ହାଇଦ୍ରାବାଦ:ଚଳିତ ବର୍ଷ ବଲିଉଡରେ ଧୁମଧାମରେ ଇଦ ପାଳନ କରିଛନ୍ତି ସେଲିବ୍ରିଟି । ଏହି ଅବସରରେ ଭାଇଜାନ ଏବଂ କିଙ୍ଗ ଖାନ ପ୍ରତିବର୍ଷ ପରି ଏଥର ମଧ୍ୟ ନିଜ ଘର ବାହାରେ ଫ୍ୟାନ୍ସଙ୍କୁ ଇଦର ଶୁଭେଚ୍ଛା ଜଣାଇଛନ୍ତି । ଏହି ସମୟରେ ଏକ ଅଭାବନୀୟ ଘଟଣା ମଧ୍ୟ ସାମ୍ନାକୁ ଆସିଛି । ଏହି ଅବସରରେ ସଲମାନଙ୍କ ଫ୍ୟାନ୍ସ ଉପରକୁ ପୋଲିସ ଲାଠିଚାର୍ଜ କରିଥିବା ଅଭିଯୋଗ ହୋଇଛି । ଯାହାର ଭିଡିଓ ଏବେ ଖୁବ ଭାଇରାଲ ହେଉଛି । ସେପଟେ ସଲମାନ ଖାନ ଏବଂ ତାଙ୍କ ପରିବାର ବଲିଉଡ ତାରକାଙ୍କ ପାଇଁ ଇଦ ପାର୍ଟିର ମଧ୍ୟ ଆୟୋଜନ କରିଥିଲେ । ଯେଉଁଥିରେ ଅନେକ ଆଲିଆ ଭଟ୍ଟ, ରଣବୀର କପୁର, ପ୍ରୀତି ଜିଣ୍ଟା ଭଳି ଅନେକ ତାରକା ଏଥିରେ ସାମିଲ ହୋଇଥିଲେ ।
ଫ୍ୟାନ୍ସ ଉପରେ ଲାଠିଚାର୍ଜ
ସୋସିଆଲ ମିଡିଆରେ ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ସଲମାନ ଖାନଙ୍କ ଫ୍ୟାନ୍ସ ଇଦରେ ତାଙ୍କର ଏକ ଝଲକ ଦେଖିବାକୁ ଘର ବାହାରେ ଭିଡ଼ ଜମାଇଛନ୍ତି । ଏହି ସମୟରେ ସଲମାନଙ୍କୁ ଅପେକ୍ଷା କରିଥିବା ଫ୍ୟାନ୍ସଙ୍କ ଭିଡ଼ ଏତେ ବୃଦ୍ଧି ପାଇଥିଲା । ଯାହା ଫଳରେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ସେମାନଙ୍କ ଉପରେ ଲାଠିଚାର୍ଜ କରିଥିଲା । ପରେ ସଲମାନ ଖାନ ନିଜ ଗ୍ୟାଲେକ୍ସିରେ ଆସି ଫ୍ୟାନ୍ସଙ୍କୁ ଅଭିବାଦନ ଜଣାଇଥିଲେ । ଏହି ସମୟରେ ସେ ହ୍ୱାଇଟ ରଙ୍ଗର କୁର୍ତ୍ତା, ପାଇଜାମା ସହ ପଠାନୀ ଲୁକରେ ନଜର ଆସିଥିଲେ । ସୂଚନା ଥାଉ କି, ଗତ ବର୍ଷ ସୁପରଷ୍ଟାରଙ୍କୁ ମୃତ୍ୟୁ ଧମକ ମିଳିଥିଲା । ଏପରି ପରିସ୍ଥିତିରେ ବର୍ତ୍ତମାନ ସଲମାନଙ୍କ ସୁରକ୍ଷା କଡାକଡି ହୋଇଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ପୋଲିସ ସତର୍କତା ଅବଲମ୍ୱନ କରିଥିବା ଜଣାପଡିଛି ।