ହାଇଦ୍ରାବାଦ:ବାପାଙ୍କ ପାଇଁ ଦିନଟିଏ । ଆଜି ହେଉଛି ବିଶ୍ବ ପିତୃ ଦିବସ, ଯାହାକି ପ୍ରତିବର୍ଷ ୧୬ ଜୁନରେ ସାରା ବିଶ୍ୱରେ ପାଳନ କରାଯାଏ । ଏହି ଦିନକୁ ପିତାଙ୍କ ସମର୍ଥନ, ଭଲପାଇବା ଏବଂ ଯତ୍ନଙ୍କୁ ମନେ ପକାଇ ତାଙ୍କ ପାଇଁ ଉତ୍ସାହର ସହ ପାଳନ କରାଯାଏ । ଏଭଳି ଦିନରେ ସେଲିବ୍ରିଟିମାନେ ଏହି ଦିବସକୁ ଧୁମଧାମରେ ପାଳନ କରିଛନ୍ତି । ବଲିଉଡରୁ ଓଲିଉଡ ସମସ୍ତ ତାରକା ପିତୃ ଦିବସରେ ନିଜ ବାପାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ଅନେକ ସେଲିବ୍ରିଟି ନିଜେ ପ୍ରଥମ ଥର ପାଇଁ ବାପା ହୋଇଥିବାବେଳେ ଏହି ଦିବସ ପାଳନ କରିଛନ୍ତି । ଓଲିଉଡ ତାରକା ବାବୁସାନ ମହାନ୍ତିଙ୍କ ଠାରୁ ଆରମ୍ଭ କରି ବଲିଉଡର ସଞ୍ଜୟ ଦତ୍ତ, ବିପାଶା ବସୁ, ବରୁଣ ଧାୱନ ଓ ଇଶା ଦେଓଲଙ୍କ ସମେତ ସେଲିବ୍ରିଟିମାନେ ପିତୃ ଦିବସ ପାଳନ କରିଛନ୍ତି ।
ବାବୁସାନ ମହାନ୍ତିଙ୍କ ପୋଷ୍ଟ
ଓଲିଉଡ ଲୋକପ୍ରିୟ ଅଭିନେତା ବାବୁସାନ ମହାନ୍ତି ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ବାବୁସାନ ନିଜ ପୁଅକୁ ପାଠ ପଢାଉଥିବାର ନଜର ଆସିଛନ୍ତି । ଏହି ଭିଡିଓ ସେୟାର କରି ଏହାର କ୍ୟାପସନରେ ଲେଖିଛନ୍ତି, ଜୀବନରେ ବାପାଙ୍କ ମହତ୍ତ୍ୱ, ବାପାଙ୍କ ଆଦର୍ଶ ଏବଂ ନିଜ ପିଲା ପାଇଁ ବାପାଙ୍କ ସମପର୍ଣକୁ ଏକ ଉକ୍ତି ମାଧ୍ୟମରେ ସେ ବର୍ଣ୍ଣନା କରିଛନ୍ତି ।
ନିଜ ଝିଅର ଝଲକ ଦେଖାଇଲେ ବରୁଣ ଧୱନ
ବଲିଉଡ ଅଭିନେତା ବରୁଣ ଧୱନ ନିଜ ଇନଷ୍ଟାଗ୍ରାମରେ ଦୁଇଟି ଫଟୋ ସେୟାର କରିଛନ୍ତି । ପ୍ରଥମ ଫଟୋରେ ସେ ତାଙ୍କ ଲାଡଲୀଙ୍କ ହାତ ଧରିଥିବା ନଜର ଆସିଥିବା ବେଳେ ଦ୍ୱିତୀୟ ଫଟୋରେ ସେ ତାଙ୍କ କୁକୁର ସହ ନଜର ଆସିଛନ୍ତି । ହେଲେ ସେ ଏପର୍ଯ୍ୟନ୍ତ ତାଙ୍କ ଝିଅର ଚେହେରା ପ୍ରକାଶ କରିନାହାଁନ୍ତି । ଏହା ସେୟାର କରି ସେ ଲେଖିଛନ୍ତି, ''ପିତୃ ଦିବସ ଶୁଭେଚ୍ଛା । ମୋ ବାପା ମୋତେ ଶିଖାଇଛନ୍ତି ଯେ ଏହି ଦିନଟି ପାଳନ କରିବାର ଶ୍ରେଷ୍ଠ ଉପାୟ ହେଉଛି ବାହାରକୁ ଯାଇ ମୋ ପରିବାର ପାଇଁ କାମ କରିବା, ତେଣୁ ମୁଁ ତାହା କରୁଛି । ଗୋଟିଏ ଝିଅର ପିତା ହୋଇଥିବାରୁ ଏହାଠାରୁ ଅଧିକ ଖୁସି ଆଉ ମୋ ପାଇଁ କିଛି ନାହିଁ ।'' ସୂଚନା ଥାଉ କି, ଜୁନ ୩ରେ ବରୁଣ ଧାୱନ ଏବଂ ନତାଶା ଦଲାଲ ସେମାନଙ୍କର ପ୍ରଥମ ସନ୍ତାନର ପିତାମାତା ହୋଇଥିଲେ । ତେବେ ଚଳିତ ଥର ଝିଅ ସହ ସେ ପ୍ରଥମ ପିତୃଦିବସ ପାଳନ କରିଛନ୍ତି ।