ହାଇଦ୍ରାବାଦ:ଆସୁଛି ରଙ୍ଗର ପର୍ବ ହୋଲି । ଏଥିପାଇଁ ଘରେ ଘରେ ଆରମ୍ଭ ହେଲାଣି ପ୍ରସ୍ତୁତି । ଏହି ପର୍ବକୁ ଉପଭୋଗ କରିବାକୁ ଆବାଳ ବୃଦ୍ଧ ବନିତା ସମସ୍ତେ ବେଶ ଉତ୍ସାହର ସହ ଅପେକ୍ଷା କରି ରହିଥାନ୍ତି । ସବୁଠୁ ଅଧିକ ଖୁସି ଦେଖିବାକୁ ମିଳିଥାଏ ଛୋଟ ପିଲାଙ୍କ କ୍ଷେତ୍ରରେ । ରଙ୍ଗ ବଜାରରେ ପ୍ରବଳ ଭିଡ଼ ଜମେ । ରଙ୍ଗ କିଣି ପରସ୍ପର ଦେହରେ ରଙ୍ଗ ବୋଳି ସମସ୍ତେ ଏହି ପର୍ବର ମଜା ନେଇଥାନ୍ତି । କିନ୍ତୁ ବର୍ତ୍ତମାନ ବଜାରରେ ମିଳୁଥିବା କେମିକାଲ ମିଶା ରଙ୍ଗ ଚର୍ମ ପ୍ରତି କ୍ଷତିକାରକ । ସେହିପରି ଛୋଟ ପିଲାମାନଙ୍କ ଚର୍ମ କୋମଳ ହୋଇଥିବାରୁ ସେମାନଙ୍କ ଚର୍ମ ପ୍ରତି ଏହା ଅଧିକ ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି ।
ରଙ୍ଗ ଖେଳିବା ପୂର୍ବରୁ କ'ଣ କରିବେ?
ଚର୍ମରୋଗ ଜନିତ ସମସ୍ୟାରୁ ବଞ୍ଚିବା ପାଇଁ ହୋଲି ଖେଳିବା ପୂର୍ବରୁ ତ୍ବଚାରେ ସନ ସ୍କ୍ରିନ ଲଗାଇବା ଆବଶ୍ୟକ । କାରଣ ରଙ୍ଗ ଲାଗିବା ପରେ ଯେତେବେଳେ ବ୍ୟକ୍ତି ସୂର୍ଯ୍ୟ କିରଣ ସଂସ୍ପର୍ଶରେ ଆସନ୍ତି ତେବେ ଆଲର୍ଜି, ଚର୍ମ ଶୁଖିଲା ପଡ଼ିଯିବା, କୁଣ୍ଡାଇ ହେବା ଭଳି ସମସ୍ୟା ଦେଖାଦିଏ । କିଛି ଲୋକଙ୍କ କ୍ଷେତ୍ରରେ ସମ୍ପୃକ୍ତ ସ୍ଥାନ ଲାଲ ପଡ଼ିଯିବା ଭଳି ଲକ୍ଷଣମାନ ଦେଖାଯାଏ । ହେଲେ ସନସ୍କ୍ରିନ ଲୋସନ ଲଗାଇବା ଦ୍ବାରା ତ୍ବଚାରେ ରଙ୍ଗର ପ୍ରଭାବ କମ୍ ରହିଥାଏ ବୋଲି କହିଛନ୍ତି ଡାକ୍ତର । ସେହିପରି ସନସ୍କ୍ରିନ ପରିବର୍ତ୍ତେ ପ୍ରାକୃତିକ ଉପାୟରେ ଆପଣ ନଡିଆ ତେଲ କିମ୍ବା ସୋରିସ ତେଲର ଉପଯୋଗ ମଧ୍ୟ କରିପାରିବେ ।
ପରିସ୍କାର ପାଣିରେ ମୁହଁ ଧୁଅନ୍ତୁ:
ଯଦି ଆପଣଙ୍କ ମୁହଁରେ କେମିକାଲ ଯୁକ୍ତ ରଙ୍ଗ ଲଗାଯାଇଛି ତେବେ ପ୍ରଥମେ ପରିସ୍କାର ପାଣିରେ ମୁହଁ ଧୋଇନେବା ଆବଶ୍ୟକ । ଏହାପରେ ବି ଯଦି ତ୍ବଚାରେ ପୀଡ଼ା ଅନୁଭୂତ ହୁଏ ବା ଲାଲ ପଡ଼ିବା କିମ୍ବା କୁଣ୍ଡାଇ ହେବା ଭଳି ଲକ୍ଷଣ ଦେଖାଦିଏ ତେବେ ତୁରନ୍ତ ଡ଼ାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।