ହାଇଦ୍ରାବାଦ:'ସନମ ତେରୀ କସମ' ପୁଣି ରିଲିଜ ହୋଇଛି । ଭାଲେଣ୍ଟାଇନ୍ସ ଡେ ସପ୍ତାହ ଆରମ୍ଭରେ ଅର୍ଥାତ୍ ଫେବୃଆରୀ 7 ରେ ଏହି ଚଳଚ୍ଚିତ୍ର ପୁଣି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ଏବଂ ଏହାର ମୂଳ ରିଲିଜ୍ ତୁଳନାରେ ଏହା ଦୁଇଗୁଣ ଭଲ ପ୍ରଦର୍ଶନ କରିଥିଲା । ଏହି ନୂତନ ସଫଳତା ପାଇଁ ଫିଲ୍ମର କାଷ୍ଟ ଏବଂ କ୍ରୁ ବହୁତ ଖୁସି ଅଛନ୍ତି । ଏହି ସମୟରେ ପ୍ରଶଂସକମାନେ ଉତ୍ସାହର ସହ ଫିଲ୍ମର ସିକ୍ୱେଲକୁ ଅପେକ୍ଷା କରିଛନ୍ତି । ନିକଟରେ ଏହାର ସିକ୍ୱେଲ ଘୋଷଣା କରିଥିଲେ ନିର୍ମାତା । ଯେଉଁଥିରେ ହର୍ଷବର୍ଦ୍ଧନ ପୁଣି ସାଇନ କରାଯାଇଥିବା ବେଳେ ତାଙ୍କ ବିପକ୍ଷରେ ମାୱରା ହୋକେନଙ୍କୁ ପୁଣି ଦେଖାଯିବ ନା ଅନ୍ୟ କିଛି ହିରୋଇନ ତାଙ୍କ ସ୍ଥାନ ନେବେ? ସେନେଇ ଚର୍ଚ୍ଚା ଜୋର ଧରିଛି । ଏହାରି ମଧ୍ୟରେ ବର୍ତ୍ତମାନ ନିର୍ଦ୍ଦେଶକ ଫିଲ୍ମର ହିରୋଇନ ବିଷୟରେ ଖୁଲାସା କରିଛନ୍ତି ।
ମାୱରାଙ୍କୁ ରିପ୍ଲେସ କରିବେ 'ସ୍ତ୍ରୀ' ଅଭିନେତ୍ରୀ
ନିକଟରେ ଏକ ସାକ୍ଷାତକାରରେ 'ସନମ ତେରୀ କସମ' ନିର୍ଦ୍ଦେଶକ ବିନୟ ସାପ୍ରୁ ଏବଂ ରାଧିକା ରାଓ ଫିଲ୍ମର ସିକ୍ୱେଲ ବିଷୟରେ ଆଲୋଚନା କରିଛନ୍ତି । ସାକ୍ଷାତକାରରେ ଉଭୟେ ଜଣେ ପ୍ରଶଂସକଙ୍କ ଠାରୁ କିଛି ପରାମର୍ଶ ସେୟାର କରି କହିଛନ୍ତି, 'ପ୍ରଶଂସକମାନେ ହର୍ଷବର୍ଦ୍ଧନ ଏବଂ ଶ୍ରଦ୍ଧା କପୁରଙ୍କୁ ଭାଗ 2 ରେ ସାମିଲ କରିବାକୁ ଅନୁରୋଧ କରୁଛନ୍ତି ।' ଏହା ଉପରେ ରାଧିକା ରାଓ କୁହନ୍ତି, ଦୟାକରି ଶ୍ରଦ୍ଧାଙ୍କୁ ଟ୍ୟାଗ୍ କରନ୍ତୁ । ଏହା ପରେ ବିନୟ ସାପ୍ରୁ ସିଧାସଳଖ ଉତ୍ତର ଦେଇଥିଲେ, 'ସମସ୍ତେ ନୋଟ୍ କରିନିଅନ୍ତୁ ଶ୍ରଦ୍ଧା କପୁର ସନମ ତେରୀ କସମ 2 ରେ ଅଛନ୍ତି, ଦୟାକରି ତାଙ୍କୁ ଟ୍ୟାଗ୍ କରନ୍ତୁ ।'
ସଲମାନ ଖାନଙ୍କ ବିଷୟରେ ଜଣେ ପ୍ରଶଂସକଙ୍କ ପ୍ରଶ୍ନ ପଚରାଯାଏ । ପ୍ରଶ୍ନ ହେଉଛି, 'ସଲମାନ ଖାନଙ୍କୁ ସନମ ତେରୀ କସମ ୨ରେ କାଷ୍ଟ କରନ୍ତୁ ନାହିଁ । ଏହା ଉପରେ ଉଭୟ ନିର୍ଦ୍ଦେଶକ କୁହନ୍ତି, 'ଆମେ ଏହି ପ୍ରଶ୍ନକୁ କେବେବି ଗ୍ରହଣ କରିବୁ ନାହିଁ । ସଲମାନ ସାରଙ୍କ ବିଷୟରେ ଏହିପରି କଥା ହେବା ଭୁଲ୍ । ଆମର କାର୍ଯ୍ୟାଳୟ, ଆମର ଅସ୍ତିତ୍ୱ, ଆମର ସବୁକିଛି ତାଙ୍କ ହେତୁ, ଜଣେ ଚଳଚ୍ଚିତ୍ର ନିର୍ମାତା ଭାବରେ ମୁଁ ଏହି ପ୍ରଶ୍ନକୁ ଆଦୌ ପସନ୍ଦ କରେ ନାହିଁ ଏବଂ ମୁଁ ଏହି ପ୍ରଶ୍ନ ଶୁଣିବାକୁ ମଧ୍ୟ ଚାହେଁ ନାହିଁ । ମୁଁ କେବଳ ତାଙ୍କ ହେତୁ ଏଠାରେ ଅଛି । ଆମେ ସଲମାନ ସାର୍ ବିଷୟରେ କିଛି ଶୁଣିପାରିବୁ ନାହୁଁ ।