ଭବାନୀପାଟଣା:ଦୀର୍ଘ୪୬ ବର୍ଷ ପରେ କଳାହାଣ୍ଡିର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର 'ସମର୍ପଣ' ପ୍ରଦର୍ଶିତ ହୋଇଛି ।କଳାହାଣ୍ଡିଆ ଅସ୍ମିତାର ସ୍ବର୍ଣ୍ଣାଭ ସ୍ବାକ୍ଷର ହେଉଛି ୧୯୭୮ ମସିହାରେ ରିଲିଜ ହୋଇଥିବା ଏହି ଚଳଚ୍ଚିତ୍ର ‘ସମର୍ପଣ’ । କଳାହାଣ୍ଡି ବ୍ରାହ୍ମଣ ସମାଜ ପକ୍ଷରୁ ଭବାନୀପାଟଣା ସହର ସ୍ଥିତ ଟାଉନ୍ ହଲ୍ରେ ଆୟୋଜିତ ଏହି ଚଳଚ୍ଚିତ୍ରର ପୁନଃ ପ୍ରଦର୍ଶନ କରାଯାଇଥିବା ବେଳେ ଏହି ଫିଲ୍ମ ଦେଖିବାକୁ ସିନେ ପ୍ରେମୀଙ୍କ ଭିଡ଼ ଜମିଥିଲା । ତିନୋଟି ଯାକ ଶୋ' ହାଉସଫୁଲ ହୋଇଥିବା ବେଳେ ସ୍ମୃତି ତାଜା ହୋଇଥିବା ନେଇ ପ୍ରକାଶ କରିଛନ୍ତି ସିନେ ପ୍ରେମୀ ଓ କଳାହାଣ୍ଡି ବାସୀ ଏବଂ ଉପସ୍ଥିତ ଅତିଥି ।
ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ 'ସମର୍ପଣ' ଫିଲ୍ମର ସହ-ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର
କଳାହାଣ୍ଡି ବ୍ରାହ୍ମଣ ସମାଜ ପକ୍ଷରୁ ଆୟୋଜିତ ଏହି ଚଳଚ୍ଚିତ୍ରର ପୁନଃ ପ୍ରଦର୍ଶନ କାର୍ଯ୍ୟକ୍ରମରେ କଳାହାଣ୍ଡି ବ୍ରାହ୍ମଣ ସମାଜ ସଭାପତି ତଥା ‘ସମର୍ପଣ’ର ଅଭିନେତା ଜଗନ୍ନାଥ ମୁଣ୍ଡ, ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ, ଗୀତିକାର ନାରାୟଣ ପ୍ରସାଦ ପଟ୍ଟନାୟକ, ଅଭିନେତା ଭୂପିନ୍ଦର ସିଂହ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ ରଥ ଓ ସମାଜସେବୀ ପ୍ରମୋଦ ଖମାରୀ ଅତିଥି ଭାବରେ ଯୋଗ ଦେଇଥିଲେ ।
ଖୁସିବ୍ୟକ୍ତ କଲେ ସବ୍ୟସାଚୀ ମହାପାତ୍ର
ଯେତେବେଳେ ଏହିଭଳି ରହସ୍ୟଧର୍ମୀ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କଳ୍ପନାତୀତ ଥିଲା ସେତେବେଳେ କଳାହାଣ୍ଡିର ଲେଖକ, ନିର୍ଦ୍ଦେଶକ, ଅଭିନେତା, ଗୀତିକାର ଓ କଣ୍ଠଶିଳ୍ପୀମାନଙ୍କୁ ନେଇ‘ସମର୍ପଣ’କୁ ଭେଟି ଦେଇଥିଲେ ବିଶିଷ୍ଟ ଲେଖକ ଓ ନିର୍ଦ୍ଦେଶକ ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥ । ସେହି ସମୟରେ ଏହି ଫିଲ୍ମରେ ସହ ନିର୍ଦ୍ଦେଶକ ଭାବେ ନିଜ ଓଲିଉଡ କ୍ୟାରିଅର ଆରମ୍ଭ କରିଥିଲେ ଓଡ଼ିଶାର ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର । ସେ ଏହି ଫିଲ୍ମ ପୁଣି ପ୍ରଦର୍ଶିତ ହୋଇଥିବା ଦେଖି ବେଶ ଖୁସିବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ''ଏକ ଭିନ୍ନଧରଣର ଓଡ଼ିଆ ଚଳଚ୍ଚିତ୍ର ‘ସମର୍ପଣ’ରେ ସହକାରୀ ନିର୍ଦ୍ଦେଶକ ଭାବରେ ମୋର ଚଳଚ୍ଚିତ୍ର ଜୀବନର ଆରମ୍ଭ ଓ ଏହି ଚଳଚ୍ଚିତ୍ର ସିନେମା ଜଗତରେ ଏକ ସ୍ବତନ୍ତ୍ର ଧାରା ସୃଷ୍ଟି କରିଥିଲା । ଆଜି ମୁଁ ଏହାର ପୁନଃ ସ୍କ୍ରିନିଂରେ ଏତେ ବର୍ଷ ପରେ ସାମିଲ ହୋଇଥିବାରୁ ବେଶ ଖୁସି ଅନୁଭବ କରୁଛି ବୋଲି କହିଛନ୍ତି ସବ୍ୟସାଚୀ ମହାପାତ୍ର ।