ଓଡିଶା

odisha

ETV Bharat / health

ଡାଇବେଟିସ୍‌ରୁ ହୃଦରୋଗ ଯାଏ, ଅଁଳା ଖାଇଲେ ମିଳିପାରେ ଏମିତି ଫାଇଦା

ଅଁଳା ଏକ ଆୟୁର୍ବେଦିକ ଜଡି-ବୁଟି ଯାହାକୁ ଖାଇଲେ ଅନେକ ଫାଇଦା ମିଳେ । ଡାଇବେଟିସ୍, କୋଲେଷ୍ଟ୍ରଲ ନିୟନ୍ତ୍ରଣ ସହ ତ୍ବଚାରେ ଚମକ ଆଣିବାରେ ଏହା ଖୁବ୍ ଉପଯୋଗୀ । ପଢନ୍ତୁ ପୁରା ଖବର

By ETV Bharat Health Team

Published : 4 hours ago

ଅଁଳା ଖାଇଲେ ଏମିତି ଫାଇଦା
ଅଁଳା ଖାଇଲେ ଏମିତି ଫାଇଦା (ETV Bharat)

Health benefits of Amla: ଅଁଳା ଅନେକ ଔଷଧୀୟ ଗୁଣରେ ଭରପୂର । ଏହାକୁ ଖାଇଲେ ଅନେକ ରୋଗ ଦୂର ହୋଇଥାଏ । ଖାସ୍ କରି ମଧୁମେହ ରୋଗୀଙ୍କ ପାଇଁ ଏକ ଉତ୍ତମ ଫଳ । ଏହା ରକ୍ତରେ ଗ୍ଲୁକୋଜ ବୃଦ୍ଧିକୁ ରୋକିଥାଏ । ମେଟାବୋଲିଜିମରେ ସୁଧାର ଆଣେ । ବ୍ଲଡ ସୁଗାର ନିୟନ୍ତ୍ରଣ କରୁଥିବାରୁ ମଧୁମେହ ରୋଗୀଙ୍କୁ ଦୈନିକ ଆହାରରେ ଅଁଳା ସାମିଲ କରିବାକୁ ପରାମର୍ଶ ଦିଆଯାଏ । ଅଁଳା ଆଣ୍ଟିଅକ୍ସିଡାଣ୍ଟର ଏକ ଭଲ ଉତ୍ସ । ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ସି, ପ୍ରୋଟିନ, ଫାଇବର, କ୍ୟାଲେସିୟମ, ପୋଟାସିୟମ ଓ ଆଇରନ ଭଳି ପୋଷକ ତତ୍ତ୍ବ ରହିଥାଏ ।

ଅଁଳା ତ୍ବଚା ଓ କେଶ ଲାଗି ମଧ୍ୟ ଲାଭଦାୟକ । ପ୍ରତିଦିନ ଅଁଳା ଖାଇଦ୍ବା ଦ୍ବାରା ଚେହେରାରେ ଚମକ ଆସିବା ସହ ବ୍ରଣ ସମସ୍ୟା କମିଥାଏ । କେଶ ଝଡିବା କମ୍ ହୁଏ । NIH ଅନୁସାରେ, ଅଁଳାରେ ଆଣ୍ଟି-ହାଇପରଲିପିଡେମିଆ, ଆଣ୍ଟିଡାଇବେଟିକ, ଆଣ୍ଟିକ୍ୟାନ୍ସର ଏବଂ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ରହିଛି । ଏହି ଖବରରେ ଜାଣନ୍ତୁ ଅଁଳା ଖାଇବା ଦ୍ବାରା ଶରୀରକୁ ଆଉ କ'ଣ ଫାଇଦା ମିଳେ ।

ଡାଇବେଟିସ୍‌ରୁ ହୃଦରୋଗ ଯାଏ, ଅଁଳା ଖାଇଲେ ମିଳିପାରେ ଏମିତି ଫାଇଦା (ETV Bharat)

ହୃଦୟ ସୁସ୍ଥ ରଖେ:ଅଁଳାରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଅକ୍ସିଡେଟିଭ ଷ୍ଟ୍ରେସ୍ ଓ ପ୍ରଦାହ କମ୍ କରି ହୃଦୟ ସ୍ବାସ୍ଥ୍ୟ ଭଲ ରଖେ । ଏହା ରକ୍ତରେ କୋଲେଷ୍ଟ୍ରଲ ସ୍ତର ହ୍ରାସ କରିବାରେ ସାହାଯ୍ୟ କରେ । ଯାହାକି ହୃଦୟ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ପ୍ରତିଦିନ ଅଁଳା ସେବନ ଦ୍ବାରା ହୃଦଜନିତ ରୋଗ ଆଶଙ୍କା କମିଥାଏ ।

ରୋଗ ପ୍ରତିରୋଧକ ଶକ୍ତି ବଢାଏ: ଭିଟାମିନ ସିରେ ଭରପୂର ଅଁଳା ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧିରେ ସାହାଯ୍ୟ କରେ । ଭିଟାମିନ ସି ଏକ ଜରୁରୀ ପୋଷକ ତତ୍ତ୍ବ ଯାହା ପ୍ରତିରକ୍ଷା ପ୍ରଣାଳୀ ମଜଭୁତ କରେ ଏବଂ ଏକ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ରୂପେ କାମ କରେ । ଏହା ବିଭିନ୍ନ ରୋଗ ଓ ଋତୁକାଳୀନ ସଂକ୍ରମଣରୁ ସୁରକ୍ଷା ଦିଏ ।

ତ୍ବଚା ଓ କେଶ ପାଇଁ ଲାଭଦାୟକ: ଅଁଳା ସ୍ବାସ୍ଥ୍ୟ ସହିତ ଆମର ଚେହେରା ଓ କେଶ ପାଇଁ ମଧ୍ୟ ଲାଭଦାୟକ । ଏଥିରେ ଥିବା ଆଣ୍ଟି-ଏଜିଂ ଗୁଣ ବୟସ ବଢିବାର ଲକ୍ଷଣ କମ୍ କରିଥାଏ । ଆଣ୍ଟିଅକ୍ସିଡାଣ୍ଟ ଗୁଣ ତ୍ବଚାକୁ ସୁସ୍ଥ ଓ ଚମକଦାର କରିଥାଏ । ବ୍ରଣ ସମସ୍ୟା ଦୂର କରେ । ସେହିପରି ଅଁଳା ଖାଇବା ଦ୍ବାରା କେଶ ଘନ, କଳା ଓ ଲମ୍ବା ହୋଇଥାଏ । ଏଥିରେ ରହିଥିବା ପୋଷକ ତତ୍ତ୍ବ କେଶର ମୂଳକୁ ପୋଷଣ ଯୋଗାଇ ଏହାକୁ ମଜଭୁତ କରିଥାଏ । ଏଥିସହ ସମୟ ପୂର୍ବରୁ କେଶ ପାଚିବା ମଧ୍ୟ ରୋକିଥାଏ ।

ବ୍ଲଡସୁଗାର ନିୟନ୍ତ୍ରଣ କରେ:କିଛି ଅଧ୍ୟୟନରୁ ଜଣାପଡେ ଯେ, ଅଁଳା ବ୍ଲଡ ସୁଗାର ସ୍ତର ନିୟନ୍ତ୍ରିତ କରିବାରେ ସାହାଯ୍ୟ କରେ । ଏଥିରେ ଥିବା ପଲିଫେନୋଲ୍ସ ଇନସୁଲିନ ତିଆରି ପ୍ରକ୍ରିୟାକୁ ଉନ୍ନତ କରେ ଓ ରକ୍ତରେ ଶର୍କରା ବା ସୁଗାର ସ୍ତର କମ୍ କରେ । ଯାହାକି ମଧୁମେହ ରୋଗୀଙ୍କ ପାଇଁ ଉପଯୋଗୀ ।

  • ଏଥିସହ ଅଁଳାରେ ଭିଟାମିନ ସି, କ୍ବିରସେଟିନ ଓ ଏଲାଜିକ ଏସିଡ ଥାଏ ଯାହା ପ୍ରଦାହ ହ୍ରାସ କରି କ୍ୟାନ୍ସର ରୋକିବାରେ ସାହାଯ୍ୟ କରିପାରେ ।
  • ଅଁଳାରେ ପ୍ରଚୁର ଆଣ୍ଟିଅକ୍ଟିଡାଣ୍ଟ ଓ ଭିଟାମିନ ସି ରହିଥିବାରୁ ଏହା ମେଟୋବୋଲିଜିମ ଠିକ୍ ରଖେ । ଏଥିସହ ଋତୁକାଳୀନ ସଂକ୍ରମଣ ତଥା ବ୍ୟାକ୍ଟେରିଆ ଜନିତ ରୋଗଗୁଡିକୁ ରୋକିବାରେ ସହାୟକ ହୁଏ । ପାଚନ ପ୍ରକ୍ରିୟା ମଧ୍ୟ ଠିକ୍ ରଖିଥାଏ ।
  • ଶରୀରରେ ବ୍ଲଡ ସୁଗାର ସ୍ତର ନିୟନ୍ତ୍ରଣ କରିବାରେ କାମ କରେ । ସେଥିପାଇଁ ମଧୁମେହ ରୋଗୀ ଅଁଳା ଖାଇବା ଉଚିତ୍ ।
  • ଅଁଳା ଖାଇବା ଦ୍ବାରା ରକ୍ତ ସଫା ହୁଏ । ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ । ଯାହାଫଳରେ ମୁହଁରେ ବ୍ରଣ ସମସ୍ୟାରୁ ମୁକ୍ତି ମିଳେ ଓ ତ୍ବଚାରେ ଚମକ ଆସେ ।
  • କେବଳ ଖାଇବା ଦ୍ବାରା ନୁହେଁ, ଅଁଳା ବ୍ୟବହାର ଦ୍ବାରା କେଶ ସୁସ୍ଥ ଓ ସୁରକ୍ଷିତ ରହେ । ଅଁଳା ପେଷ୍ଟ କେଶରେ ଲଗାଇଲେ ଶୁଷ୍କ କେଶ ଘନ ଓ ଚମକଦାର ହୋଇଥାଏ । ଏଥିସହ ରୂପୀ ଏବଂ କେଶ ଝଡିବା ସମସ୍ୟାରୁ ମଧ୍ୟ ନିସ୍ତାର ଦିଏ ।

Ref- https://www.ncbi.nlm.nih.gov/pmc/articles/PMC9137578/

ଏହା ମଧ୍ୟ ପଢନ୍ତୁ:ଅଫିସରେ କରନ୍ତୁ ଏହି 8 ଏକ୍ସରସାଇଜ, ରହିନପାରେ ମୋଟାପା ଟେନସନ

ଏହା ମଧ୍ୟ ପଢନ୍ତୁ:ଶୌଚାଳୟରେ ଫୋନ ଚଲାଇଲେ ପାଇଲ୍ସ ହୁଏ କି ? ଏମିତି କହିଲେ ଡାକ୍ତର

ଏହା ମଧ୍ୟ ପଢନ୍ତୁ:ମସ୍ତିଷ୍କ ପାଇଁ ମହୌଷଧୀ ଏହି ନୀଳ ରଙ୍ଗର ଫୁଲ

Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ABOUT THE AUTHOR

...view details