ଭୁବନେଶ୍ୱର: ବିରୋଧ ସତ୍ତ୍ୱେ ଆଜି (ଫେବୃଆରୀ 7)ରେ ସାରା ଓଡ଼ିଶାରେ ମୁକ୍ତିଲାଭ କଲା ଓଡ଼ିଆ ଚଳଚିତ୍ର ଓଡ଼ିଆ ଫିଲ୍ମ 'ସନାତନୀ: କର୍ମ ହିଁ ଧର୍ମ’ । ପ୍ରଥମ ଦିନରେ ସାଧୁସନ୍ଥଙ୍କ ଫିଲ୍ମ ଦେଖିଲେ ଦର୍ଶକ ସମେତ ଫିଲ୍ମ ଟିମ । ଜୟ ଶ୍ରୀରାମ ନାରାରେ କମ୍ପିଲା ସିନେମା ହଲ ପରିସର । ପ୍ରଥମ ଦିନରେ ଶୋ' ଦେଖିବାକୁ ହଲରେ ଜମିଥିଲା ଭିଡ଼ । ସେପଟେ କିଛି ଅପ୍ରୀତିକର ପରିସ୍ଥିତି ନଘଟେ ସେଥିପାଇଁ ସଜାଗ ହୋଇଛି ପୋଲିସ ବିଭାଗ ।
ପରଦାକୁ ଆସିଲା ଓଡ଼ିଆ ଫିଲ୍ମ 'ସନାତନୀ’
ସୂଚନା ଅନୁସାରେ, ପୂର୍ବରୁ ସିନେମାକୁ ନେଇ ବିବାଦ ଦେଖା ଦେଇଥିଲା । ବିଭିନ୍ନ ଜିଲ୍ଲାରେ ରିଲିଜ ନକରିବାକୁ ବିରୋଧ ଦେଖା ଦେଇଥିଲା । ଯାହାକୁ ନେଇ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଥିଲା । କିନ୍ତୁ ଆଜି ଫିଲ୍ମ ରିଲିଜ ହେବାକୁ ଥିବା ବେଳେ ବର୍ତ୍ତମାନ ସ୍ୱାତୀ ହଲ ସାମ୍ନାରେ ଶହ ଶହ ହିନ୍ଦୁ ଏକତ୍ରିତ ହୋଇଥିବା ଦେଖିବାକୁ ମିଳିଛି । ଫିଲ୍ମଟି ଓଡ଼ିଶାର ୨୨ଟି ହଲରେ ରିଲିଜ ହୋଇଛି । ୫୦ରୁ ଅଧିକ ସ୍କ୍ରିନରେ ଦର୍ଶକ ସିନେମାଟିକୁ ଦେଖିବାକୁ ପାଇବେ । ସେପଟେ ଫିଲ୍ମ ଦେଖି କାହାଣୀକୁ ସାଧୁସନ୍ଥ ପ୍ରଶଂସା କରିଛନ୍ତି । ସେମାନେ କହିଛନ୍ତି ''ସତ୍ୟ ଉପରେ ଆଧାରିତ ଫିଲ୍ମ ବିବାଦ ନୁହେଁ ସନାତନୀ ମାନଙ୍କର ଟେକ ରଖେ ।''
ଗୁଜବକୁ ଏଡ଼ାଇ ଫିଲ୍ମ ଦେଖିବାକୁ ଅନୁରୋଧ କଲା ଟିମ୍
ଏହି ସନାତନୀ "କର୍ମ ହିଁ ଧର୍ମ ରେ ଦେଖିବାକୁ ମିଳିବ ଧର୍ମାନ୍ତୀକରଣର ସତ । ଦେଶରେ ବଳପୂର୍ବକ ଧର୍ମାନ୍ତରୀକରଣ ହୋଇପାରିବ ନାହିଁ ଏଭଳି ନିୟମ ରହିଛି । ତା ପରେ ମଧ୍ୟ କେମିତି ଲୋକଙ୍କୁ ଭ୍ରମିତ କରାଯାଉଛି ତାହା ଦେଖାଇବ ଚଳଚ୍ଚିତ୍ର । ଲୋକେ ଦେଖିବେ କିଭଳି ପ୍ରବର୍ତାଯାଏ ଧର୍ମ ପରିବର୍ତ୍ତନ ପାଇଁ ଆଦିବାସୀଙ୍କୁ, କେମିତି ସେମାନଙ୍କ ଜମି ବାଡ଼ି ଅକ୍ତିଆର କରାଯାଏ । କାହାଣୀ ବଖାଣିଛି ଓଡ଼ିଆ ଚଳଚ୍ଚିତ୍ର ସନାତନୀ- କର୍ମ ହିଁ ଧର୍ମ । ପୂର୍ବରୁ ଫିଲ୍ମର ଟ୍ରେଲରକୁ ନେଇ ସୋସିଆଲ ମିଡିଆରେ ଆରମ୍ଭ ହୋଇଥିଲା ବିବାଦ । କିନ୍ତୁ ସିନେମାରେ କୌଣସି ଧର୍ମକୁ ଆକ୍ଷେପ କରାଯାଇନି ବରଂ ଧର୍ମାନ୍ତରୀକରଣକୁ ବିରୋଧ କରାଯାଇଛି ତେଣୁ ଗୁଜବକୁ ଏଡ଼ାଇ ପ୍ରତି ଧର୍ମର ବ୍ୟକ୍ତି ଦେଖନ୍ତୁ ବୋଲି ଟିମ୍ ପକ୍ଷରୁ ଅନୁରୋଧ କରାଯାଇଛି ।