ମୁମ୍ବାଇ:ରିଲିଜ ହେଲା ବଲିଉଡ ଅଭିନେତ୍ରୀ ୟାମୀ ଗୌତମଙ୍କ ଆଗାମୀ ଚଳଚ୍ଚିତ୍ର 'ଆର୍ଟିକିଲ୍ ୩୭୦'ର ଟିଜର । ଏହି ଚଳଚ୍ଚିତ୍ରଟି ଜମ୍ମୁ-କାଶ୍ମୀରରୁ ଧାରା 370କୁ ହଟାଇବା ପ୍ରସଙ୍ଗ ଉପରେ ଆଧାରିତ । ଏହି ଫିଲ୍ମ ଉରି ନିର୍ମାତା ଆଦିତ୍ୟ ଧରଙ୍କ ଦ୍ୱାରା ନିର୍ମିତ ହୋଇଛି । ଯେଉଁଥିରେ ୟାମି ଗୌତମ ଜମ୍ମୁ-କାଶ୍ମୀରରେ ଚାଲିଥିବା ଆତଙ୍କବାଦକୁ ବୁଝିବାକୁ ଚେଷ୍ଟା କରୁଛନ୍ତି । ଫେବୃଆରୀ 23ରେ ଫିଲ୍ମଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ପ୍ରସ୍ତୁତ ଅଛି । ଏହାର ନିର୍ଦ୍ଦେଶକ ହେଉଛନ୍ତି ଆଦିତ୍ୟ ସୁହାସ ଜାମ୍ବଲେ ।
ଟିଜରରେ ୟାମୀ ନିର୍ଭୀକ ଭାବରେ କହୁଥିବାର ଦେଖିବାକୁ ମିଳିଛି ଯେ, କାଶ୍ମୀରରେ ଆତଙ୍କବାଦ ସ୍ୱାଧୀନତା ଦାବି କରୁଥିବା ଲୋକମାନଙ୍କ ଦ୍ୱାରା ସୃଷ୍ଟି ହୋଇନାହିଁ, ବରଂ ଏହା ଏକ ବ୍ୟବସାୟ ଯାହା ଦୁର୍ନୀତିଗ୍ରସ୍ତ ରାଜନେତାଙ୍କ ଦ୍ୱାରା ପରିଚାଳିତ ହେଉଛି । ଯେଉଁ ପର୍ଯ୍ୟନ୍ତ ଜମ୍ମୁ-କାଶ୍ମୀରକୁ ଦିଆଯାଇଥିବା ସ୍ୱତନ୍ତ୍ର ମାନ୍ୟତା ପ୍ରତ୍ୟାହାର ନ କରାଯାଇଛି ସେପର୍ଯ୍ୟନ୍ତ ଅପରାଧୀଙ୍କୁ ଧରାଯାଇ ପାରିବ ନାହିଁ । ତେବେ ବଦଲାପୁର, ଉରି: ଦ ସର୍ଜିକାଲ୍ ଷ୍ଟ୍ରାଇକ୍, ବାଲା, ଏ ଥ୍ରସ ଡେ ଏବଂ ଚୋର ନିକଲ କେ ଭାଗା ପରି ଚଳଚ୍ଚିତ୍ର ପାଇଁ ପ୍ରସିଦ୍ଧ ୟାମି ଏହି ଚଳଚ୍ଚିତ୍ରରେ ଗୁପ୍ତଚର ଏଜେଣ୍ଟ ଭୂମିକାରେ ଅଭିନୟ କରିବେ ।
ଟିଜରର ଶେଷରେ ୟାମୀ ରକ୍ତମୁଖା ଚେହେରାରେ ଥିବା ଜଣଙ୍କୁ ବନ୍ଧୁକ ଦେଖାଉଥିବା ନଜର ଆସିଛନ୍ତି । ଏହାପରେ ଏକ ଭଏସଓଭର ଶୁଣିବାକୁ ମିଳୁଛି । ଯେଉଁଥିରେ ଘୋଷଣା କରାଯାଇଛି ଯେ, ଧାରା 370 ରଦ୍ଦ ହେବ । ଏହା ପରେ ଜମ୍ମୁ-କାଶ୍ମୀରକୁ ଦିଆଯାଇଥିବା ସ୍ୱତନ୍ତ୍ର ମାନ୍ୟତାକୁ ହଟାଇ କେନ୍ଦ୍ର ଶାସିତ ଅଞ୍ଚଳ କରାଯାଇଛି । ଅଗଷ୍ଟ 5, 2019ରେ କେନ୍ଦ୍ର ସରକାର ଜମ୍ମୁ-କାଶ୍ମୀରରୁ ଧାରା 370କୁ ରଦ୍ଦ କରିଥିଲେ ।