ହାଇଦ୍ରାବାଦ: ନିଜ ଫିଲ୍ମକୁ ନେଇଆଜିକାଲି ବଲିଉଡ ଅଭିନେତା ବିକ୍ରାନ୍ତ ମାସି ବେଶ ଚର୍ଚ୍ଚାରେ ରହିଆସିଛନ୍ତି । ଗତବର୍ଷ ରିଲିଜ କରିଥିବା ଫିଲ୍ମ '୧୨th ଫେଲ' ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିବା ସହ ବେଶ ଲୋକପ୍ରିୟତା ହାସଲ କରିଥିଲା । ଏପରିକି ଓଟିଟି ପ୍ଲାଟଫର୍ମରେ ମଧ୍ୟ ଧମାକା କରିଥିଲା । ସେଲିବ୍ରିଟିଙ୍କ ଠାରୁ ଶିଳ୍ପପତି ଏବଂ ଫ୍ୟାନ୍ସ ଏହି ଫିଲ୍ମର ଖୁବ ପ୍ରଶଂସା କରିବା ସହ ବିକ୍ରାନ୍ତଙ୍କ ଫ୍ୟାନ ହୋଇଥିଲେ । ତେବେ ଏହି ଫିଲ୍ମର ସଫଳତା ପରେ ଏବେ ବିକ୍ରାନ୍ତ ଖୁବଶୀଘ୍ର ଫିଲ୍ମ 'ଦ ସାବରମତି ରିପୋର୍ଟ'ରେ ନଜର ଆସିବାକୁ ଯାଉଛନ୍ତି । ବର୍ତ୍ତମାନ ନିର୍ମାତାଙ୍କ ଫିଲ୍ମର ରିଲିଜ ତାରିଖ ପରିବର୍ତ୍ତନ କରି ନୂଆ ରିଲିଜ ତାରିଖ ପ୍ରକାଶ କରିଛନ୍ତି । ଚଳିତ ବର୍ଷ ଅଗଷ୍ଟରେ ଏହି ଫିଲ୍ମ ପରଦାକୁ ଆସିବ ।
ବିକ୍ରାନ୍ତ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସାବରମତି ରିପୋର୍ଟର ନୂଆ ରିଲିଜ୍ ତାରିଖ ଘୋଷଣା କରିଛନ୍ତି । ଏହି ଫିଲ୍ମ ପୂର୍ବରୁ ମେ ୩ରେ ରିଲିଜ୍ ହେବାର ଥିଲା, ବର୍ତ୍ତମାନ ଏହି ଚଳଚ୍ଚିତ୍ରଟି ଅଗଷ୍ଟ ୨ ରେ ପ୍ରେକ୍ଷାଳୟକୁ ଆସିବ । ତେବେ 'ସାବରମତି ରିପୋର୍ଟ'ର ଟିଜର ଦେଖିବା ପରେ ଜଣାପଡିଥିଲା ଯେ ଫେବୃଆରୀ ୨୭, ୨୦୦୨ରେ ଗୁଜୁରାଟର ଗୋଦ୍ରା ରେଳଷ୍ଟେସନ ନିକଟ ସାବରମତି ଏକ୍ସପ୍ରେସରେ ଘଟିଥିବା ଘଟଣା ଉପରେ ଫିଲ୍ମଟି ଆଧାରିତ ।