ହାଇଦ୍ରାବାଦ:ଆଜି ସାତ ଜନ୍ମର ସାଥୀ ହେବେ ସାଉଥ ସୁପରଷ୍ଟାର ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟ ଏବଂ ଅଭିନେତ୍ରୀ ଶୋଭିତା ଧୂଲିପାଲା । ବହୁ ବର୍ଷ ଧରି ଡେଟିଂ କରିବା ପରେ ଉଭୟ ଶେଷରେ ବିବାହ କରିବାକୁ ଯାଉଛନ୍ତି । ପାରମ୍ପାରିକ ତେଲୁଗୁ ବ୍ରାହ୍ମଣ ରୀତିନୀତି ଅନୁଯାୟୀ ଏହି ଦମ୍ପତି ବିବାହ କରିବେ । ଏହା ବ୍ୟତୀତ ବିବାହ ରୀତିନୀତି ପ୍ରାୟ 8 ଘଣ୍ଟା ଧରି ଚାଲିବ ଯେଉଁଥିରେ ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଅନେକ ବଡ ତାରକା ଯୋଗଦେବାକୁ ଯାଉଛନ୍ତି । ସାମ୍ନାକୁ ଆସିଲା ବିବାହରେ ସାମିଲ ହେବାକୁ ଥିବା ଅତିଥିଙ୍କ ତାଲିକା । ଜାଣନ୍ତୁ କିଏ କିଏ ହେବେ ସାମିଲ ?
କେଉଁଠି ବିବାହ କରିବେ ନାଗା-ଶୋଭିତା ?
ପରିବାର ଏବଂ ଘନିଷ୍ଠ ବନ୍ଧୁମାନଙ୍କ ମଧ୍ୟରେ ଆଇକନିକ୍ ଅନ୍ନପୂର୍ଣ୍ଣା ଷ୍ଟୁଡିଓରେ ନାଗା ଏବଂ ଶୋଭିତା ବିବାହ କରିବାକୁ ଯାଉଛନ୍ତି । କୁହାଯାଉଛି ଯେ ଉଭୟ ପାରମ୍ପାରିକ ରୀତିନୀତି ସହିତ ବିବାହ ରୀତିନୀତି ସଂପୂର୍ଣ୍ଣ କରିବେ । ଏହି ରୀତିନୀତି 8 ଘଣ୍ଟା ପର୍ଯ୍ୟନ୍ତ ଚାଲିବାକୁ ସ୍ଥିର ହୋଇଛି ଏବଂ ତେଲୁଗୁ ବ୍ରାହ୍ମଣ ପରମ୍ପରା ଅନୁଯାୟୀ ହେବ । କହିରଖୁଛୁ କି, ଅନ୍ନପୂର୍ଣ୍ଣା ଷ୍ଟୁଡିଓ ନାଗାଙ୍କ ଜେଜେବାପା ତଥା ସ୍ୱର୍ଗତ ଅଭିନେତା ଅକ୍କିନେନି ନାଗେଶ୍ୱର ରାଓଙ୍କର ଅଟେ ।
କିଏ କିଏ ହେବେ ସାମିଲ ?
ନାଗା ଏବଂ ଶୋଭିତାଙ୍କ ବିବାହ ସମାରୋହରେ ଭାରତୀୟ ସିନେମାର ଅଗ୍ରଣୀ ତାରକା ସାମିଲ ହେବେ । ଅଲ୍ଲୁ ଅର୍ଜୁନ ଏବଂ ତାଙ୍କ ପରିବାର, ପ୍ରଭାସ, ଏସ.ଏସ୍ ରାଜାମୌଲି, ଅକ୍କିନେନି ପରିବାର ଏବଂ ଦଗଗୁବତୀ ପରିବାର ବ୍ୟତୀତ ଚିରଞ୍ଜୀବୀ ପରିବାର, ଅର୍ଥାତ୍ ଚିରଞ୍ଜୀବୀ ଏବଂ ତାଙ୍କ ପତ୍ନୀ ସୁରେଖା, ରାମ ଚରଣ ଏବଂ ଉପାସନା କୋନିଡେଲାଙ୍କ ସହ ଯୋଗଦେବେ । ଏଥିସହ ମହେଶ ବାବୁ ଏବଂ ନମ୍ରତା ଶିରୋଦକର ମଧ୍ୟ ଏହି କପଲଙ୍କୁ ଆଶୀର୍ବାଦ ଦେବା ପାଇଁ ଉପସ୍ଥିତ ରହିବେ । ଜୁନିଅର ଏନଟିଆର ଏବଂ ତାଙ୍କ ପତ୍ନୀ ଲକ୍ଷ୍ମୀ, ନୟନତାରାଙ୍କ ସମେତ ଫିଲ୍ମ ଇଣ୍ଡଷ୍ଟ୍ରିର ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଏହି ଉତ୍ସବରେ ଯୋଗଦେବେ ବୋଲି ଆଶା କରାଯାଉଛି ।
ଏହା ମଧ୍ୟ ପଢନ୍ତୁ:ନାଗା ଚୈତନ୍ୟ-ଶୋଭିତାଙ୍କ ପ୍ରି-ୱେଡିଂ ସେରମନି ଆରମ୍ଭ, ଖୁବଶୀଘ୍ର ପଡ଼ିବ କପଲଙ୍କ ହାତଗଣ୍ଠି
ନାଗା ଚୈତନ୍ୟଙ୍କ ଏହା ଦ୍ୱିତୀୟ ବିବାହ
ନାଗା ଚୈତନ୍ୟ ପୂର୍ବରୁ ସାଉଥ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କୁ ବିବାହ କରିଥିଲେ । ସାମନ୍ଥା ଏବଂ ନାଗା ପ୍ରଥମ ଥର ପାଇଁ 2010ରେ ଗୌତମ ମେନନଙ୍କ ୟେ ମାୟା ଚେସାଭଙ୍କ ସେଟରେ ସାକ୍ଷାତ ହୋଇଥିଲେ । ଯାହାପରେ ଦୁହେଁ ପ୍ରେମରେ ପଡ଼ି ଅକ୍ଟୋବର 2017ରେ ବିବାହ କରିଥିଲେ । କିନ୍ତୁ ୪ ବର୍ଷ ପରେ ଏହି କପଲ ୨୦୨୧ରେ ଅଲଗା ହୋଇଥିଲେ । ଯାହା ଉଭୟଙ୍କ ଫ୍ୟାନ୍ସଙ୍କୁ ଚକିତ କରିଥିଲା । ସାମନ୍ଥାଙ୍କ ସହ ବିବାହ ବିଚ୍ଛେଦ ହେବା ପରେ ନାଗା ଅଭିନେତ୍ରୀ ଶୋଭିତା ଧୂଲିପାଲାଙ୍କ ପ୍ରେମରେ ପଡିଥିଲେ । ପରେ ଉଭୟ ଭ୍ୟାକସନ ଫଟୋ ମଧ୍ୟ ଭାଇରାଲ ହୋଇଥିଲା । ହେଲେ ଉଭୟ ନିଜ ସମ୍ପର୍କକୁ ଅଫିସିଆଲ କରିନଥିଲେ । ଦୀର୍ଘ ଦିନର ଡେଟ୍ ପରେ ଉଭୟ ନିର୍ବନ୍ଧ କରି ସମ୍ପର୍କକୁ ନିଶ୍ଚିତ କରିଥିଲେ । ଏବେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ