ହାଇଦ୍ରାବାଦ:ଆଜି (17 ସେପ୍ଟେମ୍ବର)ରେ 74 ବର୍ଷରେ ପାଦ ଥାପିଲେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ବିଶେଷ ଦିନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଶ ତଥା ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟୁଛି । ଏହି ସମୟରେ ଫିଲ୍ମ ଇଣ୍ଡଷ୍ଟ୍ରିର ସେଲିବ୍ରିଟିମାନେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ସୋସିଆଲ ମିଡିଆ ଜରିଆରେ ମୋଦିଙ୍କ ସହ ଏକ ଫଟୋ ସେୟାର କରି ତାଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି । ଓଲିଉଡ ଅଭିନେତା ତଥା ରାଜନେତା ଅରିନ୍ଦମ ରୟଙ୍କ ଠାରୁ ଆରମ୍ଭ କରି ବଲିଉଡ ଅଭିନେତା ଅନୁପମ ଖେର, ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରାଣାୱତ, ଶିଳ୍ପା ସେଟ୍ଟୀ, ଜ୍ୟାକି ଶ୍ରଫ ଏବଂ ସାଉଥ ତାରକା ଚିରଞ୍ଜୀବୀ ଓ ଜନସେନା ପାର୍ଟି ମୁଖ୍ୟ ତଥା ଅଭିନେତା ପୱନ କଲ୍ୟାଣ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।
ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ଅରିନ୍ଦମ ରୟ
ଅରିନ୍ଦମ ରୟ ନିଜ ଇନଷ୍ଟାଗ୍ରାମରେ ମୋଦିଙ୍କ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଲେଖାଅଛି, 'ଜାତିର ସେବା ପ୍ରତି ସମର୍ପିତ, କର୍ମଯୋଗୀ, ଦେଶର ଯଶସ୍ୱୀ, ପ୍ରଧାନମନ୍ତ୍ରୀ ଆଦରଣୀୟ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜନ୍ମଦିନର ଅଶେଷ ଅଶେଷ ଶୁଭେଚ୍ଛା ।' ଏହି ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, 'ଭାରତୀର ସୁଯୋଗ୍ୟ ସନ୍ତାନ ତଥା ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଜୟ ଶ୍ରୀରାମ, ଜୟ ଜଗନ୍ନାଥ ।'
ଅନୁପମ ଖେରଙ୍କ ଶୁଭେଚ୍ଛା
ବଲିଉଡ ଅଭିନେତା ଅନୁପମ ଖେର ଏକ୍ସ ହ୍ୟାଣ୍ଡେଲରେ ପିଏମ ମୋଦୀଙ୍କ ସହ ତାଙ୍କ ଫଟୋଗୁଡ଼ିକର ଏକ କୋଲାଜ ଭିଡିଓ ସେୟାର କରିଛନ୍ତି । ଅଭିନେତା ଏହି ଭିଡିଓକୁ 'ଆରମ୍ଭ ହେ ପ୍ରଚଣ୍ଡ' ଗୀତ ସହିତ ଯୋଡିଛନ୍ତି। ଏହି ଭିଡିଓରେ ଅନୁପମ ଖେର ଏବଂ ପିଏମ ମୋଦୀଙ୍କ ସ୍ୱତନ୍ତ୍ର ବୈଠକର ଝଲକ ଦେଖିବାକୁ ମିଳିଛି । ଭିଡିଓ ସେୟାର କରି ଅନୁପମ ଖେର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇ ଲେଖିଛନ୍ତି, 'ଭଗବାନ ଆପଣଙ୍କୁ ଏକ ଦୀର୍ଘ ଏବଂ ସୁସ୍ଥ ଜୀବନ ଦିଅନ୍ତୁ । ଏବଂ ଆପଣ ଆଗାମୀ ଅନେକ ବର୍ଷ ପାଇଁ ଦେଶକୁ ଆଗେଇ ନେବା ଜାରି ରଖନ୍ତୁ । ଆପଣ ପ୍ରେରଣାଦାୟୀ ଏବଂ ଅସାଧାରଣ ମଧ୍ୟ । ବିଜୟୀ ହୁଅ । ଜୟ ହିନ୍ଦ୍ ।'
କଙ୍ଗନା ରାଣାୱତ-ଶିଳ୍ପା ସେଟ୍ଟୀ-ଜ୍ୟାକି ଶ୍ରଫଙ୍କ ଶୁଭେଚ୍ଛା