ ନାହିଁ ବରଂ ଅଧିକ ବଢି ଚାଲେ, ତେବେ ଓରାଲ କ୍ୟାନ୍ସର ଲକ୍ଷଣ ହୋଇପାରେ । ଓରାଲ କ୍ୟାନ୍ସର ବେକକୁ ମଧ୍ୟ ବ୍ୟାପିଥାଏ । ଯଦି କୌଣସି ବ୍ଯକ୍ତିର ବେକରେ ଏକ ପ୍ରକାର ଗେଟା ହେଉଛି ତାହେଲେ ଅବହେଳା ନ କରି ତୁରନ୍ତ ଏହାର ଟେଷ୍ଟ କରିବା ଆବଶ୍ୟକ ।

  • ମୁହଁ, ଜିଭ, ଓଠ କିମ୍ବା ଗଳାରେ ଘା' ହେବା
  • ଗଳାରେ ଗେଟା ରହିବା
  • ଘା' ନ ଶୁଖିବା
  • ଭୋକ ନ ଲାଗିବା
  • ଅସ୍ବାଭାବିକ ଭାବେ ଓଜନ ବଢିବା କିମ୍ବା କମିବା
  • କେଶ ଝଡିବା
  • ଯଦି ଫୁସଫୁସ୍‌କୁ ଆକ୍ରାନ୍ତ କରେ ଛାତିରେ ପାଣି ଜମିବା
  • ନିଶ୍ଵାସ ନେବା ଅସୁବିଧା ହେବା

    ମୁହଁରେ ଘା' ହେଲେ କ'ଣ କରିବେ:

କ୍ୟାନ୍ସର ବିଶେଷଜ୍ଞ କହିଛନ୍ତି, ମୁହଁରେ ଘା' ହେଲେ ଏକ ବାୟୋସ୍ପି କରିବା ଆବଶ୍ୟକ । ଯଦି କ୍ୟାନ୍ସର ଅଛି ତେବେ ଏହା କେଉଁ ଷ୍ଟେଜରେ ରହିଛି ଜାଣିବା ଆବଶ୍ୟକ । ବିଶେଷ ଭାବେ କ୍ୟାନ୍ସରର ୪ଟି ଷ୍ଟେଜରେ ରହିଥାଏ । ସବୁ ଷ୍ଟେଜ ଜାଣିବା ପାଇଁ ଭିନ୍ନ ଭିନ୍ନ ପ୍ରକାର ପରୀକ୍ଷା ରହିଛି । ଷ୍ଟେଜ ଜାଣିବା ପରେ ଚିକିତ୍ସା କରାଯାଏ । ଓରାଲ କ୍ୟାନ୍ସରର ମୁଖ୍ୟ ଚିକିତ୍ସା ହେଉଛି ସର୍ଜରୀ ।

ପାଟିରେ ଘା' ହୋଇ ଶୁଖୁନି କି ? ହୋଇପାରେ ଘାତକ ଓରାଲ କ୍ୟାନ୍ସର (ETV Bharat)
ଓରାଲ କ୍ୟାନ୍ସର କାହିଁକି ହୁଏ:

ଓରାଲ କ୍ୟାନ୍ସରର ପ୍ରମୁଖ କାରଣ ହେଉଛି ତମାଖୁ, ସିଗାରେଟ୍, ହୁକା ଇତ୍ୟାଦି ସେବନ । ୯୯ ପ୍ରତିଶତ ରୋଗୀଙ୍କ ତମାଖୁ ଦ୍ଵାରା କ୍ୟାନ୍ସର ହୋଇଥାଏ । ନିୟମିତ ତମାଖୁ ଖାଇବାର 5ରୁ 10 ବର୍ଷ ମଧ୍ୟରେ ଏହି କ୍ୟାନ୍ସର ହୋଇପାରେ । ଯେଉଁ କ୍ୟାନ୍ସରର ଷ୍ଟେଜ ଯେତିକି କମ୍, ବିପଦ ସେତିକି କମ୍ ରହିଥାଏ । ଯଥା- ପ୍ରଥମ ଷ୍ଟେଜ 0-5 ପ୍ରତିଶତ, ଦ୍ଵିତୀୟ ଷ୍ଟେଜ 10-15 , ତୃତୀୟ ଷ୍ଟେଜ 25-30, ଚତୁର୍ଥ ଷ୍ଟେଜରେ 50-55 ପ୍ରତିଶତ ବିପଦ ରହିଥାଏ ।

ତମାଖୁ, ବିଡି, ସିଗାରେଟ ସେବନ, ମୁନିଆ ଦାନ୍ତ ଦୀର୍ଘ ଦିନ ଧରି ଗାଲ, ଜିଭ କିମ୍ବା ମାଢିରେ ବାଜି ରହିଲେ ତାହା ମଧ୍ୟ କ୍ୟାନ୍ସର ହୋଇପାରେ । ହ୍ୟୁମାନ ପାପିଲୋମା (Human Papillomavirus) ନାମକ ଭାଇରସର ଇନଫେକ୍ସନ ଯୋଗୁଁ ମଧ୍ୟ ଓରାଲ କ୍ୟାନ୍ସର ହୋଇଥାଏ । ଏଥିରେ ଜିଭର ପଛ ପାଖରେ କ୍ୟାନ୍ସର ହେବାର ସମ୍ଭାବନା ରହିଥାଏ ବୋଲି କହିଛନ୍ତି କ୍ୟାନ୍ସର ବିଶେଷଜ୍ଞ ।

ପାଟିରେ ଘା' ହୋଇ ଶୁଖୁନି କି ? ହୋଇପାରେ ଘାତକ ଓରାଲ କ୍ୟାନ୍ସର (ETV Bharat)
ଇଟିଭି ଭାରତ, ଭୁବନେଶ୍ବର
Last Updated : Sep 27, 2024, 5:47 PM IST

ABOUT THE AUTHOR

...view details