ପରିବର୍ତ୍ତିତ ଜୀବନଶୈଳୀ, ଅସ୍ବାସ୍ଥ୍ୟକର ଖାଦ୍ୟପେୟ, ଶାରିରୀକ ଗତିବିଧିର ଅଭାବ ଯୋଗୁଁ ବର୍ତ୍ତମାନ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଉଛି । ସେଥିମଧ୍ୟରୁ ଥାଇରଏଡ ଅନ୍ୟତମ । ବିଶେଷକରି ମହିଳାମାନଙ୍କ ମଧ୍ୟରେ ଥାଇରଏଡ୍ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଏନେଇ ଜଣାଶୁଣା ଡାକ୍ତର ପି.ବି. ରାଓ ଥାଇରଏଡରୁ ହେଉଥିବା ସ୍ବାସ୍ଥ୍ୟହାନି ସମ୍ପର୍କରେ ସୂଚନା ଦେଇଛନ୍ତି । ଏହି ଖବରର ଜାଣନ୍ତୁ ଥାଇରଏଡ କ'ଣ କିପରି ଏହା ଆମ ସ୍ବାସ୍ଥ୍ୟକୁ ପ୍ରଭାବିତ କରେ ?
ଥାଇରଏଡ କ'ଣ ?
ଥାଇରଏଡ ଦେଖିବାକୁ ଏକ ଛୋଟ ପ୍ରଜାପତି ଆକାରର ଗ୍ରନ୍ଥି ଏବଂ ବେକ ସାମ୍ନାରେ ରହିଥାଏ । ଏହା ଶରୀରର ଏଣ୍ଡୋକ୍ରାଇନ ସିଷ୍ଟମ ପାଇଁ ଜରୁରୀ । କାରଣ ଏହା ହରମୋନ ଉତ୍ପାଦନ କରେ ଯାହାକି ମେଟାବୋଲିଜିମ, ଶରୀରର ବିକାଶକୁ ନିୟନ୍ତ୍ରିତ କରିଥାଏ । ଥାଇରଏଡର ମୁଖ୍ୟ କାମ ମେଟାବୋଲିଜିମ କଣ୍ଟ୍ରୋଲ କରିବା । ଏହାକୁ ମେଟାବୋଲିଜିମର ମାଷ୍ଟର ଗ୍ରନ୍ଥି କୁହାଯାଏ । ଶରୀରର କୋଶିକାଗୁଡିକୁ ଏନର୍ଜି ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ଦେଇଥାଏ ।
ଆରମ୍ଭରୁ ଦେଖାଯାଏନି ଲକ୍ଷଣ:
ଥାଇରଏଡ ଆରମ୍ଭ ହେବାର ପ୍ରାଥମିକ ପର୍ଯ୍ୟାୟରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ । ହେଲେ ଚିକିତ୍ସା ଅଭାବରୁ ହାଇପରଥାଇରଏଡଜିମ (Hyperthyroidism), ହାଇପୋଥାଇରଏଡଜିମ (Hypothyroidism), ହୃଦରୋଗ ଭଳି ଗମ୍ଭୀର ସମସ୍ୟା ସୃଷ୍ଟି କରିପାରେ ।
ଆମ ଶରୀରରେ ଥଇରଏଡ ସିଷ୍ଟମ ଅତି ଗୁରୁତ୍ବପୂର୍ଣ୍ଣ । ଥାଇରଏଡ ଗ୍ରନ୍ଥି ମେଟାବୋଲିଜିମ ରେଗୁଲେଟ କରିବାରେ ବଡ ଭୂମିକା ଗ୍ରହଣ କରେ । ହେଲେ ଯଦି ଥାଇରଏଡ ଗ୍ରନ୍ଥି ଦ୍ବାରା ବାହାରୁଥିବା ଥାଇରକ୍ସିନ ହରମୋନ ବହୁତ ଅଧିକ କିମ୍ବା ବହୁତ କମ୍ ହୁଏ ତେବେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇପାରେ । ଥାଇରଏଡ ଜନିତ ସମସ୍ୟାକୁ ଦୁଇ ପ୍ରକାରେ ବିଭକ୍ତ କରାଯାଏ । ଯଦି ଥାଇରଏଡ ହରମୋନ ଉତ୍ପାଦନ ଆବଶ୍ୟକତା ଠାରୁ ଅଧିକ ହୁଏ ତେବେ ଏହି ସ୍ଥିତିକୁ ହାଇପରଥାଇରାଏଡଜିମ କୁହନ୍ତି । ସାମାନ୍ୟ ଠାରୁ କମ୍ ହେଲେ ହାଇପୋଥାଇରଏଡଜିମ କୁହନ୍ତି ।